ଗୁଜରାଟରେ ହାଇ ଆଲର୍ଟ:ପୁଲୱାମା ପରି ଆକ୍ରମଣ ଆଶଙ୍କା

ଦିଲ୍ଲୀରୁ ରାଷ୍ଟ୍ରଦୂତଙ୍କୁ ଡକେଇନେଲା ପାକିସ୍ତାନ

ନୂଆଦିଲ୍ଲୀ: ପୁଲୱାମା ଆତ୍ମଘାତୀ ଆକ୍ରମଣ ପରେ ଭାରତ ଏବେ ଆତଙ୍କବାଦୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ରଣନୀତି ପ୍ରସ୍ତୁତ କରୁଥିବା‌ ବେଳେ ଆତଙ୍କବାଦୀମାନେ କିନ୍ତୁ ଆଦୌ ଚୁପ୍‌ ବସିନାହାନ୍ତି। ଭାରତର ଗୁରୁତ୍ବପୂର୍ଣ୍ଣ ରାଜ୍ୟଗୁଡ଼ିକ ଏବେ ଆତଙ୍କବ‌ାଦୀଙ୍କ ନିଶାଣରେ ରହିଥିବା ଗୁଇନ୍ଦା ସୁତ୍ରରୁ ଖବର ମିଳିଛି। ସେଥି ମଧ୍ୟରୁ ଗୁଜରାଟରେ ମଧ୍ୟ ପୁଲୱାମା ପରି ଆତ୍ମଘାତୀ ଆକ୍ରମଣ ଘଟିବାର ଆଶଙ୍କା ପ୍ରକାଶ ପାଇଛି। ତଦନୁଯାୟୀ, ଗୁଜରାଟ ପୁଲିସ ପକ୍ଷରୁ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଗୁଜରାଟର ପ୍ରମୁଖ ରେଳ ଷ୍ଟେସନ୍‌, ଉପକୂଳବର୍ତ୍ତୀ ସୀମା ଏବଂ ଷ୍ଟାଚ୍ୟୁ ଅଫ୍‌ ୟୁନିଟି ଅଞ୍ଚଳରେ ସୁରକ୍ଷା ବଢ଼ାଇ ଦିଆଯାଇଛି। ସେପଟେ ଗୁଜରାଟ ଉପକୂଳରେ ହାଇ ଆଲର୍ଟ ଜାରି ହୋଇଛି। ରାଜ୍ୟର ୧୬୦୦ କିମି ଦୀର୍ଘ ସମୁଦ୍ର ତଟ ପାକିସ୍ତାନ ଉରପକୂଳର ନିକଟବର୍ତ୍ତୀ ହୋଇଥିବାରୁ ୧୯୯୩ ଏବଂ ୨୦୦୮ରେ ମୁମ୍ବାଇ ଆକ୍ରମଣ ପରି ଆତଙ୍କବାଦୀମାନେ ଏହି ସମାନ ରାସ୍ତାର ବ୍ୟବହାର କରିବାର ଆଶଙ୍କା ଥିବାରୁ ଉପକୂଳ ସୁରକ୍ଷାକୁ କଡ଼ା କରାଯାଇଛି।
ଏଠାରେ ଉଲ୍ଲେଖଯୋଗ୍ୟ, ପୁଲ୍‌ୱାମା ଆକ୍ରମଣ ପରେ ଦେଶର ୯ଟି ଉପକୂଳ ରାଜ୍ୟ ଏବଂ ୪ଟି କେନ୍ଦ୍ରଶାସିତ ଅଞ୍ଚଳରେ କଡ଼ା ସତର୍କ ଜାରି ହୋଇଛି। ସେହିପରି ୨୨ଟି ସାମୁଦ୍ରିକ ଥାନା ଏବଂ ୭୧ଟି ଉପକୂଳ ତନଖି କେନ୍ଦ୍ର ସମେତ ସ୍ବତନ୍ତ୍ର ଫାଣ୍ଡିଗୁଡ଼ିକରେ ହାଇ ଆଲର୍ଟ ଜାରି ହୋଇଥିବା ଜଣାପଡ଼ିଛି। ଗତ ୧୪ ତାରିଖ ପୁଲ୍‌ୱାମା ଆତ୍ମଘାତୀ ଆକ୍ରମଣ ହେବାର ଠିକ୍‌ ଦିନକ ପରେ ଦିଲ୍ଳୀ ପୁଲିସକୁ ମଧ୍ୟ ସମାନ ପ୍ରକାର ଆକ୍ରମଣ ସମ୍ପର୍କରେ ସୂଚନା ମିଳିଥିଲା। ସେହି ଦୃଷ୍ଟିରୁ ଦେଶର ପ୍ରମୁଖ ସହରଗୁଡ଼ିକରେ ମଧ୍ୟ ସୁରକ୍ଷା ବଢ଼ାଇ ଦିଆଯାଇଛି।

ନୂଆଦିଲ୍ଲୀ : ପୁଲ୍‌ୱାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତ-ପାକିସ୍ତାନ ମଧ୍ୟରେ ସମ୍ପର୍କ ତିକ୍ତତର ହେଉଥିବା ବେଳେ ସୋମବାର ପାକିସ୍ତାର ନୂଆଦିଲ୍ଲୀ ସ୍ଥିତ ଏହାର ହାଇକମିସନର ସୋହେଲ ମେହମୁଦଙ୍କୁ ଇସଲାମାବାଦ ଡକେଇ ନେଇଛି। ସୂଚନା ଥାଉ କି, ପୁଲଵାମା ଆକ୍ରମଣ ପରଦିନ ଏହି ଘଟଣା ପାଇଁ ପାକିସ୍ତାନକୁ ଦାୟୀ କରି ଏ ବାବଦରେ ବିବୃତି ରଖିବାକୁ ଭାରତୀୟ ବୈଦେଶିକ ସଚିବ ବିଜୟ ଗୋଖଲେ ପାକିସ୍ତାନ ହାଇକମିସନର ମେହମୁଦଙ୍କୁ ସମନ୍ କରିଥିଲେ। ପ୍ରତିକ୍ରିୟା ସ୍ବରୂପ ସେହିଦିନ ଅପରାହ୍ଣରେ ପାକିସ୍ତାନ ମଧ୍ୟ ସେଠାରେ ଅବସ୍ଥାପିତ ଭାରତୀୟ ଡେପୁଟି ହାଇକମିସନରଙ୍କୁ ସମନ୍ ଜାରି କରିଥିଲା। ପରେ ଭାରତୀୟ ହାଇକମିସନର ଅଜୟ ବିସାରିଆଙ୍କୁ ଏ ପ୍ରସଙ୍ଗରେ ଆଲୋଚନା ପାଇଁ ଭାରତ ସରକାର ସ୍ବଦେଶ ଡକାଇ ଆଣିଥିବା ବେଳେ ପାକିସ୍ତାନ ମଧ୍ୟ ଅନୁରୂପ ପ୍ରତିକ୍ରିୟା ରଖିଥିବା କହିଛି।

ସମ୍ବନ୍ଧିତ ଖବର