ଏଫ୍ବିଆଇର ମୋଷ୍ଟ ଓ୍ଵାଣ୍ଟେଡ୍ ତାଲିକାରେ ଗୁଜୁରାଟୀ ଯୁବକ ! ୪ ବର୍ଷ ହେଲାଣି ଭାରତ ଓ ଆମେରିକା ପୁଲିସ୍ ଖୋଜୁଛି, ପତ୍ତା ପାଉନି
ନୂଆଦିଲ୍ଲୀ : ଆମେରିକାର ଫେଡେରାଲ ବ୍ୟୁରୋ ଅଫ୍ ଇନ୍ଭେଷ୍ଟିଗେସନ୍ ନିଜର ୧୦ଟି ମୋଷ୍ଟ ଓ୍ଵାଣ୍ଟେଡ୍ ପଳାତକ ସୂଚୀ ଜାରି କରିଛି । ଏ ମଧ୍ୟରେ ଜଣେ ଗୁଜୁରାଟୀ ଯୁବକଙ୍କ ନାଁ ସାମିଲ ଥିବା ଜଣା ପଡ଼ିଛି । ୨୦୧୫ରେ ଅହମଦାବାଦ୍ର ବୀରମ୍ଗମରେ ରହୁଥିବା ଭଦ୍ରେଶ କୁମାର ପଟେଲ ନିଜ ସ୍ତ୍ରୀଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ତାଙ୍କୁ ପୁଲିସ ଗିରଫ କରି ପାରି ନାହିଁ । ଦୀର୍ଘ ଏତେ ବର୍ଷ ମଧ୍ୟରେ ପୁଲିସ କବ୍ଜାକୁ ଆସି ପାରି ନ ଥିବାରୁ ଭାରତ-ଆମେରିକାରେ ତାଙ୍କୁ ଖୋଜିବା ପ୍ରୟାସ ଜାରି ରହିଛି । ଭଦ୍ରେଶଙ୍କୁ ଖୋଜିବାରେ ବିଫଳ ହେବା ପରେ ଏବେ ଫେଡେରାଲ ବ୍ୟୁରୋ ଅଫ୍ ଇନ୍ଭେଷ୍ଟିଗେସନ ତାଙ୍କୁ ମୋଷ୍ଟ ଓ୍ଵାଣ୍ଟେଡ୍ ତାଲିକାରେ ରଖିଛି । ତାଙ୍କ ବିଷୟରେ ସୂଚନା ଦେବା ବ୍ୟକ୍ତିଙ୍କୁ ୧୦୦,୦୦୦ ଡଲାର ଦିଆଯିବ ବୋଲି ଘୋଷଣା କରାଯାଇଛି । ୨୦୧୭ରେ ପ୍ରଥମେ ଭଦ୍ରେଶଙ୍କ ନାଁ ମୋଷ୍ଟ ଓ୍ଵାଣ୍ଟେଡ୍ ଲିଷ୍ଟରେ ସାମିଲ କରାଯାଇଥିଲା ।

ସୂଚନା ମୁତାବକ, ମେରିଲାଣ୍ଡର ହନବରରେ ଭଦ୍ରେଶ ଓ ତାଙ୍କ ପତ୍ନୀ ପଲକ ରହୁଥିବା ସହ ଡନ୍କିନ୍ ଡୋନଟ୍ସ ଷ୍ଟୋରରେ କାମ କରୁଥିଲେ । ଷ୍ଟୋର୍ରେ ଲାଗିଥିବା ସିସିଟିଭି ଫୁଟେଜ୍ ଅନୁଯାୟୀ, ଘଟଣା ଦିନ ଭଦ୍ରେଶ ଓ ତାଙ୍କ ପତ୍ନୀ ଷ୍ଟୋରର ରୋଷେଇ ଘରକୁ ଯାଉଛନ୍ତି । ଏହାର କିଛି ସମୟ ପରେ ଭଦ୍ରେଶ ଏକା ଭିତରୁ ବାହାରକୁ ଆସୁଛନ୍ତି ଏବଂ ରୋଷେଇ ଘରର କବାଟ ଦେଇ ଦେଉଛନ୍ତି । ଏହା ପରେ ସେ ଷ୍ଟୋରରୁ ବାହାରି ଯାଉଛନ୍ତି । ଯାହାର କିଛି ଘଣ୍ଟା ପରେ ତାଙ୍କ ପତ୍ନୀଙ୍କ ମୃତହେଦ ରୋଷେଇ ଘର ଭିତରେ ପଡ଼ିଥିବାର ସାମ୍ନାକୁ ଆସୁଛି ।
ପରେ ଷ୍ଟୋର୍ରୁ ବାହାରି ରହୁଥିବା ଆପାର୍ଟମେଣ୍ଟକୁ ଯିବା ସହ ନିଜ ଜରୁରୀ ଜିନିଷ ଧରି କ୍ୟାବ୍ ଯୋଗେ ଏକ ହୋଟେଲରେ ପହଞ୍ଚିଥିଲେ ଭଦ୍ରେଶ । ସେଠାରେ ରାତି ବିତାଇବା ସହ ସକାଳୁ ସକାଳୁ ସେ ହୋଟେଲରୁ ବାହାରି ଯାଇଥିଲେ । ତା’ ପରଠାରୁ ସେ ଉଭାନ ହୋଇ ଯାଇଛନ୍ତି । ଦୀର୍ଘ ୪ବର୍ଷ ହେଲାଣି ପୁଲିସ ତାଙ୍କୁ ଖୋଜୁଥିଲେ ମଧ୍ୟ ତାଙ୍କର ପତ୍ତା ମିଳି ପାରି ନାହିଁ । ଭାରତରେ ଗୁଜୁରାଟ, ମହାରାଷ୍ଟ୍ର ଓ ଦିଲ୍ଲୀରେ ତାଙ୍କୁ ଖୋଜା ଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସେ ଫେରାର ଅଛନ୍ତି । ଘଟଣାଟି ଅପ୍ରେଲ୧୨, ୨୦୧୫ରେ ଘଟିଥିବା ବେଳେ ଏ ପର୍ଯ୍ୟନ୍ତ ପୁଲିସ ହାତରେ ଲାଗି ନାହିଁ ଭାଦ୍ରେଶ ।