ଗୋଓ୍ଵାଲିୟର: ବିବାହ ଦିନ ବର କନ୍ୟା ଘରେ ପହଞ୍ଚିବା ପରେ ଶୁଭ ମୂହୁର୍ତ୍ତ ଦେଖି ବିବାହ ସଂପୂର୍ଣ୍ଣ ହୋଇଥିଲା । ବର କନ୍ୟାର ମଥାରେ ସିନ୍ଦୁର ପିନ୍ଧାଇବା ପରେ ସାତ୍ ଫେରା ନେଇ ଦୁହେଁ ଜନ୍ମ ଜନ୍ମାନ୍ତରର ସାଥି ହୋଇ ଯାଇଥିଲେ । ସବୁ ସରିବା ପରେ ଝିଅକୁ ବିଦା କରିବା ପାଇଁ ପରିବାର ଲୋକେ ପ୍ରସ୍ତୁତି ଆରମ୍ଭ କରିବା ପରେ ନବ ବିବାହିତା ଘରୁ ବିଦା ହେବାକୁ ମନା କରି ଦେଇଥିଲେ । ଏହାର କାରଣ ହେଉଛି ଯୌତୁକ । ବିବାହ ମଣ୍ଡପରୁ ଆସିଥିବା ସୁଟ୍କେଶକୁ ନେଇ କଥା କଟା କଟି ହେବାରୁ କନ୍ୟା ବିବାହ ଭାଙ୍ଗିବା କଥା ଚିନ୍ତା କରିଥିବା ଜଣା ପଡ଼ିଛି ।
ସୂଚନା ମୁତାବକ, ଦତିଆରେ ଥିବା ବଡ଼ ବଜାର ନିବାସୀ ଦ୍ୱାରିକା ପ୍ରସାଦ ଅଗ୍ରଓ୍ଵାଲଙ୍କ ଝିଅ ଶିବାନୀଙ୍କ ବିବାହ ଫାଲକା ବଜାରରେ ରହୁଥିବା ସୁରେଶ ଅଗ୍ରଓ୍ଵାଲଙ୍କ ପୁଅ ପ୍ରତୀକଙ୍କ ସହ ହେବ ବୋଲି ସ୍ଥିର କରା ଯାଇଥିଲା । ଗତ ଶୁକ୍ରବାର ଦୁହିଁଙ୍କ ବିବାହ ଥିବା ବେଳେ ବର ଆସି ଠିକ୍ ସମୟରେ ପହଞ୍ଚି ଥିଲା । ବିବାହ ସମ୍ପନ୍ନ ହେବା ପରେ ପ୍ରତୀକ୍ଙ୍କ ବାପା ଶିବାନୀଙ୍କ ବାପ ଘର ତରଫରୁ ଦିଆ ଯାଉଥିବା ସୁଟ୍କେଶ ଦେଖିବା ପାଇଁ କହିଥିଲେ । ସୁଟ୍କେଶରେ କମ୍ ଜିନିଷ ଥିବାକୁ ନେଇ ସୁରେଶ ନିନ୍ଦିବାରୁ ଦୁଇ ପକ୍ଷ ମଧ୍ୟରେ ଝଗଡ଼ା ହୋଇ ଯାଇଥିଲା । ଏହି ଝଗଡ଼ା ପରେ ସୁରେଶ ସେଠାରୁ ଚାଲି ଯାଇଥିଲେ । ଏହି ଘଟଣା ପରେ ଶିବାନୀ ପ୍ରତୀକ୍ ଏବଂ ତାଙ୍କ ବାପା ସୁରେଶଙ୍କ ଉପରେ ଯୌତୁକ ମାଗିବାର ଆରୋପ ଲଗାଇ ବିବାହ ଭାଙ୍ଗି ଦେବାକୁ କହିଥିଲେ । ଏହା ଶୁଣି ଦୁଇ ପକ୍ଷ ମଧ୍ୟରେ ଝଗଡ଼ା ବଢ଼ିବାରୁ ପୁଲିସକୁ ଡ଼କା ଯାଇଥିଲା ।
/sambad/media/post_attachments/wp-content/uploads/2019/02/fgfgdfgsdf_1550389050-300x225.jpg)
ପୁଲିସ ଆଗରେ ଶିବାନୀ ବର ପକ୍ଷ ଉପରେ ଯୌତୁକ ନେବାର ଆରୋପ ଲଗାଇ ପୁଲିସ ଷ୍ଟେସନ ନେବା ପାଇଁ କହିଥିଲେ । ଯାହା ପରେ ବର ପକ୍ଷ ଏପରି ନ କରିବାକୁ କହିବା ସହ କନ୍ୟା ପକ୍ଷରୁ ଯୌତୁକ ଆକାରରେ ନେଇଥିବା ଟଙ୍କା ଫେରାଇବାକୁ ରାଜି ହୋଇଥିଲେ । ଯାହା ପରେ ଦୁଇ ପକ୍ଷର ସହମତିରେ ବିବାହ ଭାଙ୍ଗିଥିଲା ।