ଅହମଦାବାଦ ରଥଯାତ୍ରା ସମୟରେ ଟେଲିଗ୍ରାମ ବଟ୍ ସିଷ୍ଟମର ବ୍ୟବହାର କରିବ ଗୁଜୁରାଟ ପୁଲିସ

ଅହମଦାବାଦ: ଗୁଜୁରାଟର ଅହମଦାବାଦରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ସମୟରେ ଟେଲିଗ୍ରାମ ବଟ୍ ସିଷ୍ଟମର ବ୍ୟବହାର କରିବ ଗୁଜୁରାଟ ପୁଲିସ | ବାସ୍ତବରେ ଅହମଦାବାଦରେ ରଥଯାତ୍ରାକି କିଭଳି ସୁଚାରୁ ରୂପେ ସମ୍ପନ୍ନ କରାଯିବ ସେନେଇ ଏକ ପ୍ରସ୍ତୁତି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି | ମିଳିଥିବା ସୂଚନା ମୁତାବକ ରଥଯାତ୍ରାରେ ନିୟୋଜିତ ହେବାକୁ ଥିବା ହଜାର ହଜାର ପୁଲିସ କର୍ମଚାରୀଙ୍କ ମଧ୍ୟରେ ସମନ୍ୱୟ ବଜାୟ ରଖିବା ପାଇଁ ଗୁଜୁରାଟ ପୁଲିସ ଏହି ଉପାୟ ବାଛିଛି | ଅହମଦାବାଦ କ୍ରାଇମବ୍ରାଞ୍ଚର ଡିସିପି ଚୈତନ୍ୟ ମଣ୍ଡଲିକ କହିଛନ୍ତି, “ଆମର ମୂଳ ଲକ୍ଷ୍ୟ ହେଉଛି ଏମିତି ଏକ ଯୋଗାଯୋଗ ନେଟୱାର୍କ ସ୍ଥାପନ କରିବୁ, ଯାହାଦ୍ୱାରା ପୁଲିସ କର୍ମୀଙ୍କ ସହ ରଥଯାତ୍ରାରେ ନିୟୋଜିତ ସମସ୍ତ କର୍ମଚାରୀଙ୍କ ସହ ସମ୍ପର୍କ ରଖିପାରିବୁ | ଏହାଦ୍ୱାରା ଶ୍ରଦ୍ଧାଳୁଙ୍କୁ ସର୍ବୋତ୍ତମ ସୁରକ୍ଷା ଯୋଗାଇ ଦିଆଯାଇପାରିବ | ଉଲ୍ଲେଖ ଥାଉ କି ବୈଠକରେ ହୋଇଥିବା ନିଷ୍ପତ୍ତି ମୁତାବକ ଅହମଦାବାଦ ରଥଯାତ୍ରା ସମୟରେ ପ୍ରାୟ ୪୦୦୦ ପୁଲିସ୍ କର୍ମଚାରୀ ନିୟୋଜିତ ହେବେ। ଆଉ ପୁଲିସ କର୍ମୀଙ୍କ ମଧ୍ୟରେ ଯେଭଳି ସମନ୍ୱୟ ରଖିବାରେ କୌଣସି ଅସୁବିଧା ନ ହେବ ଓ ନିରନ୍ତର ଯୋଗାଯୋଗ ରଖିହେବ ସେଥିପାଇଁ ଟେଲିଗ୍ରାମ ବଟ୍ ସିଷ୍ଟମ ବ୍ୟବହାର କରାଯିବ |

ଟେଲିଗ୍ରାମ ବଟ୍ ସିଷ୍ଟମକୁ କିଭଳି କାର୍ଯ୍ୟକାରୀ କରାଯିବ?
ମିଳିଥିବା ସୂଚନା ମୁତାବକ ଏହି ସିଷ୍ଟମ ମାଧ୍ୟମରେ ପୁଲିସ୍ କର୍ମଚାରୀମାନଙ୍କର ଉପସ୍ଥାନ ରେକର୍ଡ କରାଯାଏ ଏବଂ ସେମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଥାଏ, ଯେଉଁଥିରେ ସେମାନଙ୍କର ସର୍ବଶେଷ ଫଟୋଗ୍ରାଫ୍ ଥାଏ | ସିଷ୍ଟମରେ ଅପଲୋଡ୍ ହୋଇଥିବା ସୂଚନା ଆଧାରରେ ଏହି ଆଇଡି କାର୍ଡଗୁଡ଼ିକ ସୃଷ୍ଟି ହୋଇଥାଏ | ଏଥିସହ, ପ୍ରତ୍ୟେକ କର୍ମଚାରୀ କିମ୍ବା ଅଧିକାରୀଙ୍କୁ କ୍ୟୁଆର କୋଡ୍ ମଧ୍ୟ ଦିଆଯାଏ, ଯାହାଫଳରେ ବରିଷ୍ଠ ଅଧିକାରୀ କିମ୍ବା ଅନ୍ୟ କର୍ମଚାରୀ ସେମାନଙ୍କୁ ସ୍କାନ୍ କରିପାରିବେ ଏବଂ ସେମାନଙ୍କର ସମ୍ପୂର୍ଣ୍ଣ ବିବରଣୀ ପାଇପାରିବେ |

ସମ୍ବନ୍ଧିତ ଖବର