ନୂଆଦିଲ୍ଲୀ: ବାରାଣସୀର ବହୁଚର୍ଚ୍ଚିତ ଜ୍ଞାନବାପି ସମ୍‌ଜିଦ୍‌ ମାମଲାରେ ମୁସ୍‌ଲିମ୍‌ ପକ୍ଷକୁ ଝଟ୍‌କା। ସେମାନଙ୍କ ପକ୍ଷରୁ ଦାୟର ହୋଇଥିବା ସମସ୍ତ ଆବେଦନକୁ ଖାରଜ କରି ଦେଇଛନ୍ତି ଆହ୍ଲାବାଦ୍‌ ହାଇକୋର୍ଟ। ମୁସ୍‌ଲମାନ ସଂପ୍ରଦାୟ ପକ୍ଷରୁ ସମୁଦାୟ ୫ଟି ଯାଚିକା ଦାୟର ହୋଇଥିଲା। ଏ ମଧ୍ୟରୁ ୨ଟି ମାମଲା  ବାରାଣସୀ ଜିଲ୍ଲା ଅଦାଲତରେ ବିଚାରାଧୀନ ୧୯୯୧ ମସିହା ଦେୱାନୀ ମାମଲାର ଶୁଣାଣି ବିରୋଧରେ ଥିବା ବେଳେ ଅନ୍ୟ ତିନିଟି ଭାରତୀୟ ପ୍ରତ୍ନତତ୍ତ୍ବିକ ସର୍ଭେ ( ଏଏସଆଇ) ପକ୍ଷରୁ ଜାରି ନିର୍ଦ୍ଦେଶନାମ ବିରୋଧରେ ଥିଲା। ଏହି ପିଟିସନ୍ ସୁନି ସେଣ୍ଟ୍ରାଲ୍ ୱାକଫ୍ ବୋର୍ଡ ଓ ଅଂଜୁମନ୍ ଇନ୍ତେଜାମିଆ ମସଜିଦ୍‌ କମିଟି ପକ୍ଷରୁ ଦାୟର କରାଯାଇଥିଲା। ଉପାସନାସ୍ଥଳୀର ମାଲିକାନା ନେଇ  ଜ୍ଞାନବାପି ମସଜିଦ୍‌ ଓ  କାଶିବିଶ୍ବନାଥ ମନ୍ଦିର ମଧ୍ୟରେ ବିବାଦ ପରେ ମାମଲା ଅଦାଲତକୁ ଯାଇଛି।

Advertisment

ଆହ୍ଲାବାଦ  ହାଇକୋର୍ଟ ହିନ୍ଦୁ ପକ୍ଷର ସବୁ ଯାଚିକାକୁ ଯୋଗ୍ୟ ବିବେଚନା କରି ବାରାଣସୀ ସିଭିଲ କୋର୍ଟରେ ଚାଲୁଥିବା ସମସ୍ତ ମାମଲାର ଶୁଣାଣି ୬ ମାସ ମଧ୍ୟରେ ଶେ‌ଷ ହେବ ବୋଲି କହିଛନ୍ତି। ପୂର୍ବରୁ ଆହ୍ଲାବାଦ୍‌ ହାଇକୋର୍ଟ ଜ୍ଞାନବାପି ମସଜିଦ୍‌ ଓ କାଶି ବିଶ୍ବନାଥ ମନ୍ଦିର ବିବାଦ ମାମଲାର ବିଚାର କରି ଡିସେମ୍ବର ୮ ତାରିଖରେ ରାୟ ସୁରକ୍ଷିତ ରଖିଥିଲେ।

ଉଲ୍ଲେଖଯୋଗ୍ୟ, ନିକଟ ଅତୀତରେ ସର୍ଭେ ଓ ଭିଡିଓଗ୍ରାଫି ଚାଲିଥିବା ବ‌େଳେ ବାରାଣସୀରେ ଥିବା ଜ୍ଞାନବାପି ଶୃଙ୍ଗାରଗୌରୀ ପରିସରରେ ଥିବା ଜ୍ଞାନବାପି ମସ୍‌ଜିଦ୍‌ ନିକଟରୁ ଦୁଇଟି ଅସ୍ପଷ୍ଟ ହୋଇଆସୁଥିବା ପ୍ରାଚୀନ ସ୍ବସ୍ତିକ ଚିହ୍ନ ଦେଖିବାକୁ ମିଳିଥିଲା।

