ନୂଆଦିଲ୍ଲୀ: ଗୁଜରାଟର ମୋର୍ବି ଜିଲ୍ଲାରେ ରବିବାର ସନ୍ଧ୍ୟାରେ ମାଛୁ ନଦୀ ଉପରେ ଥିବା ଝୁଲା ପୋଲ ଭୁଶୁଡ଼ି ଯାଇଛି। ତେବେ ରାତି ସାଢ଼େ ୧୧ଟା ସୁଦ୍ଧା ମୃତ୍ୟୁ ସଂଖ୍ୟା ୭୭ରେ ପହଞ୍ଚିଛି। ଏହି ବ୍ରିଜଟି ୫ ଦିନ ତଳେ ପୁନଃ ମରାମତି କରାଯାଇଥିଲା। ଏକାଥରକେ ବହୁ ଲୋକ ଏହି ଝୁଲାପୋଲ ଉପରକୁ ଚାଲିଯିବାରୁ ଏଭଳି ଅଘଟଣ ଘଟିଥିବା ଗୁଜରାଟ ଗୃହ ମନ୍ତ୍ରୀ ହର୍ଷ ସାଙ୍ଗଭି କହିଛନ୍ତି। ୭୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ବୋଲି ସ୍ଥାନୀୟ ଅଧିକାରୀମାନେ ପ୍ରକାଶ କରିଛନ୍ତି। ତେବେ ମୃତ ଓ ଗୁରୁତରଙ୍କ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି। ଏହି ପରିପ୍ରେକ୍ଷୀରେ ମୃତକଙ୍କ ପରିବାରକୁ ରାଜ୍ୟ ସରକାର ୪ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ସେହିଭଳି ଗୁରୁତରଙ୍କୁ ୫୦ ହଜାର ଟଙ୍କା ସହାୟତା ପ୍ରଦାନ ପାଇଁ ଘୋଷଣା କରାଯାଇଛି। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘଟଣାରେ ଦୁଃଖ ପ୍ରକାଶ କରି ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି।

Advertisment

publive-image indiatoday

ସୂଚନାଯୋଗ୍ୟ ଯେ, ଉକ୍ତ ଝୁଲାପୋଲରେ ସନ୍ଧ୍ୟାରେ ଅନେକ ଲୋକ ଯାତାୟାତ କରୁଥିଲେ। ତେବେ ଏକାଥରକେ ବହୁ ଲୋକ ବ୍ରିଜ ଉପରକୁ ଚାଲିଆସିବାରୁ ସମ୍ଭାଳି ନପାରି ହଠାତ୍‌ ବ୍ରିଜଟି ଭୁଶୁଡି ପଡ଼ିବା ଦ୍ବାରା ଅନେକ ଲୋକ ନଦୀ ଭିତରକୁ ଖସି ପଡ଼ିଥିଲେ। ଏହା ଜଣାପଡ଼ିବା ପରେ ପ୍ରଶାସନ ପକ୍ଷରୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଭାରତୀୟ ବାୟୁସେନାର ଦୁଇଟି ହେଲିକପ୍ଟର ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି। ଏଥି ସହିତ ଏନଡିଆରଏଫ ଟିମ ବି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ଗାନ୍ଧୀ ନଗର ଓ ବୋରାଦାରୁ ଆଉ ୩ ଏନଡିଆରଏଫ ଟିମକୁ ଉକ୍ତ ଅଞ୍ଚଳକୁ ପଠାଯାଇଥିବା ଏନଡିଆରଏଫ ଡିଜି ଅତୁଲ କରୱାଲ କହିଛନ୍ତି। ନଦୀ ଭିତରେ ଅନେକ ଲୋକ ଫସି ରହିଥିବା ଅନୁମାନ କରାଯାଉଛି। ସ୍ଥାନୀୟ ଅଞ୍ଚଳର ଲୋକମାନେ ମଧ୍ୟ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ଅଞ୍ଚଳ ଏକରକମ ଲୋକାରଣ୍ୟ ହୋଇପଡିଛି। ଉକ୍ତ ଘଟଣାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଃଖ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେଠାକାର ମୁଖ୍ୟମନ୍ତ୍ରୀ ଭୁପିନ୍ଦର ପଟେଲଙ୍କୁ ପରିସ୍ଥିତି ଉପରେ ନଜର ରଖିବା ସହିତ ସହଯୋଗ କରିବାକୁ ପରାମର୍ଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟେଲଙ୍କ ସମେତ ଅନ୍ୟାନ୍ୟ ମନ୍ତ୍ରୀ ଓ ଅଧିକାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ରହି ଘଟଣାର ତଦାରଖ କରୁଛନ୍ତି।

publive-image indiatoday

କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଟୁଇଟ କରି ଜଣାଇଛନ୍ତି ଯେ, ସେଠାକାର ଗୃହ ମନ୍ତ୍ରୀ ଓ ରାଜ୍ୟସ୍ତରୀୟ ଅଧିକାରୀମାନଙ୍କ ସହିତ ଏ ସଂକ୍ରାନ୍ତରେ ଆଲୋଚନା କରାଯାଇଛି। ଏନଡିଆରଏଫ ଟିମକୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟେଲ ଟୁଇଟ କରି ଜଣାଇଛନ୍ତି ଯେ, ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରାଯାଇ ଏସଡିଆରଏଫ ଟିମକୁ ଘଟଣାସ୍ଥଳକୁ ପଠାଯାଇଛି। ଏହି ଘଟଣାରେ ଆମ ଆଦମି ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଦୁଃଖ ପ୍ରକାଶ କରିବା ସହିତ ମୃତବ୍ୟକ୍ତିଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି।