ସ୍ୱାମୀ ଓ ଶାଶୂଙ୍କ ନାଁ’ରେ ଏତଲା ଦେଲେ ପିଆଜ ରସୁଣ ଖାଇବାକୁ ବାଧ୍ୟ କରାଯାଇଥିବା ୨୫ ବର୍ଷୀୟ ମହିଳା

ଅହମଦାବାଦ: ଭୋଜନରେ ପିଆଜ ଓ ରସୁଣ ଖାଇବାକୁ ବାଧ୍ୟ କରାଯାଇଥିବା କାଦି ସହରବାସିନୀ ତଥା ସ୍ୱାମୀନାରାୟଣ ସମ୍ପ୍ରଦାୟର ଅନୁଗାମିନୀ ଜଣେ ୨୫ ବର୍ଷୀୟ ମହିଳା ତାଙ୍କ ସ୍ୱାମୀ ଓ ଶାଶୂଙ୍କ ନାଁ’ରେ ଗାନ୍ଧୀନଗର ଥାନାରେ ଏତଲା ଦେଇଛନ୍ତି। ତାଙ୍କ କହିବା କଥା ପିଆଜ ରସୁଣ ମିଶ୍ରିତ ଖାଦ୍ୟ ତାଙ୍କ ବିଶ୍ୱାସର ବିରୁଦ୍ଧାଚରଣ କରୁଛି।

ଏତଲାରେ ମହିଳାଜଣକ କହିଛନ୍ତି, ପିଆଜ ରସୁଣ ପଡ଼ିଥିବା ବ୍ୟଞ୍ଜନ ଖାଇବାକୁ ସେ ମନା କରିବାରୁ ସ୍ୱାମୀ ଓ ଶାଶଘର ଲୋକେ ତାଙ୍କୁ ମାରିଥିଲେ। ପରେ ସ୍ୱାମୀ ଓ ଶାଶୂଘର ଲୋକେ ତାଙ୍କୁ ତାଙ୍କ ମାଆଙ୍କ ସହ କଥା କହିବାକୁ ବାରଣ କରିଥିଲେ। ଏଥିପାଇଁ ସେ ଜୁଲାଇ ୧୦ ତାରିଖ ଦିନ ଗାନ୍ଧୀନଗର ଅନ୍ତର୍ଗତ ସାନ୍ତେଜ ଥାନାରେ ଏତଲା ଦେଇଛନ୍ତି।

ମୁଁ ମୋ ଭାଇଙ୍କ ସାଙ୍ଗ ପ୍ରେମରେ ପଡ଼ି ୪ ବର୍ଷ ତଳେ ତାଙ୍କୁ ବାହା ହୋଇଥିଲି। କାଲୋଲରେ ମୋ ସ୍ୱାମୀ ଚା’ ଓ ପାନ ଦୋକାନ ଖୋଲିଛନ୍ତି ମୁଁ ଗୋଟାଏ ଘରୋଇ ଫାର୍ମରେ କାମ କରେ ବୋଲି ସେ ଏତଲାରେ ଲେଖିଛନ୍ତି।

ମୁଁ ପଟେଲ ସମ୍ପ୍ରଦାୟର ଏବଂ ସ୍ୱାମୀନାରାୟଣ ଗୋଷ୍ଠୀର ଅନୁଗାମିନୀ। ସ୍ୱାମୀ ଓ ଶାଶୂ ମୋତେ ପିଆଜ ରସୁଣ ପଡ଼ିଥିବା ବ୍ୟଞ୍ଜନ ଖାଇବାକୁ ବାଧ୍ୟ କରିଛନ୍ତି।

ଜାଣିଶୁଣି ଆଘାତ ଦେବା, ଗୃହ ହିଂସା ଏବଂ ଅପରାଧିକ ଧମକାଣ ଦେଇଥିବା କାରଣରୁ ତାଙ୍କ ସ୍ୱାମୀ ରୋନକ ପଟେଲ୍‌ ଓ ଶାଶୂଙ୍କୁ ବୁକ୍‌ କରାଯାଇଛି।

ସମ୍ବନ୍ଧିତ ଖବର