ନୱାଜଙ୍କୁ ଗାଦିଚ୍ୟୁତ କରିବା ପାଇଁ ରାୟ ଦେଇଥିଲେ ଗୁଲଜାର ଅହମଦ

ଇସଲାମାବାଦ: ପାକିସ୍ତାନର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ପୂର୍ବତନ ପ୍ରଧାନବିଚାରପତି (ସିଜେପି) ଗୁଲଜାର ଅହମଦଙ୍କୁ ମଙ୍ଗଳବାର କାମଚଳା ପ୍ରଧାନମନ୍ତ୍ରୀ ଭାବେ ମନୋନୀତ କରିଛନ୍ତି। ପାକିସ୍ତାନ ରାଷ୍ଟ୍ରପତି ଆରିଫ ଆଲ୍‌ଭି କାମଚଳା ପ୍ରଧାନମନ୍ତ୍ରୀ ନିଯୁକ୍ତ ହେବା ପର୍ଯ୍ୟନ୍ତ ଇମ୍ରାନ୍ ଖାନ୍‌ଙ୍କୁ ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ଏକ ଆଦେଶନାମା ଜାରି କରିବା ପରେ ଇମ୍ରାନ୍ ଏହି ନିଷ୍ପତ୍ତି ନେଇଛନ୍ତି। ରାଷ୍ଟ୍ରପତିଙ୍କ ଆଦେଶ ମାନିବ‌ା ସହ ପିଟିଆଇ କର୍ପସ କମିଟିର ଅନୁମୋଦନକ୍ରମେ ଇମ୍ରାନ୍ ଜଷ୍ଟିସ୍ ଗୁଲଜାରଙ୍କୁ କାମଚଳା ପ୍ରଧାନମନ୍ତ୍ରୀ ଭାବେ ମନୋନୀତ କରିଥିବା ଟ୍ବିଟ୍ କରି ଜଣାଇଛନ୍ତି।

ଜଷ୍ଟିସ୍ ଅହମଦ ୧୯୫୭ ଫେବ୍ରୁଆରି ୨ ତାରିଖରେ ପଶ୍ଚିମ ପାକିସ୍ତାନର ସଂଘୀୟ ରାଜଧାନୀ ଅଞ୍ଚଳରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ନୂର ମୁହମ୍ମଦ କରାଚିରେ ଜଣେ ଓକିଲ ଥିଲେ। ସେ କରାଚିର ଗୁଲିସ୍ତାନ ସ୍କୁଲରେ ଶିକ୍ଷା ଶେଷ କରି ସରକାରୀ ଜାତୀୟ କଲେଜ, କରାଚିରେ ଏବଂ ସିନ୍ଧ ମୁସଲିମ୍ ଲ କଲେଜରେ ଅଧ୍ୟୟନ କରିଥିଲେ। ୧୯୮୬‌ରୁ ସେ ତାଙ୍କ ଓକିଲ ଜୀବନ ଆରମ୍ଭ କରିଥିଲେ। ଦୁଇବର୍ଷ ପରେ ସେ ସିନ୍ଧ ହାଇକୋର୍ଟ ବା‌ର ଆସୋସିଏସନ (ଏସ୍‌ଏଚ୍‌ସିବିଏ)ରେ ଏବଂ ୨୦୦୧ରେ ସୁପ୍ରିମ୍‌କୋର୍ଟ ବା‌ର ଆସୋସିଏସନରେ ଯୋଗ ଦେଲେ। ୧୯୯୯ରୁ ୨୦୦୦ ପର୍ଯ୍ୟନ୍ତ ସେ ଏସ୍‌ଏଚ୍‌ସିବିଏର ଅବୈତନିକ ସେକ୍ରେଟାରୀ ରହିବା ସହ ସିନ୍ଧ ହାଇକୋର୍ଟର ଜଷ୍ଟିସ୍ ହେଲେ। ନଭେମ୍ବର ୨୦୧୧ରେ ସେ ପାକିସ୍ତାନ ସୁପ୍ରିମ୍‌କୋର୍ଟର ଜଷ୍ଟିସ୍ ଭାବେ ନିଯୁକ୍ତି ପାଇଲେ। ପାନାମା ପେପର୍ସ ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫଙ୍କୁ ଗାଦିରୁ ହଟାଇବା ପାଇଁ ରାୟ ଦେଇଥିବା ୫ ଜଣିଆ ବେଞ୍ଚର ସେ ଅନ୍ୟତମ ସଦସ୍ୟ ଥିଲେ। ଏହାପରେ ୨୦୧୯ ଡିସେମ୍ବର ୪ରେ ରାଷ୍ଟ୍ରପତି ଆରିଫ ଆଲଭିଙ୍କ ଅନୁମୋଦନକ୍ରମେ ଗୁଲଜାର ଅହମଦ ସୁପ୍ରିମ୍‌କୋର୍ଟର ୨୭ତମ ଚିଫ୍‌ ଜଷ୍ଟିସ୍ (ସିଜେପି) ହୋଇଥିଲେ।

ସିଜେପି ଭାବେ ତାଙ୍କ କାର୍ଯ୍ୟକାଳରେ ଜଷ୍ଟିସ୍ ଅହମଦ କେତେକ ଇମ୍ରାନ୍‌ ଖାନ୍‌ଙ୍କ ସପକ୍ଷବାଦୀ ନିଷ୍ପତ୍ତି ନେଇଥିଲେ। ଇମ୍ରାନ୍ ଖାନ୍ ସମ୍ପୃକ୍ତ ଥିବା ଏକ ମାମଲାର ଶୁଣାଣି କରିବାରୁ ସେ ଜଷ୍ଟିସ୍ କାଜି ଫଏଜ ଇଶାଙ୍କୁ ବାରଣ କରିଥିଲେ। ଜଷ୍ଟିସ୍ ଇଶା ଇମ୍ରାନ୍‌ଙ୍କ ବିରୋଧୀ ଥିବାରୁ ଓ ଅତୀତରେ ସେ ଇମ୍ରାନ୍‌ଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିବାରୁ ତାଙ୍କ ମାମଲାର ଶୁଣାଣି ସେ କରିପାରିବେ ନାହିଁ ବୋଲି ସିଜେପି ଅହମଦ କହିଥିଲେ। ଜଷ୍ଟିସ୍ ଗୁଲଜାର ଅହମଦ ୨୦୨୨ ଫେବ୍ରୁଆରି ପହିଲାରେ ପ୍ରଧାନବିଚାରପତି ପଦରୁ ଅବସର ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର