ଗୁରନାହଙ୍କୁ ସାହିତ୍ୟରେ ନୋ‌ବେଲ

ଷ୍ଟକହୋମ : ତାଞ୍ଜାନିଆର ବିଶିଷ୍ଟ ଔପନ୍ୟାସିକ ଅବଦୁଲରଜାକ ଗୁରନାହଙ୍କୁ ୨୦୨୧ ମସିହା ପାଇଁ ସାହିତ୍ୟରେ ନୋବେଲ ପୁରସ୍କାର ମିଳିଛି। ଉପନିବେଶବାଦର ପ୍ରଭାବ ସଂପର୍କରେ ତାଙ୍କର ସାଲିସହୀନ ଏବଂ ସହାନୁଭୂତିଶୀଳ ପ୍ରବେଶ ସହିତ ସଂସ୍କୃତି ଓ ମହାଦେଶ ମଧ୍ୟରେ ରହୁଥିବା ପାର୍ଥକ୍ୟ ଯୋଗୁ ଶରଣାର୍ଥୀଙ୍କ ଭାଗ୍ୟ ସଂପର୍କରେ ତାଙ୍କର ଗଭୀର ପ୍ରବେଶ ରହିଛି। ଗୁରନାହଙ୍କ ଉକ୍ତ ଅବଦାନକୁ ସ୍ବୀକୃତି ଦେଇ ନୋବେ‌ଲ କମିଟି ତାଙ୍କୁ ଏହି ସମ୍ମାନଜନକ ପୁରସ୍କାର ପାଇଁ ଚୟନ କରିଛି।

୧୯୪୮ ମସିହାରେ ଭାରତ ମହାସାଗରରେ ଅବସ୍ଥିତ ଜାଞ୍ଜିବର ଦ୍ବୀପରେ ସେ ଜନ୍ମଲାଭ କରିଥିଲେ। କିନ୍ତୁ ଗତ ଶତାବ୍ଦୀର ଷଷ୍ଠ ଦଶକର ଶେଷ ଆଡ଼କୁ ସେ ଜଣେ ଶରଣାର୍ଥୀଭାବେ ଇଂଲାଣ୍ଡ ପଳାଇ ଥିଲେ। ଏହାପରେ ସେଠାରେ କାଣ୍ଟରବରିସ୍ଥିତ କେଣ୍ଟ ବିଶ୍ବବିଦ୍ୟାଳୟରେ ଇଂରାଜୀ ଏବଂ ପୋ‌ଷ୍ଟକଲୋନିଆଲ ଲିଟରେଚର ବିଭାଗର ପ୍ରଫେସର ଥିଲେ। ନିକଟରେ ସେ ଏହି ପଦରୁ ଅବସର ନେଇଛନ୍ତି। ୭୩ ବର୍ଷୀୟ ଗୁରନାହଙ୍କର ୧୦ଟି ଉପନ୍ୟାସ ସହିତ ବହୁସଂଖ୍ୟକ କ୍ଷୁଦ୍ର ଗଳ୍ପ ପ୍ରକାଶ ପାଇଛି। ତାଙ୍କ ସୃଜନଶୀଳତାରେ ଶରଣାର୍ଥୀମାନଙ୍କର ସମସ୍ୟା ମୁଖ୍ୟ ପ୍ରସଙ୍ଗ ରହିଆସିଛି। ତାଙ୍କର ମାତୃଭାଷା ସ୍ବାହିଲି। କିନ୍ତୁ ୨୧ ବର୍ଷ ବୟସରୁ ସେ ଇଂରାଜୀରେ ଲେଖାଲେଖି କରୁଛନ୍ତି। ପୁରସ୍କାର ବାବଦରେ ତାଙ୍କୁ ୧୦ ନିୟୁତ ସ୍ବେଡିସ ‌କ୍ରାଉନ୍ସ ବା ୧.୧୪ ନିୟୁତ ଡଲାର ମିଳିବ।

୧୯୮୬ରେ ୱୋଲେ ସୋୟିଙ୍କା ପୁରସ୍କାର ଜିତିବା ପରଠାରୁ ଗୁରନାହ ପ୍ରଥମ କୃଷ୍ଣକାୟ ଆଫ୍ରିକୀୟ ଭାବେ ଏହି ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ତାଙ୍କୁ ଏହି ପୁରସ୍କାର ମିଳିଥିବାରୁ ସେ ଅନୁଭବ କରିଥିବା ଶରଣାର୍ଥୀ ସମସ୍ୟା ଏବଂ ଉପନିବେଶବାଦ ପ୍ରସଙ୍ଗରେ ଆଗାମୀ ଦିନରେ ଅଧିକରୁ ଅଧିକ ଆଲୋଚନା ହେବ। ବର୍ତ୍ତମାନ ସୁଦ୍ଧା ସାହିତ୍ୟରେ ୧୧୭ ଜଣଙ୍କୁ ନୋବେଲ ପୁରସ୍କାର ମିଳିଛି। ସେମାନଙ୍କ ମଧ୍ୟରେ ୧୬ ଜଣ ମହିଳା ରହିଛନ୍ତି।

ସମ୍ବନ୍ଧିତ ଖବର