ନୂଆଦିଲ୍ଲୀ: ଗତ ବର୍ଷ ମଧ୍ୟପ୍ରଦେଶର ଗ୍ବାଲିୟରରେ ହୋଇଥିବା ବିମାନ ଦୁର୍ଘଟଣା ଘଟଣାରେ ରାଜ୍ୟ ସରକାର ବିମାନର ପାଇଲଟଙ୍କୁ ୮୫ କୋଟି ଟଙ୍କାର ବିଲ୍ ଧରାଇଛନ୍ତି। ଏହି ବିମାନଟି ସେହି ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଯେଉଁ ସମୟରେ ବିମାନଟି କରୋନା ସ୍ୟାମ୍ପଲ ଓ କିଛି ଔଷଧ ନେଇ ଗ୍ବାଲିୟର ବିମାନବନ୍ଦରରେ ଅବତରଣ କରୁଥିଲା। ପୁଣି ଯେଉଁ ପାଇଲଟଙ୍କୁ ୮୫ କୋଟି ଟଙ୍କାର ବିଲ୍ ଦିଆଯାଇଛି ତାଙ୍କୁ କରୋନା ମହାମାରୀ ସମୟରେ ଜୀବନକୁ ବିପଦରେ ପକାଇ କାମ କରୁଥିବାରୁ କରୋନା ଯୋଦ୍ଧା କୁହାଯାଉଥିଲା।
ପ୍ରକାଶିତ ରିପୋର୍ଟ ଅନୁଯାୟୀ, ପାଇଲଟଙ୍କ ନାମ କ୍ୟାପଟେନ ମାଜିଦ୍ ଅଖତର। ଗତ ବର୍ଷ ସେ ତାଙ୍କ ସହ-ପାଇଲଟଙ୍କ ସହ କରୋନା ପରୀକ୍ଷାର ନମୁନା ଏବଂ ରୋଗୀଙ୍କ ଚିକିତ୍ସା ପାଇଁ ଔଷଧ ନେଇ ଫେରୁଥିଲେ। ଗ୍ବାଲିୟର ବିମାନବନ୍ଦରରେ ଅବତରଣ କରିବା ସମୟରେ ତାଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାଗ୍ରସ୍ତ ବିମାନଟି ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ହେଉଥିଲା।
୮୫ କୋଟି ଟଙ୍କାର ଏହି ବିଲ୍ ପାଇବା ପରେ ପାଇଲଟ୍ ଅଭିଯୋଗ କରିଛନ୍ତି ଯେ, ବିମାନ ବନ୍ଦରରେ ଥିବା ପ୍ରତିବନ୍ଧକ ବିଷୟରେ ତାଙ୍କୁ ଅବଗତ କରାଯାଇ ନଥିଲା। ଯେଉଁକାରଣରୁ ବିମାନଟିି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
ଏହା ବ୍ୟତୀତ ପାଇଲଟ୍ ଏହି ଘଟଣାରେ ବିମାନ ଚଳାଇବା ପୂର୍ବରୁ ବୀମା ନହେବା ଘଟଣାର ତଦନ୍ତ ଦାବି କରିଛନ୍ତି। ପାଇଲଟ୍ କହିଛନ୍ତି ଯେ, ବୀମା ନହେବା ପୂର୍ବରୁ କିପରି ତାଙ୍କୁ ବିମାନ ଉଡାଇବାକୁ ଅନୁମତି ଦିଆଯାଇଥିଲା ତାହା ତଦନ୍ତ ସାପେକ୍ଷ।
ଗତ ସପ୍ତାହରେ ରାଜ୍ୟ ସରକାର ପାଇଲଟଙ୍କୁ ଦେଇଥିବା ଚାର୍ଜସିଟରେ ଦାବି କରିଛନ୍ତି ଯେ ଏହି ଦୁର୍ଘଟଣା ହେତୁ ପ୍ରାୟ ୬୦ କୋଟି ଟଙ୍କା ମୂଲ୍ୟର ବିମାନଟି ନଷ୍ଟ ହୋଇଯାଇଛି। ଏହା ବ୍ୟତୀତ ସରକାର ଏହି ବିଲରେ ଅଧିକ ୨୫ କୋଟି ଟଙ୍କା ଯୋଡି କହିଛନ୍ତି ଯେ ଏଥିପାଇଁ ସରକାରଙ୍କୁ ଘରୋଇ ଅପରେଟରଙ୍କ ବିମାନକୁ ଭଡ଼ାରେ ନେବାକୁ ପଡ଼ିଥିଲା।