ଗୁପ୍ତାଙ୍କ କବ୍‌ଜାରେ ଦକ୍ଷିଣ ଆଫ୍ରିକା ସରକାର

ସଙ୍କଟରେ ରାଷ୍ଟ୍ରପତି ଜ୍ୟାକବ୍‌ ଜୁମା, ସଂସଦରେ ଅନାସ୍ଥା ପ୍ରସ୍ତାବ ଅଗାତ

ଜୋହନ୍ସବର୍ଗ: ଭାରତୀୟ ବଂଶୋଦ୍ଭବ ବ୍ୟବସାୟୀ ଗୁପ୍ତା ବ୍ରଦର୍ସଙ୍କୁ ନେଇ ଦକ୍ଷିଣ ଆଫ୍ରିକା ସରକାରରେ ବଡ଼ ସଙ୍କଟ ଉପୁଜିଛି । ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ଜ୍ୟାକବ୍‌ ଜୁମାଙ୍କ ସହଯୋଗୀ ବନ୍ଧୁ ଗୁପ୍ତା ବ୍ରଦର୍ସଙ୍କ ଜୋହନ୍ସବର୍ଗସ୍ଥିତ ସାହାରା ଇଷ୍ଟେଟ ବାସଭବନରେ ପୁଲିସ୍‌ ଚଢ଼ଉ କରି ଅନେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଜବତ କରିଛି । ରାଷ୍ଟ୍ରପତିଙ୍କ ସହ ଥିବା ସମ୍ପର୍କର ଫାଇଦା ଉଠାଇ ଗୁପ୍ତା ବ୍ରଦର୍ସ ବେଆଇନ୍‌ ଭାବେ କ୍ୟାବିନେଟ ନିଷ୍ପତ୍ତରେ ଦଖଲ ଦେବା ସହ ଅନେକ ସରକାରୀ ପ୍ରକଳ୍ପର ଟେଣ୍ଡର ହାତେଇଛନ୍ତି। ଗୁପ୍ତା ପରିବାର ନିର୍ଦ୍ଦେଶରେ ରାଷ୍ଟ୍ରପତି ଦେଶର ଶାସନ ବ୍ୟବସ୍ଥା ଚଳାଇଥିବା ଅଭିଯୋଗ ମଧ୍ୟ ହୋଇଛି। ପୁଲିସ ଚଢ଼ଉରେ ଏଯାବତ୍‌ ତିନି ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରେ ଗୁପ୍ତା ବ୍ରଦର୍ସଙ୍କ ଜଣେ ଭାଇ ଥିବା ଆଲୋଚନା ହେଉଛି। ଗୁପ୍ତା ବ୍ରଦର୍ସ ଏସ୍ତିନା ପଶୁ ପାଳନ କେନ୍ଦ୍ର ମାଧ୍ୟମରେ କୋଟି କୋଟି ଟଙ୍କାର ସରକାରୀ ଅର୍ଥ ଚଳୁ କରିଦେଇଥିବା ତଥ୍ୟ ମିଳିଛି । ଗରିବ ଓ ଅଣ ଶ୍ୱେତାଙ୍ଗ ଗରିବ କୃଷକଙ୍କ ପାଇଁ ହୋଇଥିବା ଏହି ସରକାରୀ ପ୍ରକଳ୍ପରୁ ଗୁପ୍ତା ପରିବାର ଫାଇଦା ନେଇଛନ୍ତି। ଏହି ଅଭିଯୋଗ ଆଧାରରେ ସ୍ୱତନ୍ତ୍ର ପୁଲିସ୍‌ ଟିମ୍‌ ଆଜି ଗୁପ୍ତାଙ୍କ ଘରେ ଚଢାଉ କରିଥିଲା। ଗୁପ୍ତାଙ୍କ ପରିବାର ପକ୍ଷରୁ ଦୁର୍ନୀତି ଓ ବେଆଇନ କାର୍ଯ୍ୟ ଅଭିଯୋଗକୁ ଖଣ୍ଡନ କରାଯାଇଥିବା ବେଳେ ବିରୋଧୀ ଦଳ ରାଷ୍ଟ୍ରପତି ଜୁମାଙ୍କ ଇସ୍ତଫା ଦାବି କରିଛନ୍ତି। ନିଜ ଦଳ ଭିତରେ ବି ଜୁମାଙ୍କ ସଙ୍କଟ ବଢ଼ିବାରେ ଲାଗିଛି। ରାଷ୍ଟ୍ରପତିି ନିଜ ଆଡ଼ୁ ଇସ୍ତଫା ଦେଉନଥିବାରୁ ସଂସଦରେ ଅନାସ୍ତା ପ୍ରସ୍ତାବ ଆଗତ ହୋଇଛି।

