ଗୁରୁପ୍ରସାଦଙ୍କ କର୍ତ୍ତବ୍ୟନିଷ୍ଠା ସମଗ୍ର ଦେଶ ପାଇଁ ପ୍ରେରଣା: ଧର୍ମେନ୍ଦ୍ର

ସ୍ବର୍ଗତ ମହାପାତ୍ରଙ୍କ ଦ୍ବାରା ସଂକଳିତ ପୁସ୍ତକ ଉନ୍ମୋଚିତ

ନୂଆଦିଲ୍ଲୀ/ଭୁବନେଶ୍ବର : ଓଡ଼ିଶାର ସୁପୁତ୍ର, ବିଚକ୍ଷଣ ପ୍ରଶାସନିକ ଅଧିକାରୀ ତଥା ପ୍ରଖ୍ୟାତ ଓଡ଼ିଆ ସାହିତ୍ୟିକ ସ୍ବର୍ଗତ ମହାପାତ୍ର ନୀଳମଣି ସାହୁଙ୍କ ପୁତ୍ର ସ୍ବର୍ଗତ ଡଃ. ଗୁରୁପ୍ରସାଦ ମହାପାତ୍ରଙ୍କ କାର୍ଯ୍ୟ ପ୍ରତି ନିଷ୍ଠା ମନୋଭାବ କେବଳ ଆମ ରାଜ୍ୟ ପାଇଁ ନୁହେଁ ବରଂ ସମଗ୍ର ଦେଶ ଓ ମାନବ ଜାତି ପାଇଁ ପ୍ରେରଣାଦାୟୀ। ଡଃ. ମହାପାତ୍ରଙ୍କ ଦ୍ବାରା ସଂକଳିତ ପୁସ୍ତକ ‘ମହାପାତ୍ର ନୀଳମଣି ସାହୁଙ୍କ ସ୍ମରଣୀୟ ଗଳ୍ପ’କୁ ଶନିବାର ଦିନ ନୂଆଦିଲ୍ଲୀରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉନ୍ମୋଚନ କରିବା ଅବସରରେ ଏହା କହିଛନ୍ତି।

କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କହିଲେ, ଆଜି ଡଃ. ମହାପାତ୍ର ନାହାନ୍ତି ସତ, କିନ୍ତୁ କାର୍ଯ୍ୟ ପ୍ରତି ତାଙ୍କ ନିଷ୍ଠା ମନୋଭାବର ବର୍ଣ୍ଣନା କରିହେବ ନାହିଁ। ତାଙ୍କ କାର୍ଯ୍ୟ ଥିଲା ଅଭିନବ ଏବଂ ଅତୁଳନୀୟ। କୋଭିଡ଼ ସମୟରେ ନିଜେ କରୋନା ସଂକ୍ରମିତ ହୋଇ ମେଡିକାଲରେ ଚିକିତ୍ସାଧୀନ ଥିବା ସମୟରେ ସେ ଦେଶର ଆବଶ୍ୟକତା ରହିଥିବା ପିପିଇ କିଟ, ଅକ୍ସିଜେନ୍‌ ଯୋଗାଣକୁ ସୁନିଶ୍ଚିତ କରିଥିଲେ। ଏହା ଥିଲା ଡଃ. ମହାପାତ୍ରଙ୍କ କର୍ତ୍ତବ୍ୟନିଷ୍ଠା ଏବଂ ସମାଜ ପ୍ରତି ସମର୍ପଣ ଭାବର ନିଚ୍ଛକ ପ୍ରମାଣ। ପ୍ରଧାନମନ୍ତ୍ରୀ ତାଙ୍କ କାମରେ ଏତେ ମାତ୍ରାରେ ପ୍ରଭାବିତ ହୋଇଥିଲେ ଯେ ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ସ୍ବର୍ଗତ ମହାପାତ୍ରଙ୍କ କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଥିଲେ। ସ୍ୱର୍ଗତ ମହାପାତ୍ର ସୁରତ ମହାନିଗର ନିଗମର କମିସନର ଭାବେ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ। ସୁରତକୁ ଆଦର୍ଶ ନଗର ପରିଚାଳନାର କେନ୍ଦ୍ର ରୂପେ ପ୍ରତିଷ୍ଠା କରିବାରେ ସେ ସୂତ୍ରଧର ଥିଲେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଗାଳ୍ପିକ ନୀଳମଣିଙ୍କ ରହିଛି ଅନେକ ଅସାଧାରଣ ଗଳ୍ପ । ତନ୍ମଧ୍ୟରୁ କେତେକ ଗଳ୍ପ ‘ମହାପାତ୍ର ନୀଳମଣି ସାହୁଙ୍କ ସ୍ମରଣୀୟ ଗଳ୍ପ’ ସଙ୍କଳନ ପାଇଁ ଚୟନ କରିଥିଲେ ତାଙ୍କ ସୁପୁତ୍ର ସ୍ବର୍ଗତ ଡଃ. ମହାପାତ୍ର। ପୁସ୍ତକରେ ସ୍ଥାନିତ ୧୩ଟି ଗଳ୍ପ ଗୁରୁପ୍ରସାଦଙ୍କୁ ଅନେକ ଭାବରେ ଆଚ୍ଛାଦିତ ଓ ଆନ୍ଦୋଳିତ କରି ରଖୁଥିଲା। ଉନ୍ମୋଚିତ ହୋଇଥିବା ପୁସ୍ତକଟି ୨୦୨୦ ମସିହା ଡିସେମ୍ବର ମାସରେ ପ୍ରକାଶିତ ହୋଇଥିଲା ।

ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ସ୍ବର୍ଗତ ଡକ୍ଟର ମହାପାତ୍ରଙ୍କ ପତ୍ନୀ ଶ୍ରୀମତି ଅଞ୍ଜଳି ମହାପାତ୍ର, ତାଙ୍କ ସୁପୁତ୍ର ଦୀପ୍ତିମାନ ମହାପାତ୍ର ଓ ଜୀମୂତବରଣ ମହାପାତ୍ର, ପ୍ରମୁଖ ବକ୍ତାଗଣ ଭାବେ ଭିଡିଓ କନ୍‌ଫରେନ୍ସ ଜରିଆରେ ସାହିତ୍ୟିକ ଶାନ୍ତନୁ କୁମାର ଆଚାର୍ଯ୍ୟ, ମମତା ଦାଶ, ଯଶୋଧାରା ମିଶ୍ର, ଅର୍ଚ୍ଚନା ନାଏକ ଓ ପାରମିତା ଶତପଥୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର