ଖବରକାଗଜ ସଂସ୍ଥାକୁ ସହଯୋଗର ହାତ ବଢ଼ାଇଲା ଗୁଜରାଟ ସରକାର : ମାର୍ଚ୍ଚ ସୁଦ୍ଧା ସମସ୍ତ ବକେୟା ଦେୟ ପୈଠ କଲା

ମୁଦ୍ରିତ ଗଣମାଧ୍ୟମ ଅଧିକ ବିଶ୍ବସନୀୟ: ମୁଖ୍ୟମନ୍ତ୍ରୀ ଶ୍ରୀ ରୂପାନୀ
ଘଡ଼ିସନ୍ଧି ମୁହୂର୍ତ୍ତରେ ସହଯୋଗକୁ ପ୍ରଶଂସା କଲା ଆଇଏନ୍‌ଏସ୍
କେନ୍ଦ୍ର ଓ ସମସ୍ତ ରାଜ୍ୟ ଅନୁରୂପ ପଦକ୍ଷେପ ନେବାକୁ ଦାବି ଜଣାଇଲା

ମୁମ୍ବାଇ/ନୂଆଦିଲ୍ଲୀ : ‌କୋଭିଡ୍‌-୧୯ ଜନିତ ଲକ୍‌ଡଉନ୍‌ ଯୋଗୁ ଖବରକାଗଜ ଶିଳ୍ପ ଆର୍ଥିକ ସଙ୍କଟ ମଧ୍ୟ ଦେଇ ଗତି କରୁଛି। ଏଥି ଯୋଗୁ ସାରାଦେଶରେ କ୍ଷତିର ପରିମାଣ ୨୦୦୦ କୋଟି ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି। ଏପରି ଏକ ସଙ୍କଟ ସମୟରେ ସହଯୋଗର ହାତ ବଢ଼ାଇଛନ୍ତି ଗୁଜରାଟ ସରକାର। ଚଳିତବର୍ଷ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ମୁଦ୍ରିତ ଗଣମାଧ୍ୟମ ପାଇବାକୁ ଥିବା ସମସ୍ତ ଦେୟକୁ ପୈଠ କରିଛନ୍ତି। ଏହି ପଦକ୍ଷେପ ପାଇଁ ‘ଇଣ୍ଡିଆନ୍‌ ନ୍ୟୁଜ୍‌ପେପର୍‌ ସୋସାଇଟି’ (ଆଇଏନ୍‌ଏସ୍‌)ର ସଭାପତି ଶୈଳେଶ ଗୁପ୍ତା ସମସ୍ତ ସଦସ୍ୟଙ୍କ ପକ୍ଷରୁ ଗୁଜରାଟର ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କୁ ପ୍ରଶଂସା କରିବା ସହିତ କୃତଜ୍ଞତା ଜଣାଇଛନ୍ତି।

ମୁଖ୍ୟମନ୍ତ୍ରୀ ଶ୍ରୀ ରୂପାନୀ ଆହୁରି ମଧ୍ୟ ଏପ୍ରିଲ ସୁଦ୍ଧା ପ୍ରକାଶିତ ସମସ୍ତ ବିଜ୍ଞାପନ ବାବଦ ବକେୟା ଦେୟ ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ମୁଦ୍ରିତ ଗଣମାଧ୍ୟମ ବା ଖବରକାଗଜ ସଂସ୍ଥାକୁ ଉଚ୍ଚପ୍ରଶଂସା କରି ମୁଖ୍ୟମନ୍ତ୍ରୀ ଶ୍ରୀ ରୂପାନୀ କହିଛନ୍ତି ଯେ, ସମ୍ବାଦପତ୍ର ହିଁ ସବୁଠୁ ସତ୍ୟ, ସଠିକ୍‌ ଓ ବିଶ୍ବସନୀୟ ସୂଚନା ସମ୍ବଳିତ ଖବର ପରି‌ବେଷଣ କରିଥାଏ। ବର୍ତ୍ତମାନର ପରିସ୍ଥିତିରେ ଲୋକମାନଙ୍କୁ ଫେକ୍‌ ବା ବିଭ୍ରାନ୍ତମୂଳକ ଖବରଠାରୁ ଦୂରେଇ ରଖିବା ସହ ଏକ ସଠିକ୍‌ ଚିତ୍ରର ଆବଶ୍ୟକତା ରହିଛି। ତେଣୁ, ଏହିଭଳି ଏକ ଦାୟିତ୍ବ ନିଭାଉଥିବା ଖବରକାଗଜଗୁଡ଼ିକୁ ସେମାନଙ୍କ ପ୍ରତିକୂଳ ପରିସ୍ଥିତିରେ ସହଯୋଗର ହାତ ବଢ଼ାଇବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ଶ୍ରୀ ରୂପାନୀ କହିଛନ୍ତି।

ଗୁଜରାଟ ସରକାରଙ୍କ ଏହି ନିଷ୍ପତ୍ତି ମୁଦ୍ରିତ ଗଣମାଧ୍ୟମ ପାଇଁ ନିଃଶ୍ବାସ ନେବା ସଦୃଶ ହୋଇଛି, ଯିଏକି ମାର୍ଚ୍ଚ ଓ ଏପ୍ରିଲ ଦୁଇ ମାସ ମଧ୍ୟରେ ୪,୫୦୦ କୋଟି ଟଙ୍କାର କ୍ଷତି ସହିଛନ୍ତି ଏବଂ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଖବରକାଗଜ ଶିଳ୍ପ ସହିତ ଜଡ଼ିତ ୩୦ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି।

