କାବୁଲ ବିଶ୍ବବିଦ୍ୟାଳୟରେ ୩ ବନ୍ଧୁକଧାରୀଙ୍କ ଆକ୍ରମଣ : ୧୯ ଛାତ୍ର ନିହତ, ୨୨ ଆହତ

କାବୁଲ (ଆଫଗାନିସ୍ତାନ): ସୋମବାର କାବୁଲ ବିଶ୍ବବିଦ୍ୟାଳୟ ପରିସରରେ  ଅଜ୍ଞାତ ବନ୍ଧୁକଧାରୀଙ୍କ ଆକ୍ରମଣରେ ଅନ୍ୟୂନ ୧୯ଜଣ ଶିକ୍ଷାର୍ଥୀ ନିହତ ହେବା ସହ  ୨୨ଜଣ ଆହତ ହୋଇଛନ୍ତି। ତେରେ  ନିରାପତ୍ତା ବଳଙ୍କ ସହ ଗୁଳିବିନିମୟରେ ଆକ୍ରମଣ କରିଥିବା ୩ ବନ୍ଧୁକଧାରୀଙ୍କର ମୃତ୍ୟୁ ଘଟିଛି ବୋଲି ଜଣେ ବରିଷ୍ଠ ଆଫଗାନ ସରକାରୀ ଅଧିକାରୀ ଏବଂ ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଆକ୍ରମଣକାରୀମାନ‌େ ଶିକ୍ଷାର୍ଥୀମାନଙ୍କ ଉପରକୁ ଗୁଳି ଚଳାଇଥିଲେ । ଶିକ୍ଷାର୍ଥୀମାନେ ସହର ମଧ୍ୟକୁ ଧାଇଁ ପଳାଉ ଥିବା ବେଳେ ମଧ୍ୟ ସେମାନେ ତାଙ୍କ ଉପରକୁ ଗୋଡ଼ାଇ ଗୋଡ଼ାଇ ଗୁଳି ଚଳାଉଥିଲେ।

ସମ୍ବାଦ ସରବରାହ ସଂସ୍ଥା ‘ରଏଟର୍ସ’କୁ ଫତୁଲ୍ଲା ମୋରାଦି ନାମକ ଜଣେ ପ୍ରତ୍ୟକ୍ଷ୍ୟଦର୍ଶୀ କହିଛନ୍ତି, ଯେଉଁ ଶିକ୍ଷାର୍ଥୀ ଦୃଷ୍ଟିରେ ପଡ଼ିଲା, ସେମାନେ ତାଙ୍କ ଉପରକୁ ଗୁଳି ଚଳାଇଲେ। ଦଳେ ସାଙ୍ଗଙ୍କ ଗହଣରେ ମୁଁ ବିଶ୍ବବିଦ୍ୟାଳୟର ଗୋଟାଏ ଫାଟକ ବାଟେ ଖସି ପଳାଇ ଆସିଲି।

କାବୁଲ ବିଶ୍ବବିଦ୍ୟାଳୟ ଆୟୋଜନ କରିଥିବା ପୁସ୍ତକମେଳାରେ ଇରାନୀୟ ରାଷ୍ଟ୍ରଦୂତ ଯୋଗ ଦେଇଥିବା ସମୟରେ ଆକ୍ରମଣକାରୀମାନେ ବିଶ୍ବବିଦ୍ୟାଳୟ ପରିସରରେ ଗୁଳି ଚଳାଇଥିଲେ।

ଏହି ଆକ୍ରମଣରେ ତାଙ୍କର ସୈନିକମାନ‌େ ସମ୍ପୃକ୍ତ ନୁହନ୍ତି ବୋଲି ତାଲିବାନ କହିଛି। ଅନ୍ୟ କୌଣସି ସଙ୍ଗଠନ ମଧ୍ୟ ଏଥିପାଇଁ ଦାୟୀ ବୋଲି ଦାବି କରିନାହାନ୍ତି।

Image Courtesy of The Times of India

ଗୁଳିଚାଳନା ପରେ ସମ୍ପୃକ୍ତ ଅଞ୍ଚଳରେ ବିସ୍ଫୋରଣ ହୋଇଥିବା କଥା ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି। ଏହି ଆକ୍ରମଣରେ ଅନ୍ୟୂନ ୧୯ ଜଣଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟାନ୍ୟ ଅନେକ ଆହତ ହୋଇଛନ୍ତି ବୋଲି ନାମ ଗୋପନ ରଖିବାକୁ ଅନୁରୋଧ କରି ଜଣେ ବରିଷ୍ଠ ସରକାରୀ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି।

ଗୃହମନ୍ତ୍ରାଳୟର ମୁଖପାତ୍ର ତାରିକ ଆରିଆନ୍ କହିଛନ୍ତି, ତିନିଜଣ ଆକ୍ରମଣକାରୀ ବିଶ୍ବବିଦ୍ୟାଳୟ ପରିସର ମଧ୍ୟକୁ ପ୍ରବେଶ କରି ନିରାପତ୍ତା ବଳଙ୍କ ସହ ଲଢ଼େଇ କରିଥିଲେ। ତିନି ଆକ୍ରମଣକାରୀ ଗୁଳି ଚୋଟରେ ନିହତ ହୋଇଛନ୍ତି।

ଅନ୍ୟୂନ ୨୨ ଜଣ ଏଥିରେ ଆହତ ହୋଇଥିବା କଥା ପୁଲିସ ସୂତ୍ରରୁ ଜଣାପଡ଼ିଛି।

ଆଫଗାନିସ୍ତାନ ପାଇଁ ଥିବା ‘ନାଟୋ’ର ବରିଷ୍ଠ ବେସାମରିକ ପ୍ରତିନିଧି ଷ୍ଟିଫାନୋ ପୋଣ୍ଟେକୋର୍ଭୋ ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି। ସେ କହିଛନ୍ତି, ୧୦ ଦିନ ମଧ୍ୟରେ ଏହା ହେଉଛି କାବୁଲର ଶିକ୍ଷାନୁଷ୍ଠାନ ଉପରେ ଦ୍ବିତୀୟ ଆକ୍ରମଣ। ସ୍କୁଲ୍ ଯିବାକୁ ଆଫଗାନୀ ପିଲା ଓ ଯୁବକମାନେ ନିରାପଦ ମନେକରୁ ନାହାନ୍ତି।

ଗତ ମାସ ଶେଷ ଆଡ଼କୁ କାବୁଲର ଅନ୍ୟ ଏକ ଶିକ୍ଷାନୁଷ୍ଠାନରେ ହୋଇଥିବା ଆକ୍ରମଣରେ ନିହତ ହୋଇଥିବା ୨୪ଜଣଙ୍କ ମଧ୍ୟରୁ ଅଧିକାଂଶ ଥିଲେ ଶିକ୍ଷାର୍ଥୀ।

ସମ୍ବନ୍ଧିତ ଖବର