ବାରମ୍ବାର ଗୁଳିକାଣ୍ଡ ପରେ ଆମେରିକାର ଚେତା ପଶିଲା, ବନ୍ଧୁକ ନିୟନ୍ତ୍ରଣ ବିଲ୍ ସିନେଟରେ ଗୃହୀତ

ମୁମ୍ବାଇ : ଆମେରିକାରେ ବାରମ୍ବାର ଗୁଳିକାଣ୍ଡ ହେବା ପରେ ସରକାରଙ୍କ ଚେତା ପଶିଛି ।   ବନ୍ଧୁକ ନିୟନ୍ତ୍ରଣ ବିଲକୁ ଆମେରିକା ସିନେଟର ମଂଜୁରୀ ମିଳିଛି । ଆମେରିକାର ନିମ୍ନ ସଦନ ( ହାଉସ ଅଫ ରିପ୍ରେଜେଣ୍ଟିଭ୍) ଏବଂ ରାଷ୍ଟ୍ରପତିଙ୍କ ଦ୍ବାରା ସ୍ବାକ୍ଷରିତ ହେବା ପରେ ଏହି ବିଲ ଆଇନରେ ପରିଣତ ହେବ । ଆଇନରେ ପରିଣତ ହେବା ପରେ ଆମେରିକାର ରାଜ୍ୟ ସରକାରମାନେ ବନ୍ଧୁକ ରଖିବା ଉପରେ କେତେକ କଟକଣା ଲଗାଇପାରିବେ । ଯେଉଁ ଲୋକମାନେ ମାନସିକ ଭାବେ ଅସ୍ଥିର କିମ୍ବା ସମସ୍ୟା ସୃଷ୍ଟି କରିବାର ଆଶଙ୍କା ରହିଛି, ସରକାର ସେମାନଙ୍କଠାରୁ ବନ୍ଧୁକ ପ୍ରତ୍ୟାହାର କରିପାରିବେ ।

ଆଜି ସିନେଟରେ ଏହି ବିଲକୁ ଉଭୟ ଡେମୋକ୍ରାଟ ଓ ରିପବ୍ଲିକାନମାନେ ସମର୍ଥନ କରିଥିଲେ । ଅନ୍ୟପକ୍ଷରେ ହାଉସ ଅଫ ରିପ୍ରେଜେଣ୍ଟିଭରେ ଡେମୋକ୍ରାଟମାନଙ୍କ ସଂଖ୍ୟା ଗରିଷ୍ଠତା ଥିବାରୁ ସେଠାରେ ବିଲଟି ସହଜରେ ଗୃହୀତ ହେବାର ସମ୍ଭାବନା ରହିଛି ।

ତେବେ ସରକାରଙ୍କ ଏହି ଆଇନଟି ସେତେଟା କଠୋର ନୁହେଁ ଓ ଏହା ଦ୍ବାରା ସ୍ଥିତିରେ ସେପରି କୌଣସି ପରିବର୍ତ୍ତନ ଆସିବାର ସମ୍ଭାବନା ନାହିଁ ବୋଲି ବନ୍ଧୁକ ନିୟନ୍ତ୍ରଣ ପାଇଁ ଆନ୍ଦୋଳନ କରୁଥିବା ସଂଗଠନମାନେ କହିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଆମେରିକାରେ ଅତ୍ୟନ୍ତ କୋହଳ ବନ୍ଧୁକ ଆଇନ ରହିଛି । ଅର୍ଥାତ୍ ଲୋକମାନେ ସହଜରେ ବନ୍ଧୁକ କିଣିପାରିବେ । ଏହାର ଫାଇଦା ନେଇ ଆମେରିକାରେ ଘରେ ଘରେ ବନ୍ଧୁକ ରହିଛି । ଏକ ତଥ୍ୟ ଅନୁସାରେ ଆମେରିକାର ଗୁଳିକାଣ୍ଡ ଯୋଗୁଁ ପ୍ରତି ବର୍ଷ ପ୍ରାୟ ୪୦ ହଜାର ଲୋକ ମୃତ୍ୟୁବରଣ କରିଥାନ୍ତି । ଆମେରିକାରେ ପ୍ରତି ୧୦୦ ଜଣରେ ୧୨୦ଟି ବନ୍ଧୁକ ରହିଛି । ଏଣୁ ସର୍ବସାଧାରଣରେ ଗୁଳିକାଣ୍ଡ ଆମେରିକାରେ ଏକ ସାଧାରଣ ଘଟଣା ହୋଇଛି ।

ସମ୍ବନ୍ଧିତ ଖବର