ମାସ୍କ ନ ପିନ୍ଧିଲେ କୋଭିଡ ସେଣ୍ଟରରେ କାମ କରିବାକୁ ପଠାଇଦିଅ: ହାଇକୋର୍ଟ

ଅହମ୍ମଦାବାଦ: ପୁଣି କରୋନା ସଂକ୍ରମଣ ବଢ଼ୁଥିବାରୁ ଗୁଜୁରାଟ ହାଇକୋର୍ଟ ଆଜି ରାଜ୍ୟ ସରକାରଙ୍କୁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁମାନେ ମାସ୍କ ପିନ୍ଧୁନାହାନ୍ତି, ସେମାନଙ୍କଠାରୁ ଜରିମାନା ଆଦାୟ କରିବାକୁ ହାଇକୋର୍ଟ କହିଛନ୍ତି | ଏହା ସହ ଜରିମାନା ଆଦାୟ ପରେ ମଧ୍ୟ ଯଦି ସେହି ବ୍ୟକ୍ତି ମାସ୍କ ପିନ୍ଧୁନାହାନ୍ତି, ତେବେ କୋଭିଡ ସେଣ୍ଟରରେ କାମ କରିବାକୁ ସେମାନଙ୍କୁ ପଠାଇବାକୁ କୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି | କୋର୍ଟ କହିଛନ୍ତି ଯେ ଯିଏ ବିନା ମାସ୍କରେ ବୁଲୁଛନ୍ତି, ସେମାନଙ୍କୁ କୋଭିଡ କମ୍ୟୁନିଟି ସେଣ୍ଟରର ଅଣ ଚିକିତ୍ସା ବିଭାଗରେ ୧୦-୧୫ ଦିନ କାମ କରିବାର ଦାୟିତ୍ୱ ଦିଆଯିବା ଉଚିତ।

ହାଇକୋର୍ଟ କହିଛନ୍ତି ଯେ ଯଦି ଲୋକମାନେ କୋଭିଡ କମ୍ୟୁନିଟି ସେଣ୍ଟରକୁ ଯିବେ, ତେବେ ସେମାନେ ସତର୍କ ରହିବେ ଏବଂ ଦିନସାରା ମାସ୍କ ପିନ୍ଧିବେ। ମିଳିଥିବା ସୂଚନା ମୁତାବକ ଗୁଜୁରାଟ ହାଇକୋର୍ଟରେ ମାସ୍କ ପିନ୍ଧିବାକୁ ନେଇ ଏକ ପିଟିସନ ଦାଖଲ କରାଯାଇଥିଲା। ଏଥିରେ ଆବେଦନକାରୀ କହିଥିଲେ ଯେ ଅହମ୍ମଦାବାଦ, ରାଜକୋଟ ଓ ସୁରଟରେ ଲୋକମାନେ ମାସ୍କ ପିନ୍ଧୁନଥିବାରୁ ଜରିମାନା ପରିମାଣ ୨୦୦୦ ଟଙ୍କାକୁ ବୃଦ୍ଧି କରାଯାଉ।

ସେହିପରି ରାଜ୍ୟର ଅନ୍ୟ ସ୍ଥାନରେ ଜରିମାନା ପରିମାଣ ୧୦୦୦ ଟଙ୍କା ରଖାଯାଉ | ତେବେ କୋର୍ଟ ଜରିମାନା ବୃଦ୍ଧି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିଥିବାବେଳେ ଯିଏ ମାସ୍କ ପିନ୍ଧୁନାହାନ୍ତି ସେମାନଙ୍କୁ କୋଭିଡ ସେଣ୍ଟରରେ ସେବା କରିବାକୁ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ |

ସମ୍ବନ୍ଧିତ ଖବର