ଟ୍ରାଫିକ୍‌ ନିୟମ ଉଲ୍ଲଂଘନକାରୀଙ୍କ ଉପରେ ଜରିମାନା କଷିବା ପାଇଁ ଟ୍ରାଫିକ୍‌ ଅଧିକାରୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା; ଗୁରୁଗ୍ରାମର ଟ୍ରାକ୍ଟର ଡ୍ରାଇଭରଙ୍କ ଉପରେ ଲାଗିଲା ୫୯,୦୦୦ର ଜରିମାନା

ଗୁରୁଗ୍ରାମ/ ନୂଆଦିଲ୍ଲୀ: ସମଗ୍ର ଦେଶରେ ଗତ ସେପ୍ଟେଟର ୧ ତାରିଖଠାରୁ ନୂତନ ଟ୍ରାଫିକ୍‌ ନିୟମ ଲାଗୁ ହୋଇଯିବା ପରେ ଏବେ ଟ୍ରାଫିକ୍‌ ପୁଲିସ୍‌ଙ୍କ ପକ୍ଷରୁ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ସହ ଜରିମାନା ଆଦାୟକୁ କେନ୍ଦ୍ର କରି ପ୍ରତିଦ୍ୱନ୍ଦ୍ୱିତା ଆରମ୍ଭ ହୋଇଯାଇଛି। ଏହିକ୍ରମରେ, ହରିୟାଣା ଗୁରୁଗ୍ରାମର ଟ୍ରାଫିକ୍‌ ପୁଲିସ୍‌ ଆଜି ନିୟମ ଉଲ୍ଲଂଘନ ଅଭିଯୋଗରେ ଜଣେ ଟ୍ରାକ୍ଟର ଡ୍ରାଇଭରଙ୍କ ଉପରେ ୫୯,୦୦୦ ଟଙ୍କାର ଜରିମାନା କଷିଛନ୍ତି। ଏଯାବତ୍‌ କଷା ଯାଇଥିବା ଜରିମାନା ରାଶି ମଧ୍ୟରେ ଏହା ସମଗ୍ର ଦେଶରେ ସର୍ବକାଳୀନ ରହିଥିବା ଜାଣିବା ପାଇଁ ମିଳିଛି।

ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ, ଗୁରୁଗ୍ରାମର ଜଣେ ଟ୍ରାକ୍ଟର- ଟ୍ରଲି ଡ୍ରାଇଭର ୧୦ଟି ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ତାଙ୍କ ଉପରେ ଏହି ବିପୁଳ ପରିମାଣର (୫୯,୦୦୦) ଜରିମାନା ରାଶି କଷା ଯିବ ସହ ତାଙ୍କ ଟ୍ରାକ୍ଟରକୁ ଜବତ କରାଯାଇଛି। ଗୁରୁଗ୍ରାମର ନିୟୁ କଲୋନି ନିକଟରେ ଟ୍ରାଫିକ୍‌ ଅଧିକାରୀମାନେ ଏହି ଟ୍ରାକ୍ଟରଟିକୁ ଯାଞ୍ଚ କଲାବେଳେ: ଟ୍ରାକ୍ଟର ଡ୍ରାଇଭରଙ୍କର ଡ୍ରାଇଭିଂ ଲାଇସେନ୍ସ ନଥିଲା; ଟ୍ରାକ୍ଟରର ରେଜିଷ୍ଟ୍ରସନ୍‌ ସାର୍ଟିଫିକେଟ ନଥିଲା; ଟ୍ରାକ୍ଟରରେ ମାଲ ପରିବହନ ହେଉଥିଲେ ସୁଦ୍ଧା ଏହାର ଫିଟ୍‌ନେସ୍‌ ସାର୍ଟିଫିକେଟ ନଥିଲା; ଇନସ୍ୟୁରାନ୍ସ ନଥିଲା; ପ୍ରଦୂଷଣ ସାର୍ଟିଫିକେଟ ନଥିଲା; ଟ୍ରାକ୍ଟରଟିରେ ବିପଦଜନକ ସାମଗ୍ରୀର ପରିବହନ ହେଉଥିଲା; ଏବଂ ସର୍ବୋପରି ଟ୍ରାକ୍ଟର ଚାଳକ ଜଣକ ଟ୍ରାଫିକ୍‌ ସିଗ୍‌ନାଲକୁ ନମାନି ଟ୍ରାକ୍ଟର ଚଳାଉଥିଲେ। ଏହି ସମସ୍ତ ନିୟମ ଉଲ୍ଲଂଘନ କରିଥିବା କାରଣରୁ ତାଙ୍କ ଉପରେ ୫୯,୦୦୦ର ଜରିମାନା କଷା ଯାଇଥିଲା।

Jagaran

ଏହା ପୂର୍ବରୁ ଗୁରୁଗ୍ରାମ ପୁଲିସ୍‌ ଗତକାଲି ଗୋଟିଏ ଅଟୋ ଉପରେ ଏକାଧିକ ଟ୍ରାଫିକ ନିୟମ ଉଲ୍ଲଂଘନ ଅଭିଯୋଗରେ ୩୨, ୫୦୦ ହଜାର ଟଙ୍କାର ଜରିମାନା କଷିଥିଲେ, ଯାହାକି ସର୍ବାଧିକ ରହିଥିଲା। ସେହିପରି ଗୁରୁଗ୍ରାମ ପୁଲିସ୍‌ ଗତକାଲି ୧୫,୦୦୦ ଟଙ୍କା ସ୍କୁଟର ଚଳାଉଥିବା ସ୍କୁଟର ଚାଳକଙ୍କ ଉପରେ ଟ୍ରାଫିକ୍‌ ନିୟମ ଉଲ୍ଲଂଘନ ଅଭିଯୋଗରେ ୨୩,୦୦୦ ଟଙ୍କର ଜରିମାନା ଠୁଙ୍କିଥିଲା।

ତେବେ, ଆଜି ରାଜଧାନୀ ଭୁବନେଶ୍ୱରରେ ଜଣେ ଅଟୋଚାଳକଙ୍କ ବିରୋଧରେ ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ୪୭,୫୦୦ ଟଙ୍କାର ଜରିମାନା ଲଗା ଯାଇଥିଲା। ନୂତନ ନିୟମ ଲାଗୁ ହେବା ପରେ ଏହା ସାରା ଦେଶରେ ଆଇନ ଉଲଂଘନ ଲାଗି ସର୍ବାଧିକ ଜରିମାନା ଥିଲା। ତେବେ, ଏହି ରେକର୍ଡକୁ ପୁଣିଥରେ ଗୁରୁଗ୍ରାମ ଟ୍ରାଫିକ୍‌ ପୁଲିସ୍‌ ଟ୍ରାକ୍ଟର ଡ୍ରାଇଭରଙ୍କ ଉପରେ ୫୯,୦୦୦ ଜରିମାନା ଲଗାଇ ଭାଙ୍ଗି ଦେଇଛି।

ସମ୍ବନ୍ଧିତ ଖବର