ବାରାଣସୀ : ଜ୍ଞାନବାପି ମସଜିଦ ପରିସରରେ ହିନ୍ଦୁ ଦେବଦେବୀଙ୍କ ମୂର୍ତ୍ତି ଥିବାରୁ ସେଠାରେ ପୂଜାର୍ଚ୍ଚନା କରିବା ନିମନ୍ତେ ଅନୁମତି ଲୋଡ଼ି ଯେଉଁ ପିଟିସନ ଦାଖଲ ହୋଇଛି, ତାହା ଉପରେ ଶୁଣାଣି କରିବାକୁ ରାଜି ହୋଇଛନ୍ତିି ବାରଣାସୀ ଜିଲ୍ଲା କୋର୍ଟ। ଏହି ପିଟିସନକୁ ବିରୋଧ କରି ମସଜିଦ କମିଟି କରିଥିବା ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। ଆସନ୍ତା ୨୨ ତାରିଖରୁ ଏହି ମାମଲାର ଶୁଣାଣି ହେବ।
ଉକ୍ତ ପିଟିସନ ୧୯୯୧ ଧର୍ମପୀଠ ଆଇନର ବିରୋଧାଚରଣ କରୁଛି ବୋଲି ମସଜିଦ କମିଟିର ଯୁକ୍ତିକୁ ଅଗ୍ରାହ୍ୟ କରି ଜିଲ୍ଲା ଜଜ୍ ଏକେ ବିଶ୍ବେସ କହିଛନ୍ତି ଯେ ଆବେଦନକାରୀ ମସଜିଦ ପରିସର ଉପରେ ମାଲିକାନା ଦାବି କରୁ ନାହାନ୍ତି। ସେମାେନ କେବଳ ଦେବୀ ଦେବତାଙ୍କ ପୂଜାର୍ଚ୍ଚନା କରିବା ଲାଗି ଅନୁମତି ଲୋଡ଼ିଛନ୍ତି। ତେଣୁ ଏହି ଆବେଦନ ୧୯୯୧ ଧର୍ମପୀଠ ଆଇନର ଉଲ୍ଲଂଘନ କରୁନାହିଁ। ତେଣୁ ଏହି ପିଟିସନ ଶୁଣାଣି-ଯୋଗ୍ୟ ବୋଲି ସେ କହିଛନ୍ତି।
ଜଜ୍ କହିଛନ୍ତି ଯେ ଆସନ୍ତା ୨୨ ତାରିଖ ସୁଦ୍ଧା ଉଭୟ ପକ୍ଷ ସେମାନଙ୍କର ଜବାବ ଲିଖିତ ଆକାରରେ ଦେବେ। ଏହାପରେ ଶୁଣାଣି ଆରମ୍ଭ ହେବ। ମସଜିଦ ପରିସରର ସର୍ଭେ ଓ ଭିଡିଓଗ୍ରାଫି ଉପରେ ବି ଶୁଣାଣି ହେବ, ଯେଉଁଥିରେ ହିନ୍ଦୁପକ୍ଷ ଶିବଲିଙ୍ଗ ମିଳିଥିବା ଦାବି କରିଥିବା ବେଳେ ମୁସଲମାନ ପକ୍ଷ ଅସ୍ବୀକାର କରିଛନ୍ତି।
/sambad/media/post_attachments/wp-content/uploads/2022/09/gyanavapi-masjid2-750x430.jpg)
ମସଜିଦ କମିଟି ଜଜଙ୍କ ଫଇସଲାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଜଜଙ୍କ ଏହି ରାୟକୁ ଆହ୍ଳାବାଦ ହାଇକୋର୍ଟରେ ଚାଲେଞ୍ଜ କରାଯିବ ବୋଲି କମିଟି ପକ୍ଷରୁ କୁହାଯାଇଛି। କମିଟି କହିଛି ଯେ ଏଭଳି ମନ୍ଦିର-ମସଜିଦ ବିବାଦର ଅନ୍ତ ଘଟାଇବା ଉଦ୍ଦେଶ୍ୟରେ ୧୯୯୧ରେ ଧର୍ମପୀଠ ଆଇନ ପ୍ରଣୟନ କରାଯାଇଥିଲା। ଏହି ଆଇନ ଅନୁଯାୟୀ ୧୫ ଅଗଷ୍ଟ ୧୯୪୭ ପୂର୍ବରୁ ଥିବା କୌଣସି ବି ଧର୍ମର ପୂଜାସ୍ଥଳକୁ ଅନ୍ୟ କୌଣସି ଧର୍ମର ପୂଜାସ୍ଥଳ ରୂପେ ପରିବର୍ତ୍ତନ କରାଯାଇପାରିବ ନାହିଁ। ଭାରତ ସ୍ବାଧୀନ ହେବା ଦିନ ସ୍ଥିତି ଯାହାଥିଲା, ତାହା ଅବ୍ୟାହତ ରହିବ।
ସୂଚନାଯୋଗ୍ୟ ଯେ ଜ୍ଞାନବ୍ୟାପି ମସଜିଦ ପରିସରର କିଛି ସ୍ଥାନରେ ହିନ୍ଦୁ ଦେବୀ ଦେବତାଙ୍କ ମୂର୍ତ୍ତି ଥିବାରୁ ସେଠାରେ ବର୍ଷସାରା ପୂଜାର୍ଚ୍ଚନା କରିବା ଲାଗି ଅନୁମତି ଲୋଡ଼ି ୫ ଜଣ ହିନ୍ଦୁ ମହିଳା ପିଟିସନ ଦାଖଲ କରିଥିଲେ। ମସଜିଦ ପରିଚାଳନା କମିଟି ଏହାର ବିରୋଧ କରି ଯୁକ୍ତି କରିଥିଲେ ଯେ ୧୯୯୧ ଧର୍ମପୀଠ ଆଇନର ଏହା ଉଲ୍ଲଂଘନ କରୁଛି।
ଆଜିର ରାୟ ପରେ କାଶୀ ବିଶ୍ବନାଥ ମନ୍ଦିର- ଜ୍ଞାନବାପି ମସଜିଦ ବିବାଦ ନୂଆ ମୋଡ଼ ନେଇଛି। ଏହି ମସଜିଦକୁ ଲାଗି କାଶୀ ବିଶ୍ବନାଥ ମନ୍ଦିର ରହିଛି। କେତେକ ହିନ୍ଦୁ ଗୋଷ୍ଠୀ ଦାବି କରୁଛନ୍ତି ଯେ ମୋଗଲ ଶାସନ ବେଳେ ମନ୍ଦିର ଭାଙ୍ଗି ଏହି ମସଜିଦର ନିର୍ମାଣ କରାଯାଇଥିଲା।