ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆସନ୍ତାକାଲି ଭାରତ ଗସ୍ତରେ ଆସୁଛନ୍ତି। ତାଙ୍କ ସହ ଆସୁଛନ୍ତି ତାଙ୍କ ପତ୍ନୀ ମେଲାନିଆ। ଟ୍ରମ୍ପ ଦମ୍ପତ୍ତିଙ୍କ ଆସିବା ନେଇ ଭାରତ ବ୍ୟାପକ ବ୍ୟବସ୍ଥା କରିଥିବା ବେଳେ ବିଭିନ୍ନ ବିମାନ କମ୍ପାନିମାନେ ମଧ୍ୟ ନିଜକୁ ପ୍ରସ୍ତୁତ କରିନେଇଛନ୍ତି। ଟ୍ରମ୍ପଙ୍କ ଆଗମନକୁ ନେଇ ଅହମ୍ମଦାବାଦ ବିମାନବନ୍ଦରରେ ଭିଡ଼ ହେବାକୁ ଥିବାରୁ ବିଭିନ୍ନ ବିମାନ କମ୍ପାନି ଏକ ଆଡଭାଇଜରି ଜାରି କରିଛନ୍ତି। ନିର୍ଦ୍ଧାରିତ ସମୟ ପୂର୍ବରୁ ବିମାନବନ୍ଦରରେ ପହଞ୍ଚିବା ନେଇ ସମସ୍ତ ଯାତ୍ରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Advertisment

ଯଦି ଆପଣଙ୍କୁ ଆସନ୍ତାକାଲି ଅହମ୍ମଦାବାଦ ବିମାନବନ୍ଦରରୁ କୌଣସି ସ୍ଥାନକୁ ଉଡ଼ାଣ ଭରିବାର ଅଛି, ତେବେ ନିର୍ଦ୍ଧାରିତ ସମୟ ପୂର୍ବରୁ ବିମାନବନ୍ଦରରେ ଯାଇ ପହଞ୍ଚିବାକୁ ପଡ଼ିବ। ଆଡଭାଇଜରି ଜାରି କରିଥିବା ବିମାନ କମ୍ପାନିମାନେ ହେଲେ, ଭିସ୍ତାରା, ଇଣ୍ଡିଗୋ ଏବଂ ସ୍ପାଇସଜେଟ୍। ଆଡଭାଇଜରିରେ ଲେଖାଯାଇଛି କି, ଅସନ୍ତାକାଲି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଆସୁଥିବାରୁ ଅହମ୍ମଦାବାଦ ବିମାନବନ୍ଦରରେ ସକାଳ ୮ଟାରୁ ସଂନ୍ଧ୍ୟା ୪ଟା ମଧ୍ୟରେ ଥିବା ବିମାନର ଯାତ୍ରୀମାନଙ୍କୁ ଚେକ୍ ଇନ୍ ଏବଂ ବୋର୍ଡିିଙ୍ଗ୍ ପାଇଁ ସମୟ ଲାଗିପାରେ। ସେଥିପାଇଁ ବିମାନ ଉଡ଼ାଣ ଭରିବା ସମୟର ୩ଘଣ୍ଟା ପୂର୍ବରୁ ଆସି ବିମାନବନ୍ଦରରେ ପହଞ୍ଚି ଯାଆନ୍ତୁ। ଟ୍ରମ୍ପଙ୍କ ଆଗମନକୁ ନେଇ  ବିମାନ ଉଡ଼ାଣରେ ଏବଂ ଅବତରଣରେ କୌଣସି ପ୍ରକାରର ସମସ୍ୟା ହେବ ନାହିଁ ବୋଲି ୩ଟି ବିମାନ କମ୍ପାନି ସ୍ପଷ୍ଟ କରିଛନ୍ତି।