ଅନ୍ୟପକ୍ଷରେ ରାଷ୍ଟ୍ରପତି ଜୁମା(୭୫) ତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗକୁ ସମ୍ପୂର୍ଣ୍ଣ ଭିତ୍ତିହୀନ କହିବା ସହ ଏହା ଏକ ବଡ଼ ଷଡ଼ଯନ୍ତ୍ର ବୋଲି କହିଛନ୍ତି। ଶାସକ ଆଫ୍ରିକାନ୍‌ ନ୍ୟାସନାଲ କଂଗ୍ରେସ (ଏଏନ୍‌ସି) ମଧ୍ୟ ରାଷ୍ଟ୍ରପତି ଜୁମାଙ୍କ କାର୍ଯ୍ୟକୁ ନାପସନ୍ଦ କରି ବୟାନ ଜାରି କରିଛି। ଆସନ୍ତା ଡିସେମ୍ବରରେ ଏଏନ୍‌ସି ନିର୍ବାଚନ ଥିବା ବେଳେ ଉପ ରାଷ୍ଟ୍ରପତି ସିରିଲ ରାମାଫୋସାଙ୍କୁ ନୂତନ ରାଷ୍ଟ୍ରପତି ଭାବେ ନିଯୁକ୍ତ କରାଯିବା ସହ ଜୁମାଙ୍କ ୯ବର୍ଷର ଶାସନର ଅନ୍ତ ଘଟିବ ବୋଲି ଏଏନ୍‌ସି ମୁଖ୍ୟ ସଚେତକ ଜ୍ୟାକ୍‌ସନ ମଥେମ୍ବୁ କହିଛନ୍ତି। ଆଜି କ୍ୟାପ୍‌ଟାଉନ୍‌ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ମାଥେମ୍ବୁ କହିଛନ୍ତି ଯେ, ଆସନ୍ତା ଦୁଇଦିନ ମଧ୍ୟରେ ସର୍ବୋଚ୍ଚ ଅଦାଲତ ମୁଖ୍ୟ ବିଚାରପତିଙ୍କ କହିବାନୁସାରେ ନୂତନ ରାଷ୍ଟ୍ରପତିଙ୍କୁ ନିଯୁକ୍ତ କରାଯିବ। ଉପରାଷ୍ଟ୍ରପତି ରାମାଫୋସା ପ୍ରତ୍ୟକ୍ଷ ଶାସନ କ୍ଷମତା ଆପଣାଇବାକୁ ଯାଇ ରାଷ୍ଟ୍ରପତି ଜୁମାଙ୍କ ବିରୋଧରେ ଏଭଳି ଷଡଯନ୍ତ୍ର କରୁଥିବା ଜୁମା ସମର୍ଥକମମାନେ କହିଛନ୍ତି। ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ, ଏହି ମାମଲାରେ ଏଯାବତ୍‌ ତିନିି ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆହୁରି ୭-୮ ଜଣ ପୁଲିସ୍‌ ଟାର୍ଗେଟରେ ଅଛନ୍ତି। ପୂର୍ବରୁ ତତ୍କାଳୀନ ଅର୍ଥମନ୍ତ୍ରୀ ମକେଓ୍ଵିସି ଜୋନାସ୍‌ କହିଥିଲେ ଯେ, ଦେଶ ବିରୋଧୀ କିଛି ପ୍ରକଳ୍ପକୁ ମଞ୍ଜୁରୀ ଦେବା ପାଇଁ ଗୁପ୍ତା ପରିବାର ତାଙ୍କୁ ୩୨୦ କୋଟି ଟଙ୍କାର ଲାଞ୍ଚ ଯାଚିଥିଲେ। ଗତବର୍ଷ ଦେଶବ୍ୟାପୀ ୧ଲକ୍ଷରୁ ଉର୍ଦ୍ଧ୍ୱ ଇ-ମେଲ୍‌ ଲିକ୍‌ ହେବା ପରେ ଗୁପ୍ତା ପରିବାରର ଗୁମର ପଦାରେ ପଡ଼ିଯାଇଥିଲା। ଯାହାକୁ ନେଇ ଗୁପ୍ତା ଓ ଜୁମାଙ୍କ ବିରୋଧରେ ଦେଶବ୍ୟାପୀ ଆନ୍ଦୋଳନ ମଧ୍ୟ ହୋଇଥିଲା। ଗୁପ୍ତା ପରିବାର ଦକ୍ଷିଣ ଆଫ୍ରିକାରେ ଗଣମାଧ୍ୟମ ବ୍ୟବସାୟଠାରୁ ଆରମ୍ଭ କରି ଆଇଟି ଓ ଖଣି କ୍ଷେତ୍ର ପର୍ଯ୍ୟନ୍ତ ସବୁଠି ନିଜର ପ୍ରାଧାନ୍ୟ ବିସ୍ତାର କରିଛନ୍ତି। ତେବେ ଅଧିକାଂଶ ପ୍ରକଳ୍ପ ଦୁର୍ନୀତିପୂର୍ଣ୍ଣ ଉପାୟରେ କାୟା ବିସ୍ତାର କରିଥିବାରୁ ଏ ବାବଦରେ ନିରପେକ୍ଷ ତଦନ୍ତ ପାଇଁ ବିରୋଧୀ ଦଳ ଜିଦ୍‌ ଧରିଛନ୍ତି। ଗୁପ୍ତା ପରିବାରର ଭାଗ୍ୟ ଏବେ ଅନିଶ୍ଚିତତାରେ ରହିଛି।

ଗୁପ୍ତା ବ୍ରଦର୍ସ କିଏ?

