ଅଜ୍ଞାତ ଆତତାୟୀର ଗୁଳିରେ ମହିଳା ସ୍ପେଶାଲ ପୁଲିସ୍‌ ଅଫିସର ସହିଦ୍‌; ୩ ଦିନରେ ଚତୁର୍ଥ ଘଟଣା

ସୋପିଆନ୍‌ (ଜମ୍ମୁ- କଶ୍ମୀର): ଅଜ୍ଞାତ ଆତତାୟୀର ଗୁଳିଚୋଟରେ ଆଜି ଅପରାହ୍ଣରେ ଜମ୍ମୁ- କଶ୍ମୀରର ସୋପିଆନ୍‌ରେ ଖୁସ୍‌ବୁ ଜାନ୍‌ ନାମ୍ନୀ ଜନୈକା ମହିଳା ସ୍ପେଶାଲ ପୁଲିସ୍‌ ଅଫିସର (ଏସ୍‌ପିଓ) ସହିଦ ହୋଇ ଯାଇଛନ୍ତି। ଆଜିର ଘଟଣାକୁ ମିଶାଇଲେ ଗତ ୩ ଦିନ ମଧ୍ୟରେ ଜମ୍ମୁ- କଶ୍ମୀରରେ ୪ ଜଣ ପୁଲିସ୍‌ ଅଧିକାରୀଙ୍କୁ ଶହୀଦ୍‌ କରି ସାରିଲେଣି ଅଜ୍ଞାତ ଆତତାୟୀ। ତେବେ, ଏହି ଘଟଣା ପଛରେ ଆତଙ୍କବାଦୀମାନଙ୍କର ହାତ ରହିଥିବା ସନ୍ଦେହ କରାଯାଉଛି।

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଦକ୍ଷିଣ କଶ୍ମୀରର ସୋପିଆନ୍‌ ଜିଲ୍ଲା ଅନ୍ତର୍ଗତ ଭିହିଲ୍‌ ଅଞ୍ଚଳରେ ମହିଳା ସ୍ପେଶାଲ ପୁଲିସ୍‌ ଅଫିସର (ଏସ୍‌ପିଓ) ଖୁସ୍‌ବୁ ଜାନ୍‌  ତାଙ୍କ ନିଜ ଘରେ ଥିବାବେଳେ ଅପରାହ୍ଣ ପ୍ରାୟ ୨ଟା ୪୦ ସମୟରେ କିଛି ଅଜ୍ଞାତ ଆତତାୟୀ ଆସି ତାଙ୍କ ଘରେ ପହଞ୍ଚି ତାଙ୍କୁ ବାହରକୁ ଡାକିଥିଲେ, ସେ ଘରୁ ବାହାରକୁ ବାହାରିବା ମାତ୍ରେ ଅଜ୍ଞାତ ଆତତାୟୀମାନେ ତାଙ୍କ ଉପରକୁ ଅନ୍ଧାଧୁନ୍ଧ ଗୁଳି ଚଳାଇ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ପରେ ଗୁରୁତର ଅବସ୍ଥାରେ ଖୁସ୍‌ବୁଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଏକ ହସ୍ପିଟାଲରେ ଭର୍ତ୍ତି କରା ଯାଇଥିଲା। ହେଲେ, ଡାକ୍ତରମାନେ ସେଠାରେ ତାଙ୍କୁ ମୃତ ଘୋଷିତ କରିଥିଲେ।

ଏହି ଘଟଣାପରେ ପୁଲିସ୍‌ ସୁରକ୍ଷା ବାହିନୀ ଓ  ସେନା ସୁରକ୍ଷା ବାହିନୀ ପକ୍ଷରୁ ସଂପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରାଯାଇ ବ୍ୟାପକ ତଲାସୀ ଅଭିଯାନ ଆରମ୍ଭ କରା ଯାଇଛି।

ସମ୍ବନ୍ଧିତ ଖବର