ଗାନ୍ଧିନଗର: ଗୁଜୁରାଟର ଜଣେ ମହିଳା କନଷ୍ଟେବଲ୍ ଏବେ ଚର୍ଚ୍ଚାର ପରିସର ଭିତରକୁ ଆସିଛନ୍ତି। ଗୁଜୁରାଟ ହାଇକୋର୍ଟର ଚତୁର୍ଥ ଶ୍ରେଣୀ କର୍ମଚାରୀ ନିଯୁକ୍ତି ପରୀକ୍ଷା ଦେଉଥିବା ଜଣେ ମହିଳା ପରୀକ୍ଷାର୍ଥୀଙ୍କ ୬ ମାସର ପିଲାକୁ ସମ୍ଭାଳିଥିବାରୁ କନ୍ଷ୍ଟେବଲ୍ଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି। ଅହମଦାବାଦ ପୁଲିସର ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ କନ୍ଷ୍ଟେବଲ୍ ଜଣକ ଶିଶୁକୁ ସମ୍ଭାଳୁଥିବାର କିଛି ଫଟୋ ସେୟାର୍ କରାଯାଇଛି। ଶିଶୁଟିର ମାଆ କିପରି ଭଲରେ ପରୀକ୍ଷା ଦେଇପାରିବେ ତାହା ଚିନ୍ତା କରି କନ୍ଷ୍ଟେବଲ୍ ଜଣକ ପୂରା ପରୀକ୍ଷା ସମୟ ଶିଶୁଟିକୁ କାଖରେ ଧରି ତା’ ସହ ଖେଳିଥିଲେ।
ପୋଷ୍ଟର କ୍ୟାପସନରେ ଲେଖାଯାଇଛି, ‘ଜଣେ ମହିଳା ପରୀକ୍ଷକ ତାଙ୍କ ୬ ମାସର ପୁଅକୁ ନେଇ ଗୁଜୁରାଟ ହାଇକୋର୍ଟର ପିଅନ୍ ଚାକିରି ପାଇଁ ପରୀକ୍ଷା ଦେବାକୁ କେନ୍ଦ୍ରରେ ପହଞ୍ଚିଥିଲେ। ପରୀକ୍ଷା କିଛି ମିନିଟ୍ ଆରମ୍ଭ ହେବାକୁ ଥାଏ, କିନ୍ତୁ ତାଙ୍କ ପିଲା କାନ୍ଦ ବନ୍ଦ କରୁନଥାଏ। ତେବେ ଖୁସିର କଥା ହେଉଛି ଯେ ସେତିକିବେଳେ ମହିଳା କନଷ୍ଟେବଲ୍ ଜଣକ ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସି ଶିଶୁର ଯତ୍ନ ନେବାକୁ ପ୍ରସ୍ତାବ ଦେଇଥିଲେ, ଯାହା ଦ୍ବାରା ମାଆ କୌଣସି ଅସୁବିଧା ସମ୍ମୁଖୀନ ନହୋଇ ପରୀକ୍ଷା ଦେଇଥିଲେ।
ઓઢવ ખાતે પરીક્ષા આપવા માટે આવેલ મહીલા પરીક્ષાર્થીનુ બાળક રોતું હોય જેથી મહિલા પરીક્ષાથી નું પેપર દરમિયાન સમય બગડે નહીં અને પરીક્ષા વ્યવસ્થિત રીતે આપી શકે તે સારું મહિલા પોલીસ કર્મચારી દયાબેન નાઓએ માનવીય અભિગમ દાખવી બાળકને સાચવેલ જેથી માનવીય અભિગમ દાખવવામાંઆવેલ છે pic.twitter.com/SIffnOhfQM
— Ahmedabad Police અમદાવાદ પોલીસ (@AhmedabadPolice) July 9, 2023
ଏହି ସମୟର ଫଟୋଗୁଡ଼ିକ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ କନଷ୍ଟେବଲଙ୍କୁ ତାଙ୍କର ମଣିଷପଣିଆ ପାଇଁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି। ତାଙ୍କୁ ପ୍ରଶଂସା କରି ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ଆମେ ତୁମ ପାଇଁ ଗର୍ବିତ ମ୍ୟାମ୍।’ ଅନ୍ୟ ଜଣେ ଲେଖିଛନ୍ତି, ‘ଏହା ହେଉଛି ପ୍ରକୃତ ପୁଲିସର ପରିଚୟ।’ କେହି କେହି ତାଙ୍କ କାମ ଉଚ୍ଚକୋଟୀର ବୋଲି ମତ ଦେଇଥିବା ବେଳେ ପୁଣି କେହି ଅହମ୍ମଦାବାଦ ପୁଲିସକୁ କୃତଜ୍ଞତା ଜଣାଇଛନ୍ତି।