ଗୁଜୁରାଟ ନିର୍ବାଚନ ତାରିଖ ଘୋଷଣା ହେବାପରେ ଏହି ବଡ଼ ଦାବି କଲେ ‘ଆପ୍‌’ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ୍‌

ନୂଆଦିଲ୍ଲୀ: ନିର୍ବାଚନ କମିଶନ ଗୁଜୁରାଟ ବିଧାନସଭା ପାଇଁ ଗୁରୁବାର ମତଦାନ କାର୍ଯ୍ୟସୂଚୀ-ଡିସେମ୍ବର ୧ ଓ ୫ରେ ମତଦାନ ଏବଂ ୮ ତାରିଖରେ ଫଳାଫଳ- ଘୋଷଣା କରିବାର କିଛି ମିନିଟ୍‌ ପରେ ଆମ୍‌ ଆଦମୀ ପାର୍ଟି (ଆପ୍‌) ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଏହି ନିର୍ବାଚନରେ ତାଙ୍କ ଦଳ ନିଶ୍ଚିତ ଭାବରେ ଜିତିବ। ଆପ୍‌ ମୁଖ୍ୟ କେଜ୍ରିଓ୍ଵାଲ ଗୁଜୁରାଟୀ ଭାଷାରେ ଦେଇଥିବା ଏକ ଭିଡିଓ ବାର୍ତ୍ତା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ଆରମ୍ଭ କରିଛି।

ନିଜର ଭିଡିଓ ବାର୍ତ୍ତରେ କେଜ୍ରିଓ୍ଵାଲ ଗୁଜୁରାଟବାସୀଙ୍କୁ ଅପିଲ କରି କହିଛନ୍ତି… ‘ମୁଁ ତୁମର ଭାଇ; ତୁମ ପରିବାରର ଏକ ଅଂଶ। ମୋତେ ଗୋଟିଏ ସୁଯୋଗ ଦିଅ ଏବଂ ମୁଁ ସବୁ ଆଶା ପୂରଣ କରିବି। ତୁମକୁ ମାଗଣା ବିଦ୍ୟୁତ ଦେବି… ବିଶ୍ୱସ୍ତରୀୟ ବିଦ୍ୟାଳୟ ଏବଂ ଡାକ୍ତରଖାନା ନିର୍ମାଣ କରିବି… ଏବଂ ତୁମକୁ ଅଯୋଧ୍ୟାର ରାମ ମନ୍ଦିରକୁ ନେଇଯିବି।’… ଚଳିତ ବର୍ଷ ପ୍ରାରମ୍ଭରେ ହୋଇଥିବା ପଞ୍ଜାବ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ହାସଲ କରିବା ପରେ ‘ଆପ୍‌’ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲ ଗତ ଦୁଇ ଦଶନ୍ଧି ଧରି ବିଜେପି ଗଡ଼ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗୃହ ରାଜ୍ୟ ଗୁଜୁରାଟରେ ଏକ ବଡ଼ ପରିବର୍ତ୍ତନ ଆଣିବା ଲକ୍ଷ୍ୟରେ ରହିଛନ୍ତି।

ଆଜିର ତାରିଖରେ ଯେଉଁ ସ୍ଥିତି ରହିଛି ସେଥିରେ ଆମେ ବର୍ତ୍ତମାନ ୯୦-୯୫ଟି ଆସନରେ (୧୮୨ମଧ୍ୟରୁ) ଜିତିବୁ। ଏବଂ ଯଦି ଆଗକୁ ଏହି ସ୍ଥିତି ଜାରି ରହେ, ତେବେ ଆମେ ୧୪୦ରୁ ୧୫୦ ଆସନରେ ଜିତିବୁ ବୋଲି ଆପ୍‌ ମୁଖ୍ୟ ମୁଖପାତ୍ର ସୌରଭ ଭରଦ୍ୱାଜ ନିର୍ବାଚନ ତାରିଖ ଘୋଷଣା ପରେ ଗଣମାଧ୍ୟମକୁ କହିଛନ୍ତି। ଦଳ ଏଥର ସମସ୍ତ ୧୮୨ଟି ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ଦେଉଛି।

ଶ୍ରୀ କେଜ୍ରିୱାଲ ଗତ କିଛି ମାସ ମଧ୍ୟରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ସହ ଗୁଜୁରାଟକୁ ଏକାଧିକ ଗସ୍ତରେ ଆସି ଗୁଜୁରାଟ ଏବେ ଆପ୍‌ ବିକାଶର ଦିଲ୍ଲୀ ମଡେଲ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧିତ ଖବର