ଗୁଆହାଟୀ: ଆଇଆଇଟି-ଗୁଆହାଟୀର ଗବେଷକମାନେ ଚିନିର ଏକ ନିରାପଦ ବିକଳ୍ପ ବହାର କରିଛନ୍ତି ଯାହା ଖାଇଲେ ଡାଇବେଟିସ୍ ହେବ ନାହିଁ କିମ୍ବା ମୋଟାପଣ ବଢ଼ିବ ନାହିଁ। ଜିଲିଟୋଲ ନାମକ ଏହି ମଧୁର ପଦାର୍ଥ ଆଖୁଖେଦାରୁ ପ୍ରସ୍ତୁତ କରାଯାଇଛି। ଗୁଡ଼ ତିଆରି କରିବା ପାଇଁ ଆଖୁକୁ ପେଡ଼ି ସେଥିରୁ ରସ ବାହାର କରାଯାଏ। ତା’ପରେ ଯେଉଁ ଖଦଡ଼ା ରହିଯାଏ ତାକୁ ଜାଳେଣି ଭାବରେ ବ୍ୟବହାର କରାଯାଏ। ଆଜିକାଲି ବିଜୁଳିଶକ୍ତି ଉତ୍ପାଦନ ପାଇଁ ମଧ୍ୟ ତାକୁ ବ୍ୟବହାର କରାଗଲାଣି। କିନ୍ତୁ ଆଇଆଇଟି-ଗୁଆହାଟୀର ଗବେଷକମାନେ ଅଲ୍‌ଟ୍ରାସାଉଣ୍ଡ ସାହାଯ୍ୟରେ ଏକ ବିଶେଷ ପଦ୍ଧତିରେ ଏଥିରୁ ଏକ ମଧୁରକାରକ ପଦାର୍ଥ ତିଆରି କରିବାରେ ସଫଳ ହୋଇଛନ୍ତି, ଯାହାକୁ ଚିନି ବଦଳରେ ଆମେ ଖାଇପାରିବା। ଅଧିକ ଚିନି ଖାଇଲେ ଲୋକ ମୋଟା ହୁଅନ୍ତି ଏବଂ ଡାଇବେଟିସ୍ ଥିଲେ ତାହା ବଢ଼ିଯାଏ। କିନ୍ତୁ ଚିନିର ଏହି ବିକଳ୍ପ ଜିଲିଟୋଲ ଖାଇଲେ ସେସବୁ ସମସ୍ୟା ଦେଖାଯିବ ନାହିଁ ବୋଲି ଆଇଆଇଟି-ଗୁଆହାଟୀର ମିଡିଆ ସେଲ ମଙ୍ଗଳବାର ଗଣମାଧ୍ୟମକୁ ସୂଚନା ଦେଇଛି।

Advertisment

ଧଳା ଚିନି (ସୁକ୍ରୋଜ୍) ଖାଇବା ଆଦୌ ସ୍ବାସ୍ଥ୍ୟ ପାଇଁ ହିତକାରକ ନୁହେଁ ବୋଲି ଆଜିକାଲି ଜନସଚେତନତା ବେଶ୍ ବୃଦ୍ଧି ପାଇବା ଦେଖାଯାଉଛି। ଡାଇବେଟିସ୍ ଥିବା ରୋଗୀଙ୍କ ପାଇଁ ଚିନି ହାନିକାରକ। ତେଣୁ ଏହାର ନିରାପଦ ବିକଳ୍ପ ଚିନ୍ତା କରି ଆଇଆଇଟି-ଗୁଆହାଟୀର ଗବେଷକମାନେ ଜିଲିଟୋଲ ବାହାର କରିଛନ୍ତି, ଯାହା ଆଖୁଖେଦାରୁ ତିଆରି ଏକ ସୁଗାର ଆଲକହଲ। ଏହାର ଆଣ୍ଟି-ଡାଇବେଟିକ୍ (ମଧୁମେହ ନିରୋଧୀ) ଓ ଆଣ୍ଟି-ଓବେସୋଜେନିକ୍ (ମେଦବହୁଳତା ନିରୋଧୀ) ଗୁଣ ରହିଛି। ଏହା କିଛି ପରିମାଣରେ ପ୍ରୋ-ବାୟୋଟିକ୍ ହୋଇଥିବାରୁ ଦାନ୍ତ ପୋକଖିଆ ଇତ୍ୟାଦିକୁ ନିରୋଧ କରେ। କେମିକାଲ ଇଂଜିନିୟରିଂ ବିଭାଗର ପ୍ରଫେସର ଭିଏସ୍ ମୋହଲକରଙ୍କ ନେତୃତ୍ବାଧୀନ ଗବେଷକ ଦଳରେ ଥିବା ଡ. ବେଲାଚିଉ ଜେଗାଲେ ତିଜାଉ ଓ ଡ. କୁଲଦୀପ ରାୟ ଉକ୍ତ ଗବେଷଣା ନିବନ୍ଧ ପ୍ରସ୍ତୁତ କରିଛନ୍ତି। ଏହା ଦୁଇଟି ଜର୍ଣ୍ଣାଲ ବାୟୋରିସୋର୍ସ ଟେକ୍ନୋଲୋଜି ଓ ଅଲ୍‌ଟ୍ରାସୋନିକ୍ସ ସୋନୋକେମିଷ୍ଟ୍ରିରେ ପ୍ରକାଶ ପାଇଛି। ସୁରାସାର କିଣ୍ବନ ପ୍ରକ୍ରିୟାରେ ଅଲ୍‌ଟ୍ରାସାଉଣ୍ଡ ବ୍ୟବହାର କରିବା ଯୋଗୁ ଯେଉଁ କିଣ୍ବନ (ଫର୍ମେଣ୍ଟେସନ) ପାଇଁ ୪୮ ଘଣ୍ଟା ଲାଗିବା କଥା ସେଥିପାଇଁ ୧୫ ଘଣ୍ଟା ଲାଗୁଛି ଏବଂ ଉତ୍ପାଦର ପରିମାଣ ୨୦ ପ୍ରତିଶତ ବୃଦ୍ଧି ପାଉଛି ବୋଲି ଡ. ମୋହଲକର କହିଛନ୍ତି। ଏହି ଗବେଷଣା ଚିନିଶିଳ୍ପ ପାଇଁ ଅତ୍ୟନ୍ତ ସାହାଯ୍ୟକାରୀ ହେବ। କାରଣ ସେମାନେ ଚିନି ତିଆରି ପରେ ଫୋପାଡ଼ି ଦେଉଥିବା ବା ନାମକୁ ମାତ୍ର ଦରରେ ବିକି ଦେଉଥିବା ଆଖୁଖେଦାରୁ ବର୍ତ୍ତମାନ ଆଉ ଏକ ଶିଳ୍ପ ଗଢ଼ିତୋଳିପାରିବେ।