ମଣିପୁରରେ କାମ ଦେଲା ଅମିତ ଶାହାଙ୍କ ଅପିଲ, ୧୪୦ଟି ବନ୍ଧୁକ ଫେରାଇଦେଲେ ଲୋକ

ଇମ୍ଫାଲ: ଗତ ମାସରେ ମଣିପୁରରେ ଆରମ୍ଭ ହୋଇଥିବା ହିଂସା ଧୀରେ ଧୀରେ ହ୍ରାସ ପାଉଥିବା ଜଣାପଡିଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅପିଲ ପରେ ଲୋକମାନେ ମଣିପୁରର ବିଭିନ୍ନ ଥାନାରେ ୧୪୦ଟି ବନ୍ଧୁକ ଫେରାଇଦେଇଛନ୍ତି | ମଣିପୁର ଗସ୍ତ ସମୟରେ ଅସ୍ତ୍ରଶସ୍ତ୍ର ସରେଣ୍ଡର କରିବାକୁ ଶାହା ଅପିଲ କରିଥିଲେ | ବାସ୍ତବରେ ମଣିପୁରର ବିଭିନ୍ନ ଥାନା, ଅସ୍ତ୍ରାଗାର ଓ ସୁରକ୍ଷା ବାହିନୀ ଶିବିରରୁ ପ୍ରାୟ ୪ ହଜାର ବନ୍ଧୁକ ଚୋରି ହୋଇଯାଇଥିଲା । ଲୁଟ୍‌ ହୋଇଥିବା ଅସ୍ତ୍ରଶସ୍ତ୍ର ମଧ୍ୟରେ ଏକେ ସିରିଜ୍‌ ବନ୍ଧୁକ, ଏମ୧୬ ରାଇଫଲ୍‌,  କାର୍ବାଇନ୍‌ସ ଏବଂ ପିସ୍ତଲ ଥିଲା | କିଛି ଅସ୍ତ୍ର ମିଆଁମାର ଆତଙ୍କବାଦୀ ଗୋଷ୍ଠୀ ନିକଟରେ ପହଞ୍ଚି ସାରିଛି ବୋଲି ଗୁଇନ୍ଦା ରିପୋର୍ଟରୁ ମଧ୍ୟ ଜଣାପଡ଼ିଥିଲା ।

ତେବେ ଏହାପରେ ଅମିତ ଶାହା ମଣିପୁର ଗସ୍ତରେ ଯାଇ ହିଂସା ପ୍ରଭାବିତ ଲୋକଙ୍କୁ ଭେଟିବା ସହ କହିଥିଲେ ଯେ ହିଂସାକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ। ଯେଉଁମାନେ ସରକାରୀ ଅସ୍ତ୍ର ଲୁଟ୍‌ କରିଛନ୍ତି ତାହା ତୁରନ୍ତ ଫେରାଇଦିଅନ୍ତୁ । ଯଦି ଚୋରି କରିଥିବା ବନ୍ଧୁକ ସରେଣ୍ଡର କରା ନ ଯାଏ ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେ କହିଥିଲେ, “ଗୁଜବ ପ୍ରତି ଧ୍ୟାନ ଦିଅନ୍ତୁ ନାହିଁ। ବର୍ତ୍ତମାନ ରାଜ୍ୟରେ ଅବସ୍ଥା ଭଲ ଅଛି।” ତାଙ୍କ ବିବୃତ୍ତି ପରେ ଲୋକମାନେ ବହୁ ସଂଖ୍ୟାରେ ଅସ୍ତ୍ରଶସ୍ତ୍ର ସରେଣ୍ଡର କରିଛନ୍ତି | ମଣିପୁର ପୁଲିସ କହିଛି ଯେ ବିଭିନ୍ନ ଥାନାରେ ସରେଣ୍ଡର ହୋଇଥିବା ୧୪୦ଟି ବନ୍ଧୁକ ମଧ୍ୟରେ ଏସଏଲଆର ୨୯, କାର୍ବାଇନ୍, ଏକେ, ଇନସାସ ରାଇଫଲ, ଇନସାସ ଏଲଏମଜି, ୯ ଏମଏମ ପିସ୍ତଲ, ଏମ୧୬ ରାଇଫଲ, ଜେଭିପି ଏବଂ ଜେଭିପି ଗ୍ରେନେଡ ଲଂଚର ପ୍ରମୁଖ ରହିଛି |

ସମ୍ବନ୍ଧିତ ଖବର