ଅହମଦାବାଦ: ପ୍ରେମରେ ପଡ଼ିଲେ ଲୋକ ଅନ୍ଧ ହୋଇଯାଆନ୍ତି। ଠିକ କରୁଛନ୍ତି କି ଭୁଲ, ତାହା ଜଣାପଡେ ନାହିଁ। ଗୁଜରାଟରେ ଜଣେ ଯୁବତୀ କରିଥିବା କାମ ଏହି କଥାକୁ ପ୍ରମାଣ କରିଛି। ପ୍ରେମିକ ଛୁଟି କଟାଇବା ପାଇଁ ଉତ୍ତରାଖଣ୍ଡ ଯାଇଥିବାରୁ ପ୍ରେମିକା ପରୀକ୍ଷା ହଲରେ ବସି ପରୀକ୍ଷା ଦେଇଥିବା ସାମ୍ନାକୁ ଆସିଛି। ତୃତୀୟ ବର୍ଷ ବାଣିଜ୍ୟ ପରୀକ୍ଷାରେ ବସି ପ୍ରେମିକା ନିଜ ପ୍ରେମିକ ପାଇଁ ପ୍ରଶ୍ନର ଉତ୍ତର ଲେଖିଥିଲେ ବୋଲି କୁହାଯାଉଛି।
ଏହି ପରୀକ୍ଷା ଚଳିତ ବର୍ଷ ଅକ୍ଟୋବରରେ ହୋଇଥିଲା ଏବଂ ଘଟଣା ପରେ ଫେୟାର ଆସେସମେଣ୍ଟ ଆଣ୍ଡ କନ୍ସଲଟେସନ୍ ଟିମ୍ (ଫ୍ୟାକ୍ଟ) କମିଟି ଛାତ୍ରୀଙ୍କୁ ବୀର ନରମାଦ ସାଉଥ୍ ଗୁଜୁରାଟ ୟୁନିଭରସିଟି (ଭିଏନଏସଜିୟୁ) ସିଣ୍ଡିକେଟକୁ ଦଣ୍ଡ ଦେବାକୁ ସୁପାରିଶ କରାଯାଇଛି। ଜଣେ ଅଧିକାରୀ କହିଛନ୍ତି ଯେ, ସ୍କୁଲରୁ ହିଁ ଯୁବତୀ ଓ ଯୁବକ ଦୁହେଁ ବନ୍ଧୁ ଥିଲେ ଏବଂ ପରେ ଦୁହେଁ ପରସ୍ପରକୁ ଭଲପାଇ ବସିଥିଲେ। ପ୍ରେମିକ ବାହାରକୁ ବୁଲିବା ପାଇଁ ଯିବା ପରେ ପ୍ରେମିକା ହଲର ଟିକେଟ ବଦଳାଇ ପରୀକ୍ଷା ଦେବାକୁ ଆସିଥିଲେ। ଯୁବତୀଙ୍କ ଏଭଳି ଉଦ୍ୟମ ବିଷୟରେ ତାଙ୍କ ପିତାମାତା ଜାଣି ନଥିଲେ। ସୁପରଭାଇଜରମାନେ ପ୍ରତିଦିନ ବଦଳୁଥିବାରୁ ସେମାନେ ପ୍ରତ୍ୟେକ ଛାତ୍ରଙ୍କୁ ବ୍ୟକ୍ତିଗତ ଭାବରେ ଜାଣି ନଥିଲେ। ହେଲେ ପରୀକ୍ଷା ଦେଉଥିବା ଅନ୍ୟ ଜଣେ ଛାତ୍ରୀଙ୍କୁ ସନ୍ଦେହ ହେବାରୁ ସେ କଲେଜ କର୍ତ୍ତୃପକ୍ଷଙ୍କୁ ଏବିଷୟରେ ଜଣାଇଥିଲେ। ପରେ ଯାଞ୍ଚ କରାଯିବାରୁ ସବୁ ସତ ସାମ୍ନାକୁ ଆସିଥିଲା। କୁହାଯାଉଛି, ପ୍ରେମିକ ଥରେ ପରୀକ୍ଷାରେ ଫେଲ୍ ହୋଇସାରିଥିବାରୁ ପାସ୍ କରାଇବା ପାଇଁ ପ୍ରେମିକା ପରୀକ୍ଷା ଦେବାକୁ ଆସିଥିଲେ।