ନୂଆଦିଲ୍ଲୀ: ଲଗାଣ ବର୍ଷାରେ ବେହାଲ ହୋଇଛି ରାଜଧାନୀ ଦିଲ୍ଲୀ । ସକାଳେ ଭୂକମ୍ପରେ ଦିଲ୍ଲୀ ଥରିଥିବା ବେଳେ ବର୍ଷା ପାଇଁ ହନ୍ତସନ୍ତ ହୋଇଛନ୍ତି ଲୋକେ । ଲଗାଣ ବର୍ଷା ଫଳରେ ବଢିଛି ଯମୁନା ନଦୀର ଜଳସ୍ତର । ଫଳରେ ଆଗାମୀ ଦିନରେ ଜଳବନ୍ଦୀ ମସସ୍ୟା ଭୟଙ୍କର ହେବା ନେଇ ଆଶଙ୍କା କରାଯାଉଛି ।

Advertisment

ଅନ୍ୟପଟେ ହରିୟାଣାର ଗୁରୁଗ୍ରାମ ବର୍ଷାରେ ଅଧିକ ପ୍ରଭାବିତ ହୋଇଛି । ଗତକାଲି ବର୍ଷାର ପରିମାଣ ଏତେ ଥିଲା ଯେ ସହର ପୂରା ଉବୁଟୁବୁ ଡାକିଥିଲା । ରାସ୍ତା, ଘାଟ, ପେଟ୍ରୋଲ ପମ୍ପ, ମନ୍ଦିର, ଅଫିସ, ବଜାର ସବୁ ବୁଡିଥିଲା । ରାସ୍ତାରେ ବାଇକ୍ ଭାସି ଯାଉଥିଲା, ଅନ୍ୟାନ୍ୟ ଗାଡି ଫସି ରହିଥିଲା । ଏକପ୍ରକାର ଗୁରୁଗ୍ରାମରେ ଲୋକେ ତ୍ରାହି ତ୍ରାହି ଡାକିଥିଲେ ।

ସେପଟେ ଆଜି ବି ଗୁରୁଗ୍ରାମରେ ବର୍ଷାର ତାଣ୍ଡବ ଦେଖିବାକୁ ମିଳିଛି । ଦିଲ୍ଲୀ-ଜୟପୁର ଜାତୀୟ ରାଜପଥରେ ବର୍ଷା ପାଇଁ ଗାଡ଼ି ଜାମ୍ ହୋଇଛି । ପ୍ରବଳ ଭିଡ ପାଇଁ ଗାଡ଼ି ଧିର ଗତିରେ ଯାଉଥିବା ଦେଖିବାକୁ ମିଳିଛି । ଗୁରୁଗ୍ରାମର ବିଭିନ୍ନ ଅଞ୍ଚଳ ଆଜି ବି ଜଳବନ୍ଦୀ ଅବସ୍ଥାରେ ରହିଛି । ରାସ୍ତାରେ ପାଣି ଆଣ୍ଠୁଏ ଆଣ୍ଠୁଏ ଥିବାରୁ ଗାଡିର ଷ୍ଟାର୍ଟ ବନ୍ଦ ହୋଇ ରାସ୍ତାରେ ଅଟକିଯାଉଥିବା ଦେଖିବାକୁ ମିଳିଛି ।