ଜୋହାନ୍ସବର୍ଗ: ଦୁର୍ନୀତି ମାମଲାରେ ଦକ୍ଷିଣ ଆଫ୍ରିକାରେ ଗିରଫ ହୋଇଥିବା ଗୁପ୍ତା ବ୍ରଦର୍ସ ହେଉଛନ୍ତି ଭାରତୀୟ ବଂଶୋଦ୍ଭବ। ୧୯୯୩ ମସିହାରେ ଉତ୍ତର ପ୍ରଦେଶର ବ୍ୟବସାୟୀ ଅଭୟ ଗୁପ୍ତା, ଅତୁଲ ଗୁପ୍ତା ଓ ଟୋନି ଗୁପ୍ତା ସପରିବାରେ ବ୍ୟବସାୟ କରିବା ଲକ୍ଷ୍ୟରେ ଦକ୍ଷିଣ ଆଫ୍ରିକା ଚାଲିଯାଇଥିଲେ। ସେଠାରେ ପ୍ରଥମ ଗଣତାନ୍ତ୍ରିକ ନିର୍ବାଚନ ଆରମ୍ଭ ହେବାର ୧ ବର୍ଷ ପୂର୍ବରୁ ଗୁପ୍ତା ପରିବାର ସାହାରା ନାମକ ଏକ କମ୍ପ୍ୟୁଟର କମ୍ପାନିର ପ୍ରତିଷ୍ଠା କଲେ। ସେତେବେଳେ ନେଲସନ ମାଣ୍ଡେଲା ଦେଶର ପ୍ରଥମ ରାଷ୍ଟ୍ରପତିଭାବେ ଦାୟିତ୍ୱ ଗ୍ରହଣ କଲେ। ଭାରତରେ କ୍ଷୁଦ୍ରବ୍ୟବସାୟୀଙ୍କ ତାଲିକାରେ ସ୍ଥାନ ପାଇଥିବା ଗୁପ୍ତା ପରିବାର ଦକ୍ଷିଣ ଆଫ୍ରିକାରେ ବିଦେଶୀ ପୁଞ୍ଜିର ବିନିଯୋଗ କରି ବଡ଼ ବ୍ୟବସାୟିକ ପ୍ରତିଷ୍ଠାନ ଗଠନ କଲେ। କମ୍ପ୍ୟୁଟର, ଖଣି, ଗଣମାଧ୍ୟମ, ପ୍ରଯୁକ୍ତିବିଦ୍ୟା ଓ ଇଞ୍ଜିନିୟରିଂ ଆଦି ବିଭିନ୍ନ ବ୍ୟବସାୟରେ ନିଜର ପ୍ରଭୁତ୍ୱ ବିସ୍ତାର କରିବାକୁ ଲାଗିଲେ। ଦକ୍ଷିଣ ଆଫ୍ରିକା ସମେତ ଦୁବାଇ, ସାଉଦୀ ଆରବ ଭଳି ରାଷ୍ଟ୍ରରେ ମଧ୍ୟ ଗୁପ୍ତା ପରିବାର ନିଜର ବ୍ୟବସାୟିକ ଆଧିପତ୍ୟ ଜାହିର କରିଛନ୍ତି। ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ଜ୍ୟାକବ୍‌ ଜୁମାଙ୍କ ସହ ଏହି ପରିବାରର ସମ୍ପର୍କ ଉଭୟ ଘରୋଇ ଓ ବ୍ୟବସାୟିକ। ଗୁପ୍ତା ପରିବାରର ଓକ୍‌ବାୟ ଇନ୍‌ଭେଷ୍ଟମେଣ୍ଟ କମ୍ପାନିର ଅଂଶୀଦାର ହେଉଛନ୍ତି ରାଷ୍ଟ୍ରପତି ଜୁମା। ୨୦୦୩ ମସିହାରେ ତତ୍କାଳୀନ ଉପରାଷ୍ଟ୍ରପତି ଜୁମାଙ୍କ ସହ ଗୁପ୍ତା ପରିବାରର