ତୃତୀୟ ଲହର ନେଇ ମତ ସ୍ପଷ୍ଟ କଲେ ଗୁଲେରିଆ: କଟକଣା ହଟାଇନେଲେ ଦ୍ବିତୀୟ ଲହରକୁ ଟପିଯିବ

ନୂଆଦିଲ୍ଲୀ : ଦେଶରେ କରୋନାର ସମ୍ଭାବ୍ୟ ତୃତୀୟ ଲହରର ରୂପରେଖ କିଭଳି ରହିବ ତାହା ଉପରେ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ‌ସଂସ୍ଥାନ-ନୂଆଦିଲ୍ଲୀର ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ ମତ ସ୍ପଷ୍ଟ କରିଛନ୍ତି। କେଉଁ ପରିସ୍ଥିତିରେ ମହାମାରୀର ତୃତୀୟ ଲହର କିଭଳି ଆକାର ଧାରଣ କରିବ ସେ ଉପରେ ଭିନ୍ନ ଭିନ୍ନ ସମ୍ଭାବନା ରହିଥିବା ସେ କହିଛନ୍ତି। ସେ କହିଛନ୍ତି ଯଦି ତୃତୀୟ ଲହର ଆସେ ତାହେଲେ ତାହା ଏକାଧିକ ରୂପ ନେଇପାରେ। ଯଦି ସମସ୍ତ ପ୍ରକାର କଟକଣାକୁ ଉଠାଇ ନିଆଯାଏ ଏବଂ ଭୂତାଣୁର ଗୋଟିଏ ପ୍ରଜାତି ପ୍ରତିରୋଧକତାକୁ ଭେଦ କରିପାରେ ତାହେଲେ ତୃତୀୟ ଲହର ଦ୍ବିତୀୟ ଲହରଠାରୁ ବଡ଼ ହେବ।

ଆଇଆଇଟିର ଗାଣିତିକ ମଡେଲ ମଧ୍ୟ ଏ ପ୍ରକାରର ଆକଳନ କରିଥିବା ସେ କହିଛନ୍ତି। କଟକଣା ଏବଂ ଅନଲକ୍ ପ୍ରକ୍ରିୟା ମଧ୍ୟରେ ଯଦି ସନ୍ତୁଳନ ରହେ ଅର୍ଥାତ କିଛି କଟକଣା ଜାରି ରହିଥିବାବେଳେ ଆଉ କିଛିକୁ ଖୋଲାଯାଏ ତାହେଲେ ତୃତୀୟ ଲହର ଦ୍ବିତୀୟ ଲହର ତୁଳନାରେ ବଡ଼ ହେବ ନାହିଁ। ତେବେ ଏଥିପାଇଁ ଭୂତାଣୁ ମଧ୍ୟ ରୂପ ନବଦଳାଇ ସ୍ଥିର ରହିବା ଆବଶ୍ୟକ ବୋଲି ଡାକ୍ତର ଗୁଲେରିଆ କହିଛନ୍ତି। ଯଦି କଟକଣାକୁ ଅଧିକ କଡ଼ାକଡ଼ି କରି ରଖାଯାଏ ତାହେଲେ ତୃତୀୟ ଲହରରେ ମାମଲା ସଂଖ୍ୟା ଆହୁରି କମ୍‌ ରହିବ।

ତିନିଟି କାରଣ ପାଇଁ ତୃତୀୟ ଲହର ଅଧିକ ପ୍ରଭାବଶାଳୀ ହୋଇପାରେ। ସେଗୁଡ଼ିକ ମଧ୍ୟରୁ ପ୍ରଥମଟି ହେଲା ‌ଲୋକଙ୍କ ପ୍ରତିରୋଧକତା କମ୍‌ ରହିବା, ଦ୍ବିତୀୟଟି ହେଲା ଅଧିକ ସଂକ୍ରମଣଶୀଳ ନୂଆ ପ୍ରଜାତିର କରୋନା ଭୂତାଣୁ ବାହାରିବା ଏବଂ ତୃତୀୟଟି ହେଲା ଲକଡାଉନ୍ କୋହଳ। ପ୍ରତିରୋଧକତା କମ୍ ରହୁଥିବା କ୍ଷେତ୍ରରେ ଯେଉଁ ବ୍ୟକ୍ତିମାନେ ପୂର୍ବରୁ କରୋନା ଭୂତାଣୁ ସଂସ୍ପର୍ଶରେ ଆସିଛନ୍ତି ସେମାନେ ଯଦି ଟିକା ନେଇନଥାନ୍ତି ତା’ହେଲେ ସେମାନେ ପୁନର୍ବାର ସଂକ୍ରମିତ ହେବାର ଆଶଙ୍କା ରହିଛି।

ଅନ୍ୟ ଦେଶରେ ତୃତୀୟ ଲହରରୁ ଜଣାଯାଇଛି ସେଠାରେ ଟିକା କାମ କରୁଛି। ହସ୍ପିଟାଲରେ ରୋଗୀ ଭର୍ତ୍ତି ହେବା ହ୍ରାସ ପାଇଛି। ଯଦି ନୂଆ ପ୍ରଜାତିର ଭୂତାଣୁ ଆସେ ତା’ହେଲେ ବିସ୍ତୃତ ଅନୁଧ୍ୟାନ ପରେ ଟିକାକୁ ମଧ୍ୟ ନୂଆ ରୂପ ଦିଆଯାଇପାରେ ବୋଲି ଡାକ୍ତର ଗୁଲେରିଆ କହିଛନ୍ତି।

ଦେଶରେ କ୍ରମାଗତଭାବେ କରୋନା ସଂକ୍ରମଣ ମୋଟାମୋଟି ହ୍ରାସ ପାଉଛି। କିନ୍ତୁ କିଛି କିଛି ସ୍ଥାନ ଯଥା ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଓ କେରଳରେ ଏହା ବଢ଼ୁଛି। ମହାରାଷ୍ଟ୍ରରେ ଏହା ଗୋଟିଏ ସ୍ତରରେ ଅପରିବର୍ତ୍ତିତ ରହିଛି। ଏହା ତୃତୀୟ ଲହର କି ନୁହେଁ ସେ ନେଇ ବିଚାର ବିମର୍ଶ ଜାରି ରହିଥିବାବେଳେ ସରକାର ଲୋକଙ୍କୁ ଭିଡ଼ ନକରିବା ପାଇଁ ପରାମର୍ଶ ଦେଉଛନ୍ତି।

ସମ୍ବନ୍ଧିତ ଖବର