ଏଚ୍‌୩ଏନ୍‌୨କୁ ‌‌ନେଇ ସତର୍କ କଲେ ଗୁଲେରିଆ

ନାଗପୁର: ଏଚ୍‌୩ଏନ୍‌୨ ଇନଫ୍ଲୁଏଞ୍ଜା ଭାଇରସ୍‌କୁ ନେଇ ପଦ୍ମଶ୍ରୀ ଡାକ୍ତର ରଣଦୀପ ଗୁଲେରିଆ ସତର୍କ କରାଇଛନ୍ତି। ଜାତୀୟ କୋଭିଡ ଟାସ୍କ ଫୋର୍ସର ନେତୃତ୍ବ ନେଇଥିବା ଗୁଲେରିଆ କହିଛନ୍ତି, ଏଚ୍‌୩ଏନ୍‌୨ ସଂକ୍ରମଣ ବଢ଼ୁଥିବାରୁ ଲୋକମାନେ ଫେସ୍‌ ମାସ୍କ ପିନ୍ଧିବାର ଆବଶ୍ୟକତା ରହିଛି। ଏଥିସହ ହାତ ସଫା ରଖିବା ଉପରେ ଗୁଲେରିଆ ଗୁରୁତ୍ବାରୋପ କରିଛନ୍ତି। ଗୁଲେରିଆ କହିଛନ୍ତି, ଅଧିକ ବିପଦ ଶ୍ରେଣୀରେ ଥିବା ଲୋକ ସଙ୍ଗରୋଧରେ ରହିବା ଉଚିତ। କରୋନା ମହାମାରୀ‌ରେ ଯେଉଁ ପଦକ୍ଷେପ ଗ୍ରହଣ କରାଯାଉଥିଲା ଏବେ ଠିକ୍‌ ସେହି ପଦକ୍ଷେପ ଗ୍ରହଣ କରାଯିବା ଉଚିତ। ସମସ୍ତଙ୍କର ଟିକାକରଣ ଜରୁରୀ ବୋଲି ଗୁଲେରିଆ କହିଛନ୍ତି। ଏଏମ୍‌ଏସ‌୍ (ଏକାଡେମି ଅଫ୍‌ ମେଡିକାଲ ସାଇନ୍ସ)ଦ୍ବାରା ପରିଚାଳିତ ଏକ ସମ୍ମିଳନୀରେ ଯୋଗ ଦେବା ଅବସର‌ରେ ଗ‌ୁଲେରିଆ ଆଜି ଗଣମା‌ଧ୍ୟମରେ ଏହି ସୂଚନା ଦେଇଛନ୍ତି।

ମାସ୍କ ପୁନର୍ବାର ବାଧ୍ୟତାମୂଳକ କରାଯିବା ସଂକ୍ରାନ୍ତରେ ଗୁଲେରିଆ କହିଛନ୍ତି, ମାସ୍କ ପିନ୍ଧିବାର ଆବଶ୍ୟକତା ରହିଛି। କାରଣ ଛିଙ୍କ ଏବଂ କାଶ ଦ୍ବାରା ଏହି ସଂକ୍ରମଣ ବ୍ୟାପୁଛି। କିଛି ସମୟରେ ପିଲାମାନେ ସ୍କୁଲ୍‌‌ରେ ଏହି ଭାଇରସ୍‌ରେ ସଂକ୍ରମିତ ହେଉଛନ୍ତି ଏବଂ ଘରେ ବୟସ୍କମାନେ ପିଲାଙ୍କ ସଂସ୍ପର୍ଶରେ ଆସିବାଦ୍ବାରା ସଂକ୍ରମିତ ହେଉଛନ୍ତି। ତେଣୁ ଆମେମାନେ ମାସ୍କ ପିନ୍ଧିବା ସହ ବାରମ୍ବାର ହାତ ଧୋଇବା ଏବଂ ସାମାଜିକ ଦୂରତା ଅବଲମ୍ବନ କରିବା ଉଚିତ ବୋଲି ଗୁଲେରିଆ କହିଛନ୍ତି। ସମସ୍ତେ ଟିକା ନେବାପାଇଁ ଗୁଲେରିଆ ପରାମର୍ଶ କରିଛନ୍ତି। ଗୁଲେରିଆ କହିଛନ୍ତି, ଆଶ୍ବସ୍ତିକର ବିଷୟ ହେଉଛି କରୋନାର ପ୍ରଥମ ଏବଂ ଦ୍ବିତୀୟ ଲହର ପରି ଇନଫ୍ଲୁଏଞ୍ଜା ଏତେ ସାଂଘାତିକ କ୍ଷତି କରୁନାହିଁ।

ସମ୍ବନ୍ଧିତ ଖବର