ପ୍ରଥମ ଭେଟ ହେବା ପରେ ୨୦୦୯ରେ ରାଷ୍ଟ୍ରପତି ନିର୍ବାଚନରେ ଗୁପ୍ତା ପରିବାର ତାଙ୍କୁ ସମସ୍ତ ସହାୟତା ଦେଇଥିଲା। ଜୁମାଙ୍କ ରାଜନୈତିକ ସଫଳତା ଉଦ୍ଦେଶ୍ୟରେ ଗୁପ୍ତା ବ୍ରଦର୍ସଙ୍କ ପକ୍ଷରୁ ‘ଦ ନିଉ ଏଜ୍‌’ ଓ ‘ଏଏନ୍‌ଏନ୍‌୭’ ନାମକ ଗଣମାଧ୍ୟମ ପ୍ରତିଷ୍ଠାନ ବି ଗଢିଉଠିଲା। ଗୁପ୍ତା ପରିବାରର କମ୍ପ୍ୟୁଟର କମ୍ପାନି ‘ସାହାରା’ରେ ଜୁମାଙ୍କ ପୁଅ ଦୁଦୁଜାନେ ନିର୍ଦ୍ଦେଶକ ଦାୟିତ୍ୱ ଗ୍ରହଣ କଲେ। ୨୦୦୯ରେ ରାଷ୍ଟ୍ରପତି ହେବା ପରେ ଗୁପ୍ତାଙ୍କ ପରୋକ୍ଷ ନିର୍ଦ୍ଦେଶରେ ଦେଶର ଶାସନ ବ୍ୟବସ୍ଥା ଚାଲିଲା,ଯାହାକୁ ନେଇ ଅନେକ ବିରୋଧ ମଧ୍ୟ ହୋଇଛି। ୨୦୧୫ରେ ଦେଶର ଅର୍ଥମନ୍ତ୍ରୀ ପଦ ରାଷ୍ଟ୍ରପତି ଜୁମା ଗୁପ୍ତାଙ୍କୁ ଦେଇଥିଲେ। କିନ୍ତୁ ବିରୋଧ ପରେ ଗୁପ୍ତା ଏହାକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ। ୨୦୧୩ ମସିହାରେ ଗୁପ୍ତା ପରିବାରର ଏକ ବିବାହରେ ୨୧୭ଜଣ ବିଦେଶୀ ଅତିଥିଙ୍କୁ ନେଇ ଆସିଥିବା ଏକ ଜେଟ୍‌ ଦେଶର ବାୟୁସେନା ବିମାନଘାଟିରେ ଅବତରଣ କରିଥିଲା। ଏହି ଉତ୍ସବରେ ରାଷ୍ଟ୍ରପତି ଜୁମା ସମ୍ମାନିତ ଅତିଥିଭାବେ ମଧ୍ୟ ଯୋଗ ଦେଇଥିଲେ। ବର୍ତ୍ତମାନର ସ୍ଥିତିକୁ ଆଖିଆଗରେ ରଖି ଦେଶର ବିଭିନ୍ନ ବ୍ୟଙ୍କଗୁଡ଼ିକ ଗୁପ୍ତା ପରିବାର ସହ ନିଜର ସମ୍ପର୍କ ଛିନ୍ନ କରିସାରିଲେଣି। କିନ୍ତୁ ରାଷ୍ଟ୍ରପତି ଜୁମା ସବୁବେଳେ ଗୁପ୍ତା ପରିବାର ନିର୍ଦ୍ଦେଶରେ କାମ କରୁଥିବା ବିରୋଧୀମାନେ ଅଭିଯୋଗ କରିଆସୁଥିଲେ। ଏହି ପରିବାରର ଅତୁଲ ଗୁପ୍ତା ହେଉଛନ୍ତି ଦେଶର ସପ୍ତମ ଧନୀ ଓ ପ୍ରଭାବଶାଳୀ ବ୍ୟକ୍ତି।

ସମ୍ବନ୍ଧିତ ଖବର