ଅନ୍ୟପକ୍ଷରେ, ଗଣମାଧ୍ୟମ ବିଶେଷଜ୍ଞମାନେ ବିଜେପି ଶାସିତ ଏକ ରାଜ୍ୟର ସରକାରଙ୍କ ପଦକ୍ଷେପ ଏକ ସକାରାତ୍ମକ ସଙ୍କେତ ବୋଲି କହିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମେ‌ାଦୀ ମଧ୍ୟ ଅନୁରୂପ ଭାବେ ପଦକ୍ଷେପ ଗ୍ରହଣ କରିବେ ବୋଲି ଆଶା ପୋଷଣ କରିଛନ୍ତି।

ସୂଚନା ଅନୁସାରେ, କେନ୍ଦ୍ର ସରକାର ଏବଂ ଏହାର ବିଭିନ୍ନ ବିଭାଗ ଉପରେ ଭାରତୀୟ ଗଣମାଧ୍ୟମ ଶିଳ୍ପର ୧୫୦୦ରୁ ୧୮୦୦ କୋଟି ମଧ୍ୟରେ ବାକି ରହିଛି। ସେଥିରୁ ମୁଦ୍ରିତ ଗଣମାଧ୍ୟମର ପ୍ରାପ୍ୟ ହେଉଛି ୮୦୦ କୋଟି। ନିକଟରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡକର ଇଣ୍ଡିଆନ୍‌ ବ୍ରଡକାଷ୍ଟିଂ ଫାଉଣ୍ଡେସନ୍‌ (ଆଇବିଏଫ୍‌)ର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳକୁ କହିଥିଲେ ଯେ, ‘ସରକାର ଅର୍ଥପ୍ରଦାନ ପ୍ରକ୍ରିୟାକୁ ତ୍ବରାନ୍ବିତ କରୁଛନ୍ତି ଏବଂ ଇତିମଧ୍ୟମରେ ବିଭିନ୍ନ ଗଣମାଧ୍ୟମ ସଂସ୍ଥାକୁ ୧୩୫ କୋଟି ଟଙ୍କା ପ୍ରଦାନ କରାଯାଇଛି।’ ଯଦି ବକେୟା ଅର୍ଥ ପ୍ରଦାନ କରାଯାଏ ଏହି ଘଡ଼ିସନ୍ଧି ସମୟରେ ଖବରକାଗଜ ସଂସ୍ଥା ପାଇଁ ଜୀବନଦାନ ସଦୃଶ ହେବ ବୋଲି ବିଶେଷଜ୍ଞ ତଥା ଗଣମାଧ୍ୟମ ସଂସ୍ଥାଗୁଡ଼ିକ ପକ୍ଷରୁ କୁହାଯାଇଛି।

ଏଥିସହିତ, ଆଇଏନ୍‌ଏସ୍‌ ପକ୍ଷରୁ ପ୍ରତିକ୍ରିୟାରେ କୁହାଯାଇଛି ଯେ, ଆଗାମୀ ୬ରୁ ୭ ସପ୍ତାହ ପର୍ଯ୍ୟନ୍ତ ଯଦି ଏହି ହାରରେ ପରିସ୍ଥିତି ଲାଗୁରହେ, ତା’ହେଲେ ଖବରକାଗଜ ଶିଳ୍ପକୁ ଅତିରିକ୍ତ ଭାବେ ୧୨,୦୦୦ରୁ ୧୫,୦୦୦ କୋଟି ଟଙ୍କା କ୍ଷତି ସହିବାକୁ ପଡ଼ିବ। ଏହାକୁ ଦୃଷ୍ଟିରେ ରଖି ପ୍ରୋତ୍ସାହନ ପ୍ୟାକେଜ୍‌ ଘୋଷଣା ସହିତ ଏପ୍ରିଲ,୨୦୨୦ ସୁଦ୍ଧା‌ ମୁଦ୍ରିତ ଗଣମାଧ୍ୟମ/ବିଜ୍ଞାପନ ସଂସ୍ଥା ପାଇବାକୁ ଥିବା ବିଜ୍ଞାପନ ବାବଦ ଦେୟକୁ ତୁରନ୍ତ ପ୍ରଦାପନ କରିବା ପାଇଁ କେନ୍ଦ୍ର ସରକାର ଏବଂ ସମସ୍ତ ରାଜ୍ୟ ସରକାର, ସରକାରୀ ଉଦ୍ୟୋଗମାନଙ୍କୁ ଅନୁରୋଧ କରାଯାଇଥିବା ଆଇଏନ୍‌ଏସ୍‌ର ସଭାପତି ଶୈଳେଶ ଗୁପ୍ତା ସୂଚନା ଦେଇଛନ୍ତି। ତେବେ, ଅନ୍ୟ ସମସ୍ତ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରାଯାଇଛି।

ସମ୍ବନ୍ଧିତ ଖବର