ସ୍ମଗ୍‌ଲର୍‌ଙ୍କ ବିଚିତ୍ର ବୁଦ୍ଧି: ଫ୍ଲୋରିଡା ବିମାନବନ୍ଦରରେ କଞ୍ଚା କୁକୁଡ଼ାମାଂସ ଭିତରୁ ପିସ୍ତଲ୍‌ ଉଦ୍ଧାର

ଫ୍ଲୋରିଡା: କଞ୍ଚା କୁକୁଡ଼ାମାଂସ ଭିତରେ ପିସ୍ତଲ ଭର୍ତ୍ତି କରି ଆମେରିକାର ଏକ ବିମାନବନ୍ଦରରେ ବିମାନ ଆରୋହଣ କରୁଥିବା ଜଣେ ବ୍ୟକ୍ତି ନିରାପତ୍ତା କର୍ମଚାରୀଙ୍କଦ୍ବାରା ଧରାପଡ଼ିଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, ଏଭଳି ବିଚିତ୍ର ଘଟଣାଟି ଘଟିଛି ଫ୍ଲୋରିଡାସ୍ଥିତ ‘ଫୋର୍ଟ ଲାଡର୍‌ଡେଲ୍‌-ହଲିଉଡ୍‌ ଆନ୍ତର୍ଜାତିକ ବିମାନବନ୍ଦର’ରେ।

ଆମେରିକାର ‘ଟ୍ରାନ୍‌ସ୍‌ପୋର୍ଟେସନ୍‌ ସିକ୍ୟୁରିଟି ଆଡ୍‌ମିନିଷ୍ଟ୍ରେସନ୍‌’ (ଟିଏସ୍‌ଏ) ’ଅନ୍‌ଲାଇନ୍‌’ରେ ପୋଷ୍ଟ୍‌ କରିଥିବା ଫଟୋଗୁଡ଼ିକରେ ଦେଖାଯାଉଛି, ପିସ୍ତଲ୍‌ଟିକୁ ବାଦାମୀ ରଙ୍ଗର ପାର୍ସଲ୍‌ ଟେପ୍‌ରେ ଗୁଡ଼ାଯାଇ ‘ଡ୍ରେସିଙ୍ଗ୍‌’ (ଅଭକ୍ଷ ଅଂଶ ସବୁ ବାହାର କରି ଗୋଟା ରଖାଯାଇଥିବା କୁକୁଡ଼ା ମାଂସ) କରାଯାଇଥିବା କୁକୁଡ଼ା ପେଟରେ ଭର୍ତ୍ତି କରାଯାଇଛି।

କାଳବିଳମ୍ବ ନ କରି ଏଭଳି ବିଚିତ୍ର ଆବିଷ୍କାରକୁ ‘ଟିଏସ୍‌ଏ’ ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍‌ କରିଥିଲା। ଏଥିରେ ଲେଖାଯାଇଥିଲା: ନିଜସ୍ବ କୁକୁଡ଼ାଟିଏ ଜବତ କରାଯାଇଛି। ‘ଥ୍ୟାଙ୍କ୍‌ସ୍‌ଗିଭିଙ୍ଗ୍‌’ ଉତ୍ସବ ପାଖେଇ ଆସୁଥିବା ବେଳେ ‘କୁକୁଟ୍ଟ ଷଡ଼ଯନ୍ତ୍ର’ ଧରାପଡ଼ିଛି। କିନ୍ତୁ, ଚୋରା ଚାଲାଣକାରୀଙ୍କର ଏହି ବିଚିତ୍ର ବୁଦ୍ଧି ପୋଖତ ନୁହେଁ। ଏହା କାମ କରିବ କି, ନାହିଁ ସେମାନେ ପୂର୍ବରୁ ପରୀକ୍ଷା ମଧ୍ୟ କରି ନାହାନ୍ତି। ଆପଣମାନଙ୍କ ସୁରକ୍ଷ ନିମନ୍ତେ ଆମ କର୍ମଚାରୀମାନେ ଅହର୍ନିଶ କାର୍ଯ୍ୟ କରୁଥିବାରୁ ଆମେ ସେମାନଙ୍କ ନିକଟରେ କୃତଜ୍ଞ।

Image Courtesy of TSA

ଅନେକ ସାମାଜକି ଗଣମାଧ୍ୟମ ବ୍ୟବହାରକାରୀ ମଧ୍ୟ ଉକ୍ତ ପିସ୍ତଲ ମାଲିକଙ୍କ ବୋକାମି ଉପରେ ମନ୍ତବ୍ୟ ଦେଇଛନ୍ତି। ଜଣେ ଲେଖିଛନ୍ତି: ‘ଏକ୍ସ-ରେ’ ମେସିନ୍‌ କିଭଳି କାମ କରେ ଏହି ଲୋକମାନେ ଜାଣନ୍ତି ନାହିଁ।

ସୁରକ୍ଷା କର୍ମଚାରୀମାନେ ପିସ୍ତଲ୍‌ ମାଲିକଙ୍କ ନାମ ପ୍ରଘଟ କରି ନ ଥିଲେ ବି ତାଙ୍କ ନାମରେ ଅପରାଧିକ ମାମଲା ଚାଲିବ। ‘ବିବିସି’ ରିପୋର୍ଟ ଅନୁସାରେ, ଆମେରିକା ‘ଏୟାର୍‌ଲାଇନ୍‌ସ୍‌’ରେ ଆଗ୍ନେୟାସ୍ତ୍ର ନେବା ନିଷେଧ। କିନ୍ତୁ. ଆବଶ୍ୟକସ୍ଥଳେ ଆଗ୍ନେୟାସ୍ତ୍ରଗୁଡ଼ିକ ଯାଞ୍ଚ କରାଯାଇଥିବା ବ୍ୟାଗ୍‌ରେ କଠିନ ଆବରଣଯୁକ୍ତ ପାତ୍ରରେ ବନ୍ଦକରି ରଖାଯିବା ଉଚିତ।

ସମ୍ବନ୍ଧିତ ଖବର