ଥାନା ଭିତରେ ନାଚିବା ସହ ଟିକଟକ୍ ଭିଡିଓ ବନାଇ ଗୁଜରାଟ ମହିଳା ପୁଲିସ ନିଲମ୍ବିତ

ମେହସାନା: ଥାନା ମଧ୍ୟରେ ଜଣେ ଗୁଜରାଟୀ ମହିଳା ପୁଲିସ ବଲିଉଡ୍‌ ଗୀତର ତାଳେ ତାଳେ କରିଥିବା ନୃତ୍ୟର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବା ପରେ ବୁଧବାର ଦିନ ତାଙ୍କୁ ନିଲମ୍ବିତ କରାଯାଇଛି।

ଛୋଟ ଭିଡିଓ କ୍ଲିପ୍‌ଟିରେ ଲୋକ ରକ୍ଷକ ଦଳରେ ଚୟନ ହୋଇଥିବା ଅର୍ପିତା ଚୌଧୁରୀ ମେହସାନା ଜିଲ୍ଲାର ଲଙ୍ଘନାଜ ଥାନା ମଧ୍ୟସ୍ଥ ହାଜତ ସାମ୍ନାରେ ନାଚ କରୁଥିବା ଦେଖାଯାଉଛି।

ଡେପୁଟି ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ମଞ୍ଜିତା ବଞ୍ଜାରା ସାମ୍ବାଦିକମାନଙ୍କୁ କହିଛନ୍ତି: ଚୌଧୁରୀ ନିୟମ ଉଲ୍ଲଂଘନ କରିଛନ୍ତି। ଡିୟୁଟି ସମୟରେ ସେ ୟୁନିଫର୍ମ ପିନ୍ଧି ନ ଥିଲେ। ଦ୍ୱିତୀୟତଃ, ସେ ଲଙ୍ଘନାଜ ଗାଁ ଥାନା ଭିତରେ ନିଜେ ନିଜର ଭିଡିଓ ସୁଟିଙ୍ଗ୍‌ କରିଛନ୍ତି। ପୁଲିସ କର୍ମଚାରୀ ଶୃଙ୍ଖଳା ପାଳନ କରିବା ଉଚିତ, ସେ ତାହା କରି ନ ଥିବାରୁ ନିଲମ୍ବିତ ହେଲେ।

Image Source: India TV

ବଞ୍ଜାରା କହିଛନ୍ତି ଯେ ଚୌଧୁରୀ ଜୁଲାଇ ୨୦ ତାରିଖ ଦିନ ସେ ଭିଡିଓ ସୁଟିଙ୍ଗ୍‌ କରି ସାମାଜିକ ଗଣମାଧ୍ୟମ ଏବଂ ହ୍ଵାଟ୍‌ସ୍‌ଆପ୍‌ରେ ପ୍ରସାରଣ କରିଛନ୍ତି।

୨୦୧୬ରେ ଏଲ୍‌ଆର୍‌ଡି ଭାବେ ଚୟନ କରାଯାଇଥିବା ଚୌଧୁରୀଙ୍କୁ ୨୦୧୮ରେ ମେହସାନାକୁ ବଦଳି କରାଯାଇଥିଲା ବୋଲି ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ୍‌ କହିଛନ୍ତି।

ସମ୍ବନ୍ଧିତ ଖବର