ଗୁରୁଗ୍ରାମ: ବିବାହର ୬ମାସ ପରେ ୧କୋଟି ଟଙ୍କା ଓ ଘର ମାଗୁଛନ୍ତି ପତ୍ନୀ। ଜୀବନ ହାରିଲେ ସେ ଦାୟୀ ରହିବେ। ଗୁରୁଗ୍ରାମର ଆଲୋକ ମିତ୍ତଲ ଏଭଳି ଅଭିଯୋଗ କରିଛନ୍ତି। କିଛି ଦିନ ହେବ ବେଙ୍ଗାଲୁରୁର ଅତୁଲ ସୁଭାଷଙ୍କ ଆତ୍ମହତ୍ୟା ପରେ ବିବାହରେ ପୁରୁଷ କେତେ ନିର୍ଯାତିତ ହୁଅନ୍ତି, ସେ ପ୍ରସଙ୍ଗ ମୁଣ୍ଡ ଟେକିଛି। ଏନେଇ ବିତର୍କ ଚାଲିଥିବା ବେଳେ ଦେଶର ବିଭିନ୍ନ କୋଣରୁ ଅନେକ ଯୁବକ ନିଜ ବିବାହ ପାଇଁ କିପରି ହତାଶ ହେଉଛନ୍ତି, ତାହା ଜଣାଉଛନ୍ତି। ଏବେ ଗୁରୁଗ୍ରାମର ୟୁଏକ୍ସ ଡିଜାଇନର ନିଜ ପତ୍ନୀଙ୍କ ଉପରେ ଗମ୍ଭୀର ଆରୋପ ଲଗାଇଛନ୍ତି।
ତାଙ୍କ ଅଭିଯୋଗ ମୁତାବକ, "ମେ’ ୨୦୨୩ରେ ମୋର ବିବାହ ହୋଇଥିଲା। ବିବାହ ପରେ ପରେ ମୋ ଚାକିରି ଚାଲିଯାଇଥିଲା। ଏମଧ୍ୟରେ ମୋ ପତ୍ନୀ ଗର୍ଭବତୀ ହେବାରୁ ମୋ ଉପରେ ଚାକିରି ଖୋଜିବାକୁ ଚାପ ପକାଇଥିଲେ। ବିଶ୍ବରେ ଯେଉଁଠି ମିଳିଲେ ବି ଚାକିରି କର ବୋଲି ସେ କହିଥିଲେ। ବହୁତ ଖୋଜାଖୋଜି ପରେ ବେଙ୍ଗାଲୁରୁରେ ମୋତେ ଚାକିରି ମିଳିଥିଲା। ହେଲେ ମୋ ପତ୍ନୀ ମୋ ସହ ନଯାଇ ଦିଲ୍ଲୀରେ ନିଜ ମାତାପିତାଙ୍କ ସହ ରହିବେ ବୋଲି କହିଲେ। କିଛି ଦିନ ପରେ ସେ ମୋ ସହ ବେଙ୍ଗାଲୁରୁ ଯିବେ ବୋଲି କହିବାରୁ ମୁଁ ଡିସେମ୍ବର ୨୦୨୩ରେ ତାଙ୍କୁ ନେବାକୁ ଦିଲ୍ଲୀ ଆସିଥିଲି। ହେଲେ ପ୍ରସବର ବାହାନା ଦେଇ ସେ ମୋ ସହ ଯିବାକୁ ମନା କଲେ। ଏହା ପରେ ସେ ବେଙ୍ଗାଲୁରୁରୁ ଚାକିରି ଛାଡ଼ି ଦିଲ୍ଲୀ ଯାଇ ତାଙ୍କ ସହ ରହିବାକୁ ବାଧ୍ୟ କଲେ। ମୁଁ ତୁରନ୍ତ ଚାକିରି ଛାଡ଼ି ଦିଲ୍ଲୀ ଯାଇନପାରିବାରୁ ପିଲା ଜନ୍ମ ହେବା ପରେ ସେ ମୋତେ ତାଙ୍କ ସହ ଦେଖା କରାଇ ନଥିଲେ। ବହୁତ ଚେଷ୍ଟା ପରେ ମୁଁ ମୋ ପୁଅକୁ ଦେଖା ହୋଇଥିଲି।"
ସେ ଆହୁରି କହିଛନ୍ତି, "ଫୋନ କଲ୍ କଲେ କାଟି ଦେବା ସହ କଲ୍ ନକଲେ ମୁଁ ସେମାନଙ୍କ କଥା ପଚାରୁନାହିଁ ବୋଲି ତାଙ୍କ ମାତାପିତା ଆରୋପ ଲଗାଇଥିଲେ। ଏଭଳି କିଛି ମାସ ଚାଲିବା ପରେ ସେ ମୋ ବିରୋଧରେ ଓ ମା’ଙ୍କ ବିରୋଧରେ ଘରୋଇ ହିଂସାର ଆରୋପ ଲଗାଇଥିଲେ। ମୋ ପୁଅ ୯ଦିନର ହୋଇଥିଲା, ଯେତେବେଳେ ମୁଁ ତାକୁ ଦେଖିଥିଲି। ଏବେ ୧୦ମାସ ହୋଇଗଲାଣି ମୁଁ ମୋ ପୁଅକୁ ଦେଖିନାହିଁ। ମୋ ପତ୍ନୀ ଏବେ ମୋ ସହ ରହୁନାହାନ୍ତି କି ମୋତେ ଛାଡ଼ପତ୍ର ଦେଉନାହାନ୍ତି। ସେ ମୋତେ ମାସକୁ ୧.୫ଲକ୍ଷ ଟଙ୍କା ଦେବାକୁ କହିବା ସହ କ୍ଷତିପୂରଣ ପାଇଁ ୧କୋଟି ଓ ଏକ ଘର ଦେବାକୁ ଦାବି କରୁଛନ୍ତି। ଏଭଳି ମାନସିକ ଚିନ୍ତା ଭିତରେ ରହିଲେ ମୋ ପାଇଁ ଜୀବନ ହାରିବା ଏକମାତ୍ର ବାଟ ହେବ। ଆଉ ଏଥିପାଇଁ ମୋ ପତ୍ନୀ ଦାୟୀ ରହିବେ।"
ତାଙ୍କର ଏଭଳି ପୋଷ୍ଟ ଏବେ ଭାଇରାଲ ହେବାରେ ଲାଗିଛି।