ଆମେରିକାରେ ବନ୍ଧୁକ ଜନିତ ମୃତ୍ୟୁହାର ବୃଦ୍ଧି

ୱାସିଂଟନ : ଗତ ତିନି ଦଶନ୍ଧି ଭିତରେ ଆମେରିକାରେ ବନ୍ଧୁକର ଅପବ୍ୟବହାର ଜନିତ ମୃତ୍ୟୁହାର ୨୦୨୧ରେ ଶୀର୍ଷରେ ପହଞ୍ଚିଛି ଏବଂ ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ମୃତ୍ୟୁହାର ଅଧିକ ରହିଛି ବୋଲି ମଙ୍ଗଳବାର ପ୍ରକାଶିତ ଏକ ଅନୁଧ୍ୟାନ ରିପୋର୍ଟରୁ ଜଣାପଡ଼ିଛି।

ଅନୁଧ୍ୟାନର ପ୍ରସ୍ତୁତକର୍ତ୍ତା ଡ. ଏରିକ ଫ୍ଲିଗ୍ଲରଙ୍କ କହିବା ଅନୁସାରେ, ବନ୍ଧୁକରୁ ଗୁଳିମାଡ଼ରେ ମୃତ୍ୟୁବରଣ କରୁଥିବା କୃଷ୍ଣକାୟ ମହିଳାଙ୍କ ସଂଖ୍ୟା ୨୦୧୦ ତୁଳନାରେ ତିନିଗୁଣ ବୃଦ୍ଧି ପାଇଛି ଏବଂ ବନ୍ଧୁକ ଦ୍ବାରା ଆତ୍ମହତ୍ୟା ସଂଖ୍ୟା ମଧ୍ୟ ଗତ ୨୦୧୫ ତୁଳନାରେ ଦ୍ବିଗୁଣ ହୋଇଛି।

ଆମେରିକାରେ ଜନସଂଖ୍ୟା ବଢ଼ୁଛି କିନ୍ତୁ ଗବେଷକମାନଙ୍କ ମତରେ ବନ୍ଧୁକ ମୃତ୍ୟୁହାର ମଧ୍ୟ ବଢ଼ିବାରେ ଲାଗିଛି। ଆମେରିକାରେ ବନ୍ଧୁକ ଦ୍ବାରା ହତ୍ୟା ଓ ଆତ୍ମହତ୍ୟା ହାର ଗତବର୍ଷ ୮ ପ୍ରତିଶତ ବୃଦ୍ଧି ପାଇଥିଲା। ଗବେଷକମାନେ ୧୯୯୦ ଦଶକରୁ ବନ୍ଧୁକ ମୃତ୍ୟୁହାର ଉପରେ ଅନୁଧ୍ୟାନ କରିଥିଲେ। ସେମାନେ ଜାଣିବାକୁ ପାଇଲେ ଯେ ୨୦୦୫ରୁ ଏହି ମୃତ୍ୟୁହାର କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ୨୦୧୯ରୁ ୨୦୨୧ ଭିତରେ ଏହା ୨୦ ପ୍ରତିଶତ ବୃଦ୍ଧି ପାଇଛି। ବିଶେଷଜ୍ଞମାନଙ୍କ ମତରେ ବନ୍ଧୁକ ବିକ୍ରି ବୃଦ୍ଧି, ମାନସିକ ଚାପ ଓ ମାନସିକ ସ୍ବାସ୍ଥ୍ୟ ସମସ୍ୟା ଏହି ବୃଦ୍ଧିର କାରଣ। ୧୯୯୦ରୁ ୩୨ ବର୍ଷ ମଧ୍ୟରେ ବନ୍ଧୁକ-ଜନିତ ମୃତ୍ୟୁସଂଖ୍ୟା ୧.୧ ନିୟୁତରୁ ଅଧିକ ହୋଇଥିବା ବେଳେ ତାହା ଗତ ତିନିବର୍ଷ ଭିତରେ ଆମେରିକାରେ କୋଭିଡ୍‌-୧୯ ଜନିତ ମୃତ୍ୟୁସଂଖ୍ୟା ସହ ସମାନ।

ପୂର୍ବରୁ ବନ୍ଧୁକଜନିତ ମୃତକଙ୍କ ମଧ୍ୟରେ ମହିଳାଙ୍କ ହାର ୧୪ ପ୍ରତିଶତ ଥିବା ବେଳେ ଏହା କ୍ରମଶଃ ବୃଦ୍ଧି ପାଉଛି। ୨୦୧୦ରେ ପ୍ରତି ୧୦୦,୦୦୦ ମୃତକଙ୍କ ମଧ୍ୟରେ ୪ ଜଣ ମହିଳା ଥିବା ବେଳେ ଗତବର୍ଷ ତାହା ୭ ଜଣକୁ ଅର୍ଥାତ୍ ୭୧ ପ୍ରତିଶତ ବୃଦ୍ଧି ପାଇଛି। ଅଥଚ ପୁରୁଷଙ୍କ ମୃତ୍ୟୁହାର ପ୍ରତି ୧୦୦,୦୦୦ରେ ୨୦୧୦ରେ ୧୮ ଜଣ ଥିବା ବେଳେ ଗତବର୍ଷ ତାହା ୨୬ ଜଣ ଅର୍ଥାତ୍ ୪୫ ପ୍ରତିଶତ ବୃଦ୍ଧି ପାଇଥିଲା। ଏଣୁ ଏହି ମୃତ୍ୟୁହାର ହ୍ରାସ କରିବା ପାଇଁ ଆମେରିକାରେ ବନ୍ଧୁକ ଲାଇସେନ୍ସ ପ୍ରଦାନ ଉପରେ କଟକଣା ଲଗାଯିବା ଉଚିତ ବୋଲି ଗବେଷକମାନେ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର