ଜ୍ଞାନବାପି ପରିସରରୁ ମିଳିଥିବା ‘ଶିବଲିଙ୍ଗ’କୁ ଭକ୍ତମାନଙ୍କ ସହ ଶନିବାର ପୂଜା କରିବାକୁ ଯିବେ ସ୍ବାମୀ ଅଭିମୁକ୍ତେଶ୍ବରାନନ୍ଦ

ବାରାଣସୀ:  ବାରାଣସୀର ଜ୍ଞାନବାପି ମସ୍‌ଜିଦ୍‌ ପରିସରରୁ ମିଳିଥିବା ‘ଶିବଲିଙ୍ଗ’ ସଂକ୍ରାନ୍ତରେ ସ୍ବାମୀ ଅଭିମୁକ୍ତେଶ୍ବରାନନ୍ଦ ଶୁକ୍ରବାର ଘୋଷଣା କରିଛନ୍ତି ଯେ ସେ ଏବଂ ତାଙ୍କର ଭକ୍ତମାନେ ସେଠାରେ ଯାଇ ପ୍ରାର୍ଥନା କରିବେ। ଅଭିମୁକ୍ତେଶ୍ବରାନନ୍ଦ ହେଉଛନ୍ତି ଶଙ୍କରାଚାର୍ଯ୍ୟ ସ୍ବାମୀ ସ୍ବରୁପାନନ୍ଦ ସରସ୍ବତୀଙ୍କର ଜଣେ ଶିକ୍ଷ୍ୟ।

ସ୍ବାମୀ ଅଭିମୁକ୍ତେଶ୍ବରାନନ୍ଦ ଆହୁରି ବି କହିଛନ୍ତି ଯେ ଯଦି ତାଙ୍କୁ ପ୍ରାର୍ଥନା କରିବାରୁ ପ୍ରଶାସନ ରୋକେ ତ ସେ ଏ ନେଇ ଶଙ୍କରାଚାର୍ଯ୍ୟଙ୍କୁ ସୂଚୀତ କରିବେ ଓ ଶଙ୍କରଚାର୍ଯ୍ୟ ଯାହା ଆଦେଶ ଦେବେ ସେ ମାନିବେ। ସ୍ବାମୀ ସ୍ବରୁପାନନ୍ଦ ସରସ୍ବତୀ ଉଭୟ ଗୁଜୁରାଟର ଦ୍ବାରକା ଶାରଦା ପୀଠମ୍‌ ଏବଂ ବଦ୍ରିନାଥ୍‌ର ଜ୍ୟେର୍ତି ମଠର ଶଙ୍କରାଚାର୍ଯ୍ୟ।

ସେ ନିଜର ବୟାନ ଦେଇ କହିଛନ୍ତି, ‘ଧର୍ମକୁ ନେଇ ଧର୍ମାଚାର୍ଯ୍ୟର ନିଷ୍ପତ୍ତି ଚୂଡ଼ାନ୍ତ ଅଟେ। ଯେପରି ସୁପ୍ରିମ୍‌କୋର୍ଟ ଆଇନ୍‌କୁ ବ୍ୟାଖ୍ୟା କରେ ସେପରି ଧର୍ମକୁ ଧର୍ମାଚାର୍ଯ୍ୟ ବ୍ୟାଖ୍ୟା କରେ। ସନାତନ ଧର୍ମରେ ଶଙ୍କରାଚାର୍ଯ୍ୟ ହେଉଛନ୍ତି ସବୁଠାରୁ ବଡ଼ ଗୁରୁ। ସ୍ବରୁପାନନ୍ଦ ହେଉଛନ୍ତି ଜଣେ ବରିଷ୍ଠ। ଯେହେତୁ ଜ୍ଞାନବ୍ୟାପିରେ ବିଶ୍ବନାଥଜୀ(ମହାଦେବ) ବ‌ାହାରିଛନ୍ତି, ଆମେ ହିନ୍ଦୁ ସଂପ୍ରଦାୟ ପକ୍ଷରୁ ତାଙ୍କର ପୂଜାର୍ଚ୍ଚନା ପାଇଁ ସାମଗ୍ରୀ ପ୍ରସ୍ତୁତ କରିଛୁ। ଆମେ ରାଜନୈନିକ ହିନ୍ଦୁ ନୁହଁ, ବାସ୍ତବ ହିନ୍ଦୁ। ଶନିବାର ଦିନ ଆମେ ସେଠାରେ ଶିବଙ୍କ ପୂଜାଚ୍ଚନା କରିବୁ।’

ଆପଣ ଜାଣିଥିବେ ନିଶ୍ଚୟ ଯେ ସ୍ଥାନୀୟ ଅଦାଲତଙ୍କ ନିର୍ଦ୍ଦେଶକ୍ରମେ କାଶୀ ବିଶ୍ବନାଥ ମନ୍ଦିର ନିକଟରେ ଥିବା ଜ୍ଞାନବାପି ମସଜିଦ୍‌ର ଭିଡିଓଗ୍ରାଫି ସର୍ଭେ ଶେଷ ହେବା ପରେ ଆଇନଜୀବୀ ବିଷ୍ଣୁ ଜୈନ ମସଜିଦ ପରିସରରେ ଥିବା ଏକ କୂଅରୁ ଏକ ଶିବଲିଙ୍ଗ ମିଳିଥିବା ଦାବି କରିଥିଲେ। ସେଠାରେ ୧୨ ଫୁଟ ଉଚ୍ଚର ଏବଂ ୮ ଇଞ୍ଚ ଗୋଲେଇର ଶିବଲିଙ୍ଗ ମିଳିଥିବା କୁହାଯାଇଥିଲା। ମାତ୍ର ଏହି କଥାକୁ ମୁସ୍‌ଲମାନ ସଂପ୍ରଦାୟ ଅସ୍ବୀକାର କରିଥିଲେ। ବର୍ତ୍ତମାନ ଏ ସଂପର୍କିତ ମାମଲାର ଶୁଣାଣି ବାରାଣସୀ ଜିଲ୍ଲା ଜଜଙ୍କ ଅଦାଲତରେ ଚାଲିଛି ।

 

 

 

ସମ୍ବନ୍ଧିତ ଖବର