ଜନପ୍ରତିବାଦ ଯୋଗୁ ବାଧା ସୃଷ୍ଟି ହେବାରୁ ପ୍ରଶାସନ ସେର୍ଭେ ଓ ଭିଡିଓଗ୍ରାଫି ଅଭିଯାନ ସ୍ଥଗିତ ରଖିଥିଲା।  ପରେ ଉକ୍ତ ସର୍ଭେ ଟିମ୍‌ ଗଣମାଧ୍ୟମକୁ କହିଥିଲେ ଯେ, ମସ୍‌ଜିଦ୍‌ ବାହାରେ ସେମାନେ  ଦୁଇଟି ସ୍ବସ୍ତିକ ଚିହ୍ନ ଦେଖିଛନ୍ତି।  ଲିଭି ଆସିଥିଲେ ବି ତାହା ଅପେକ୍ଷାକୃତ ସ୍ପଷ୍ଟ ଅଛି। ସମ୍ଭବତଃ ପ୍ରାଚୀନ କାଳରେ ସେ ଦୁଇଟିକୁ ଅଙ୍କନ କରାଯାଇଥିଲା।

ସଂଖ୍ୟାଲଘୁ ବ୍ୟକ୍ତିମାନେ ପ୍ରତିବାଦ କରିବାରୁ ଦଳେ ଓକିଲଙ୍କୁ ଜ୍ଞାନବାପୀ ମସ୍‌ଜିଦ୍‌ ମଧ୍ୟକୁ ଛଡ଼ା ନ ଯିବାରୁ ମସ୍‌ଜିଦ୍‌ ବାହାରେ କେତେକ ଅଞ୍ଚଳରେ ଭିଡିଓଗ୍ରାଫି ଓ ସର୍ଭେ ବନ୍ଦ କରାଯାଇଥିଲା।

କିନ୍ତୁ, ଜ୍ଞାନବାପି ମସ୍‌ଜିଦ୍‌ ବାହାରେ ଭିଡିଓଗ୍ରାଫି ଓ ସର୍ଭେ କାର୍ଯ୍ୟ ଚାଲିବ ବୋଲି ପରବର୍ତ୍ତୀ ମୁହୂର୍ତ୍ତରେ ବାରାଣସୀର ଏକ ଅଦାଲତ ଆଦେଶ ଦେଇଥିଲେ।  ସେ ଅଞ୍ଚଳ‌ ପାଖରେ ଦତାରଖ କରିବା ଲାଗି ଅଦାଲତ କେତେକ ସରକାରୀ ଅଧିକାରୀ ଏବଂ ଦଳେ ଓକିଲଙ୍କୁ ନିଯୁକ୍ତି ଦେବା ପରେ ସେଠାରେ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା।

ଆପଣ ଜାଣିଥିବେ ନିଶ୍ଚୟ ‌ଯେ ଜ୍ଞାନବାପି ମସ୍‌ଜିଦ୍‌ ବାହାର କାନ୍ଥରେ ଥିବା ହିନ୍ଦୁ ଦେବାଦେବୀଙ୍କ ପ୍ରତିମା ପୂଜା କରିବା ପାଇଁ ଅନୁମତି ଲୋଡ଼ି ଦିଲ୍ଲୀନିବାସୀ ମହିଳା ରାଖି ସିଂହ, ଲକ୍ଷ୍ମୀଦେବୀ, ସୀତା ସାହୁ ଏବଂ ଅନ୍ୟମାନେ ଆବେଦନ କରିବାରୁ ବାରାଣସୀ ଜିଲ୍ଲା ଅଦାଲତଙ୍କ ଆଦେଶକ୍ରମେ ସେଠାରେ ସର୍ଭେ କରାଯାଉଛି।