ଗୁଜରାଟ ପୌର ନିର୍ବାଚନ:୭୫ରୁ ୪୭ ନଗରପାଳିକାରେ ବିଜେପି

କଂଗ୍ରେସର ଆସନ ବଢ଼ିଛି

ଗାନ୍ଧୀନଗର : ଗୁଜରାଟ ପୌର ନିର୍ବାଚନ-୨୦୧୮ର ଫଳାଫଳ ଆଜି ପ୍ରକାଶ ପାଇଛି। ଏଥର ମଧ୍ୟ ବିଜେପି ପୂର୍ବଥର ପରି ସମାନ ସଂଖ୍ୟକ ନଗରପାଳିକା ଜିତି ବାଜି ମାରିନେଇଛି। ଅପରପକ୍ଷେ, କଂଗ୍ରେସ ନିଜ ସ୍ଥିତିରେ ଉନ୍ନତି ଆଣିଥିବା ଜଣାଯାଇଛି। ଗତ ୧୭ ତାରିଖରେ ହୋଇଥିବା ପୌର ନିର୍ବାଚନରେ ବିଜେପି ମୋଟ ୭୫ଟିରୁ ୪୭ଟି ନଗରପାଳିକାରେ କ୍ଷମତା ଅକ୍ତିକାର କରିଥିବା ବେଳେ କଂଗ୍ରେସ ଭାଗ୍ୟରେ ୧୬ଟି ନଗରପାଳିକା ପଡ଼ିଛି। ୨୦୧୩ ପୌର ନିର୍ବାଚନରେ ୮ଟି ନଗରପାଳିକାରେ କ୍ଷମତାରେ ଥିବା କଂଗ୍ରେସ ଏଥର ଅଧିକ ୮ଟି ନଗରପାଳିକା ଦଖଲ କରିଛି। ସେହିପରି ଏନ୍‌ସିପି ଏବଂ ବିଏସ୍‌ପି ଗୋଟିଏ ଗୋଟିଏ ନଗରପାଳିକା ହାତେଇ ଥିବା ବେଳେ ୬ଟି ନଗରପାଳିକାରେ କୌଣସି ସ୍ପଷ୍ଟ ଜନାଦେଶ ମିଳିନାହିଁ। ଅପରପକ୍ଷେ, ୪ଟି ନଗରପାଳିକାରେ ସ୍ୱାଧୀନ ପ୍ରାର୍ଥୀମାନେ ଆଗରେ ଅଛନ୍ତି। ତେବେ ବିଜେପି ଏଥର ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମସ୍ଥାନ ବଡ଼ନଗର ନଗରପାଳିକାରେ ବିପୁଳ ବିଜୟ ହାସଲ କରିଛି। ଗୁଜରାଟର ମେହସନା ଜିଲ୍ଲାର ବଡ଼ନଗର ନଗରପାଳିକାରେ ବିଜେପି ୨୮ଟିରୁ ୨୭ଟି ଆସନ ପୋଛିନେଇଛି। ସମୁଦାୟ ୨୦୬୦ଟି ଆସନରୁ ବିଜେପି ୧୧୬୭ ଆସନ ଅକ୍ତିଆର କରିନେଇଥିବା ବେଳେ କଂଗ୍ରେସ ୬୩୦ଟି ଆସନ ପାଇଛି। ସେହିପରି ସ୍ୱାଧୀନ ପ୍ରାର୍ଥୀମାନେ ୨୦୨ଟି ଆସନରେ ଜିତିଥିବା ବେଳେ ବିଏସ୍‌ପି ଭାଗରେ ୧୫ଟି,ଏନ୍‌ସିପିକୁ ୨୮ଟି ଏବଂ ଅନ୍ୟାନ୍ୟ ଦଳ ଗୁଡ଼ିକ ୧୮ଟି ଆସନ ପାଇଛନ୍ତି।

ସମ୍ବନ୍ଧିତ ଖବର