ଓସ୍କାର ଦେଇ ‌କହିବାର ସୁଯୋଗ ଦେଲେ ନାହିଁ; ଏଥିପାଇଁ ଦୁଃଖୀ: ଗୁନିତ୍ ମୋଙ୍ଗା

ନୂଆଦିଲ୍ଲୀ: ୯୫ତମ ‘ଏକାଡେମି ଆୱାର୍ଡସ୍‌’ରେ କମାଲ କରିଥିଲା ଭାରତ। ଭାରତୀୟ ଚଳଚ୍ଚିତ୍ର ‘ଆର୍‌ଆର୍‌ଆର୍‌’ର ‘ନାଟୁ ନାଟୁ’ ଗୀତ ୯୫ତମ ‘ଏକାଡେମି ଆୱାର୍ଡସ୍‌’ରେ ‘ବେଷ୍ଟ୍‌ ଅରିଜିନାଲ୍‌ ସଙ୍ଗ୍‌’ ବର୍ଗରେ ‘ଓସ୍କାର୍‌’ ବିଜୟୀ ହୋଇଥିବା ସହ କାର୍ତିକି ଗନ୍‌ସାଲ୍‌ଭେସ୍‌ ଏବଂ ଗୁନୀତ୍‌ ମୋଙ୍ଗାଙ୍କ ‘ନେଟ୍‌ଫ୍ଲିକ୍ସ୍‌’ କ୍ଷୁଦ୍ର ପ୍ରାମାଣିକ ଛବି ‘ଦି ଏଲିଫ୍ୟାଣ୍ଟ୍‌ ୱିସ୍ପରର୍‌ସ୍‌’ ୯୫ତମ ‘ଏକାଡେମି ଆୱାର୍ଡସ୍‌’ରେ ‘ବେଷ୍ଟ୍‌ ଡକ୍ୟୁମେଣ୍ଟାରି ସର୍ଟ’ ବର୍ଗରେ ‘ଓସ୍କାର୍‌’ ବିଜୟୀ ହୋଇଥିଲା। ଏହି ସଫଳତା ସାରା ଭାରତ ପାଇଁ ଗୌରବ ଆଣିଥିବା ବେଳେ ‘ଦି ଏଲିଫ୍ୟାଣ୍ଟ୍‌ ୱିସ୍ପରର୍‌ସ୍‌’ର ପ୍ରଯୋଜିକା ଗୁନିତ୍ ମୋଙ୍ଗା ଖୁସି ନଥିବା କହିଛନ୍ତି।

ଗୁନିତ୍ ମୋଙ୍ଗା ଏବଂ ନିର୍ଦ୍ଦେଶକ କାର୍ତ୍ତିକୀ ଗୋନସାଲବେସ୍ ଓସ୍କାର ଜିତିବା ପରେ ମଞ୍ଚରେ ପହଞ୍ଚିଥିଲେ। କାର୍ତ୍ତିକୀଙ୍କୁ ଭାଷଣ ଦେବାର ସୁଯୋଗ ମିଳିଥିଲେ ବି ଗୁନିତଙ୍କ ପାଳି ଆସିବା ବେଳେ ମଞ୍ଚରେ ଗୀତ ବାଜିଥିଲା। ଏହି କ‌ାରଣରୁ ସେ ଷ୍ଟେଜ ତଳକୁ ଓହ୍ଲାଇ ଆସିଥିଲେ। ଏହା ପରେ ଓସ୍କାର ୨୦୨୩ରେ ଶ୍ରେଷ୍ଠ ଆନିମେଟେଡ୍ କ୍ଷୁଦ୍ର ଚଳଚ୍ଚିତ୍ର ଘୋଷଣା କରାଯାଇଥିଲା। ଏହାର ବିଜେତାମାନେ ଥିଲେ ଚାର୍ଲି ମ୍ୟାକେସି ଏବଂ ମାଥ୍ୟୁ ଫ୍ରିଉଡ୍। ଉଭୟଙ୍କୁ ମଞ୍ଚରେ ନିଜର ଭାଷଣ ଦେବାର ସୁଯୋଗ ଦିଆଯାଇଥିଲା।

ଚାର୍ଲି ଓ ମାଥ୍ୟୁଙ୍କୁ ସୁଯୋଗ ମିଳିଥିଲେ ବି ଗୁନିତଙ୍କୁ କହିବାର ସୁଯୋଗ ନମିଳିବାରୁ ସେ ଦୁଃଖୀ ଥିବା କହିଛନ୍ତି। ସେ କହିଛନ୍ତି ଯେ, ମୋତେ କହିବାର ସୁଯୋଗ ନମିଳିବାର ଦୁଃଖ ମୋ ମୁହଁରେ ସ୍ପଷ୍ଟ ଦେଖାଯାଉଥିଲା। ଏହା ଭାରତ ପାଇଁ ଗୌରବର ମୁହୂର୍ତ୍ତ ଥିଲା, ଯାହା ମୋଠାରୁ ଛଡ଼ାଇ ନିଆଯାଇଥିଲା। ‘ଦି ଏଲିଫ୍ୟାଣ୍ଟ୍‌ ୱିସ୍ପରର୍‌ସ୍‌’ ଭାରତୀୟ ପ୍ରଯୋଜନା ସଂସ୍ଥା ଦ୍ବାରା ନିର୍ମିତ ପ୍ରଥମ ଫିଲ୍ମ, ଯାହା ଓସ୍କାର ଜିତିଛି। ମୁଁ ଏହାକୁ ହାଇଲାଇଟ କରିବାକୁ ଚାହୁଁଥିଲି। ହେଲେ ମୋତେ ସୁଯୋଗ ମିଳିଲା ନାହିଁ।

ସମ୍ବନ୍ଧିତ ଖବର