ନୂଆଦିଲ୍ଲୀ:ଓସ୍କାର ଜିତିବା ପରେ କହିବାକୁ ଦିଆନଯିବାରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ଗୁନିତ୍ ମୋଙ୍ଗା। ‘ଦି ଏଲିଫ୍ୟାଣ୍ଟ୍ ୱିସ୍ପରର୍ସ୍’ର ପ୍ରଯୋଜିକା ହେଉଛନ୍ତି ଗୁନିତ୍ ମୋଙ୍ଗା। ‘ନେଟ୍ଫ୍ଲିକ୍ସ୍’ରେ ରିଲିଜ୍ ହୋଇଥିବା କାର୍ତିକି ଗୋନସାଲବେସ୍ ଏବଂ ଗୁନୀତ୍ ମୋଙ୍ଗାଙ୍କ କ୍ଷୁଦ୍ର ପ୍ରାମାଣିକ ଛବି ‘ଦି ଏଲିଫ୍ୟାଣ୍ଟ୍ ୱିସ୍ପରର୍ସ୍’ ୯୫ତମ ‘ଏକାଡେମି ଆୱାର୍ଡସ୍’ରେ ‘ବେଷ୍ଟ୍ ଡକ୍ୟୁମେଣ୍ଟାରି ସର୍ଟ’ ବର୍ଗରେ ‘ଓସ୍କାର୍’ ବିଜୟୀ ହୋଇଥିଲା। ଓସ୍କାର ଜିତିବା ପରେ ଗୁନିତ୍ ଚର୍ଚ୍ଚାକୁ ଆସିଥିଲେ। ହେଲେ ଏବେ ଓସ୍କାର ଜିତିବା ପରର ଘଟଣା ସାମ୍ନାକୁ ଆସିଛି।
‘ନାଟୁ ନାଟୁ’ ଗୀତର ନିର୍ଦ୍ଦେଶକ ଏମଏମ କିରାବାନୀ ଏହାର ଖୁଲାସା କରିଛନ୍ତି। ‘ଦି ଏଲିଫ୍ୟାଣ୍ଟ୍ ୱିସ୍ପରର୍ସ୍’ ୯୫ତମ ‘ଏକାଡେମି ଆୱାର୍ଡସ୍’ରେ ‘ବେଷ୍ଟ୍ ଡକ୍ୟୁମେଣ୍ଟାରି ସର୍ଟ’ ବର୍ଗରେ ‘ଓସ୍କାର୍’ ମିଳିବା ପରେ ମଞ୍ଚ ଉପରେ କହିବାର ସୁଯୋଗ ନମିଳିବାରୁ ଗୁନିତ୍ ଅଣନିଶ୍ବାସୀ ହୋଇଯାଇଥିଲେ ଏବଂ ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡ଼ିଥିଲା ବୋଲି କହିଛନ୍ତି ଏମଏମ କିରାବାନୀ।
ଏହା ପୂର୍ବରୁ ଗୁନିତ୍ କହିଥିଲେ, ମୋତେ କହିବାର ସୁଯୋଗ ନମିଳିବାର ଦୁଃଖ ମୋ ମୁହଁରେ ସ୍ପଷ୍ଟ ଦେଖାଯାଉଥିଲା। ଏହା ଭାରତ ପାଇଁ ଗୌରବର ମୁହୂର୍ତ୍ତ ଥିଲା, ଯାହା ମୋଠାରୁ ଛଡ଼ାଇ ନିଆଯାଇଥିଲା। ‘ଦି ଏଲିଫ୍ୟାଣ୍ଟ୍ ୱିସ୍ପରର୍ସ୍’ ଭାରତୀୟ ପ୍ରଯୋଜନା ସଂସ୍ଥା ଦ୍ବାରା ନିର୍ମିତ ପ୍ରଥମ ଫିଲ୍ମ, ଯାହା ଓସ୍କାର ଜିତିଛି। ମୁଁ ଏହାକୁ ହାଇଲାଇଟ କରିବାକୁ ଚାହୁଁଥିଲି। ହେଲେ ମୋତେ ସୁଯୋଗ ମିଳିଲା ନାହିଁ।
ତେବେ ପୂର୍ବରୁ ଭାଇରାଲ ହୋଇଥିବା ଭିଡିଓରେ ଦେଖାଯାଇଥିଲା ଯେ, ଗୁନିତ୍ ମୋଙ୍ଗା ଏବଂ ନିର୍ଦ୍ଦେଶକ କାର୍ତ୍ତିକୀ ଗୋନସାଲବେସ୍ ଓସ୍କାର ଜିତିବା ପରେ ମଞ୍ଚରେ ପହଞ୍ଚିଥିଲେ। କାର୍ତ୍ତିକୀଙ୍କୁ ଭାଷଣ ଦେବାର ସୁଯୋଗ ମିଳିଥିଲେ ବି ଗୁନିତଙ୍କ ପାଳି ଆସିବା ବେଳେ ମଞ୍ଚରେ ଗୀତ ବାଜିଥିଲା। ଏହି କାରଣରୁ ସେ ଷ୍ଟେଜ ତଳକୁ ଓହ୍ଲାଇ ଆସିଥିଲେ। ଏହା ପରେ ଓସ୍କାର ୨୦୨୩ରେ ଶ୍ରେଷ୍ଠ ଆନିମେଟେଡ୍ କ୍ଷୁଦ୍ର ଚଳଚ୍ଚିତ୍ର ଘୋଷଣା କରାଯାଇଥିଲା। ଏହାର ବିଜେତାମାନେ ଥିଲେ ଚାର୍ଲି ମ୍ୟାକେସି ଏବଂ ମାଥ୍ୟୁ ଫ୍ରିଉଡ୍। ଉଭୟଙ୍କୁ ମଞ୍ଚରେ ନିଜର ଭାଷଣ ଦେବାର ସୁଯୋଗ ଦିଆଯାଇଥିଲା।