ଚଣ୍ଡିଗଡ଼: ୨୦ ବର୍ଷ କାରାଦଣ୍ଡାଦେଶ ପାଇ ସଂପ୍ରତି ରୋହତକର ସୁନାରିଆ ଜେଲ୍ରେ ଥିବା ଗୁରମୀତ୍ ରାମ ରହିମଙ୍କୁ ଅଧିକ ସୁରକ୍ଷା ଯୋଗାଇ ଦିଆଯାଉ ବୋଲି ଦାବି କରି ସିର୍ସାସ୍ଥିତ ଡେରା ସଚା ସୌଦାର ଜଣେ ଡାକ୍ତର ପଞ୍ଜାବ ଓ ହରିୟାଣା ହାଇକୋର୍ଟରେ ପିଟିସନ୍ ଦାଏର କରିଛନ୍ତି।
ମୋହିତ ଗୁପ୍ତ ନାମକ ଉକ୍ତ ଡାକ୍ତର ପିଟିସନ୍ରେ ଉଲ୍ଲେଖ କରିଛନ୍ତି ଯେ ଗୁରମୀତ୍ ରାମ ରହିମଙ୍କୁ ଜେଲ୍ ପ୍ରଶାସନ ଜଣେ ଅନ୍ତେବାସୀର ଅଧିକାର ଦେଉ ନାହାନ୍ତି। ନିୟମାନୁସାରେ ତାଙ୍କୁ କାହାରିକୁ ଭେଟିବାକୁ ଅନୁମତି ମିଳୁନାହିଁ। କୁଆଡ଼େ ଟିକେ ଫୋନ୍ କରିବାକୁ ବି ଅନୁମତି ଦିଆଯାଉନାହିଁ।
ପିଟିସନ୍ରେ ଉଲ୍ଲେଖ ଅଛି ଯେ ରାଇଟ୍ ଟୁ ଇନ୍ଫର୍ମେସନ୍ ଆକ୍ଟ୍ରେ ସେ ଜେଲ୍ ଅନ୍ତେବାସୀଙ୍କ ଅଧିକାର ସମ୍ପର୍କରେ ସୂଚନା ମାଗିଥିଲେ ବି ତାହା ତାଙ୍କୁ ଦିଆ ଯିବାକୁ ମନା କରାଗଲା।
ଜେଲ୍ ପରିସର ବାହାରେ ଚା ଦୋକାନ କରିଥିବା ଜଣେ ଜେଲ୍ ସୁପରିଣ୍ଟେଣ୍ଡ୍ଙ୍କ ଡ୍ରାଇଭର୍ଙ୍କ ବାପାଙ୍କ କଥାକୁ ଉଦ୍ଧାର କରି ଆବେଦନକାରୀ ଡାକ୍ତର ଅଦାଲତଙ୍କୁ କହିଛନ୍ତି ଯେ ଗୁରମୀତ୍ ରାମ ରହିମଙ୍କୁ ଜେଲ୍ ମଧ୍ୟରେ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଛି। ଜେଲ୍ରେ କୁଖ୍ୟାତ ଅପରାଧୀମାନଙ୍କୁ ରଖାଯାଉଥିବାରୁ ତାଙ୍କ ଜୀବନ ପ୍ରତି ବିପଦ ଅଛି।