ରୌପ୍ୟ ପଦକ ଜିତିବା ପରେ ଭାବିନା ପଟେଲଙ୍କୁ ୩କୋଟି ଟଙ୍କାର ପୁରସ୍କାର ରାଶି ଦେବାକୁ ଘୋଷଣା କଲେ ଗୁଜୁରାଟ ମୁଖ୍ୟମନ୍ତ୍ରୀ

ଟୋକିଓ: ୨୦୨୦ ଟୋକିଓ ପାରାଲିମ୍ପିକରେ ଆଜି ଭାବିନା ପଟେଲ୍‌ ରୌପ୍ୟ ପଦକ ଜିତି ଭାରତ ପାଇଁ ଇତିହାସ ସୃଷ୍ଟି କରିଛନ୍ତି। ଭାବିନା ପଟେଲ ଭାରତ ପାଇଁ ଟେବୁଲ ଟେନିସରେ ମେଡାଲ ଜିତିବାରେ ପ୍ରଥମ ଭାରତୀୟ ଖେଳାଳି ସାଜିଛନ୍ତି । ତାଙ୍କୁ ପ୍ରୋତ୍ସାହିତ କରିବାକୁ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ୩ କୋଟି ଟଙ୍କାର ପୁରସ୍କାର ରାଶି ଦେବାକୁ ଘୋଷଣା କରିଛନ୍ତି ।

ବିଜୟ ରୂପାଣୀ ଭାବିନା ପଟେଲଙ୍କୁ ପାରାଲିମ୍ପିକରେ ମେଡାଲ ଜିତିବା ପରେ ଶୁଭେଚ୍ଛା ଜଣେଇବା ସହ ତାଙ୍କ ଟ୍ୱିଟରେ ଲେଖିଛନ୍ତି କି, “ଭାବିନାବେନ ପଟେଲ ଟୋକିଓ ପାରାଲିମ୍ପିକରେ ମେଡାଲ ଜିତିଥିବାରୁ ଅନେକ ଅନେକ ଶୁଭେଚ୍ଛା | ଗୁଜୁରାଟ ସରକାରଙ୍କ ତରଫରୁ ତାଙ୍କୁ ୩ କୋଟି ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ ।”

Gujarat govt to give Rs 3 cr to Paralympic silver medallist Bhavina Patel

ଉଲ୍ଲେଖଯୋଗ୍ୟ, ସ୍ବର୍ଣ୍ଣ ପଦକ ପ୍ରତିଯୋଗିତାରେ ବିଶ୍ବର ୧ ନମ୍ବର କ୍ରୀଡ଼ିକା ଜୋଉ ୟିଙ୍ଗ୍‌ଙ୍କ ଠାରୁ ପରାସ୍ତ ହୋଇ ୩୪ ବର୍ଷୀୟ ଭାବିନା ମହିଳା ଟେବୁଲ୍‌‌ ଟେନିସ୍‌ ‘ସି-ଫୋର୍‌’ ବର୍ଗରେ ରୌପ୍ୟ ପଦକ ହାସଲ କରିଛନ୍ତି।

ପ୍ରଥମ କରି ପାରାଲିମ୍ପିକ କ୍ରୀଡ଼ାରେ ଅଂଶ ଗ୍ରହଣ କରିଥିବା ଭାବିନାବେନ୍ ପଟେଲ୍‌ ଉତ୍ତମ କ୍ରୀଡ଼ାବିତ ଭାବେ କ୍ରୀଡ଼ା କ୍ଷେତ୍ରରେ ପରିଚିତ। କିନ୍ତୁ, ଆଜିର ଚୂଡ଼ାନ୍ତ ପ୍ରତିଯୋଗିତାରେ ଜୋଉ ୟିଙ୍ଗ୍ ତାଙ୍କ ଉପରେ ଆଧିପତ୍ୟ ଜାହିର୍‌ କରି ୬ଷ୍ଠ ଥର ଲାଗି ପାରାଲିମ୍ପିକ୍ସ୍‌ ସ୍ବର୍ଣ୍ଣ ପଦକ ହାସଲ କରି ନେଇଛନ୍ତି।

ଚୀନ୍‌ର ୟିଙ୍ଗ୍‌ଙ୍କ ଠାରୁ ପଟେଲ୍‌ ୧୯ ମିନିଟ୍‌ରେ ୦-୩ରେ (୭-୧୧, ୫-୧୧, ୬-୧୧) ପରାସ୍ତ ହୋଇଛନ୍ତି। କିନ୍ତୁ, ପାରାଲିମ୍ପିକ୍ସ୍‌ରେ ଉତ୍ତମ କ୍ରୀଡ଼ାନୈପୂଣ୍ୟ ପ୍ରଦର୍ଶନ କରି ଭାବିନା ସମଗ୍ର ବିଶ୍ବର ଦୃଷ୍ଟି ଆକର୍ଷଣ କରିଥିଲେ। ଆଜିର ପ୍ରତିଯୋଗିତାରେ ସେ ଜୋଉଙ୍କ ସହ ଉତ୍ତମ ମୁକାବିଲା କରିଥିଲେ ମଧ୍ୟ ୬ ମିନିଟ୍‌ ପରେ ପ୍ରଥମ୍ ଗେମ୍‌ରେ ସେ ପରାସ୍ତ ହୋଇଥିଲେ। ପରେ ଜୋଉଙ୍କୁ ଟପିଯିବା ତାଙ୍କ ପକ୍ଷରେ ସମ୍ଭବ ହେଲାନାହିଁ। କିନ୍ତୁ, ତାଙ୍କର ଉତ୍କର୍ଷତା ପ୍ରତିପାଦନ ଯୋଗୁଁ ଭାରତ ଗୌରବାନ୍ବିତ ହୋଇଛି।

ସମ୍ବନ୍ଧିତ ଖବର