କିବ୍: ୟୁକ୍ରେନ୍ ଯୁଦ୍ଧ ଆଜି ୩୫ ଦିନରେ ପହଞ୍ଚିଛି। ରୁଷ୍ -ୟୁକ୍ରେନ୍ ମଧ୍ୟରେ ଗତକାଲି ତୁର୍କୀର ଇସ୍ତାନବୁଲ୍ରେ ଶାନ୍ତି କଥାବାର୍ତ୍ତା ହୋଇଥିଲା। ଶାନ୍ତି କଥାବାର୍ତ୍ତା ପରେ ରୁଷ୍ ୟୁକ୍ରେନ୍ ରାଜଧାନୀ କିବ୍ ଏବଂ ଚେର୍ନିହିବରୁ ସେନା ପ୍ରତ୍ୟାହାର କରିବ ଏବଂ ଯୁଦ୍ଧର ତୀବ୍ରତାକୁ ଯଥେଷ୍ଟ କମାଇ ଦେବ ବୋଲି କହିଥିଲା। କିନ୍ତୁ ଗତକାଲିର ଘୋଷଣା ପରେ ରୁଷ୍ ନାମକୁ ମାତ୍ର କିଛି ସେନା ପ୍ରତ୍ୟାହାର କରିଥିବା ବେଳେ ପୂର୍ବଭଳି ଆକ୍ରମଣ ଜାରି ରଖିଛି। ରୁଷ୍ କିବ୍ ଏବଂ ଚେର୍ନିହିବରେ ଲଗାତାର ଗୋଳାବର୍ଷା ଜାରି ରଖିଥିବାରୁ ଗତକାଲି ବୈଠକ ପରେ ହୋଇଥିବା ଘୋଷଣା ଏକ ମିଥ୍ୟା ପ୍ରଚାର ଥିଲା ବୋଲି କୁହାଯାଉଛି। ଜଣେ ବରିଷ୍ଠ ୟୁକ୍ରେନ୍ ଅଧିକାରୀ କହିଛନ୍ତି, ରୁଷ୍ ସେନା କିବ୍ରେ ବିଭିନ୍ନ ଦିଗରୁ ଗୋଳାବର୍ଷା ଜାରି ରଖିଛି। କିବ୍ ମୁଖ୍ୟ ପ୍ରଶାସକ ଓଲେକସାଣ୍ଡର ପବ୍ଲିଉକ୍ କହିଛନ୍ତି, କିବ୍ର ବିଭିନ୍ନ ଅଂଶରେ ରୁଷ୍ ୩୦ରୁ ଅଧିକ ଥର ଗୋଳାବର୍ଷା କରିଛି। ଚେର୍ନିହିବ ସିଟି କାଉନ୍ସିଲ୍ ସଚିବ ଓଲେକଜାଣ୍ଡର ଲୋମାକୋ କହିଛନ୍ତି ରୁଷ୍ ଗତକାଲି ରାତିସାରା ଚେର୍ନିହିବରେ ଗୋଳାବର୍ଷା କରି ନାହିଁ ନଥିବା କ୍ଷୟକ୍ଷତି ଘଟାଇଛି। ରୁଷ୍ ଗତ ରାତିରେ ଚେର୍ନିହିବରେ ବିମାନ ଆକ୍ରମଣ ମଧ୍ୟ କରିଛି। ରୁଷ୍ ଚେର୍ନିହିବରୁ ସୈନ୍ୟ ପ୍ରତ୍ୟାହାର କରିବ ବୋଲି ପ୍ରତିଶ୍ରୁତି ଦେବା ପରେ ହିଁ ବେଶୀ ଆକ୍ରମଣ କରିଥିବାରୁ ଏହା ରୁଷ୍ର ରଣନୀତିର ପରିବର୍ତ୍ତନର ସୂଚନା ବୋଲି ଚେର୍ନିହିବ ଆଞ୍ଚଳିକ ପ୍ରଶାସନ ମୁଖ୍ୟ କହିଛନ୍ତି।
ଅନ୍ୟପକ୍ଷେ ମାଇକୋଲେବ୍ରେ ଗତକାଲି ହୋଇଥିବା ରକେଟ୍ ମାଡ଼ ଯୋଗୁଁ ମୃତ୍ୟୁସଂଖ୍ୟା ୧୪କୁ ବୃଦ୍ଧି ପାଇଛି। ଗୁଳିଗୋଳା ବର୍ଷା ମଧ୍ୟରେ ଆଜି ୟୁକ୍ରେନ୍ ଏବଂ ରୁଷ୍ ୩ଟି ଉଦ୍ଧାର କରିଡର୍ ଖୋଲିବା ପାଇଁ ରାଜି ହୋଇଛନ୍ତି । ମାରିୟୁପୋଲ୍ର ଏକ ରେଡ୍କ୍ରସ୍ ବିଲ୍ଡିଂରେ ଆଜି ରୁଷ୍ ବିମାନ ଆକ୍ରମଣ କରିଛି। ଛାରଖାର ହୋଇସାରିଥିବା ଏହି ସହରର ମାତ୍ର ୧୦ ପ୍ରତିଶତ ଘର ହିଁ ସୁରକ୍ଷିତ ରହିଥିବା ଜଣାପଡ଼ିଛି।