ନୂଆଦିଲ୍ଲୀ: ଭୟଙ୍କର କରୋନା ମହାମାରୀର ପ୍ରଭାବ ଟିକେ କମ ହୋଇଥିବା ବେଳେ ଏବେ ବିଶ୍ୱ ଆଡକୁ ଆଉ ଏକ ବିପଦ ମାଡ଼ି ଆସୁଛି। କରୋନା ପରେ ଏବେ ବିଶ୍ବବାସୀ ଆଉ ଏକ ମହାମାରୀର ସାମ୍ନା କରିପାରନ୍ତି ବୋଲି ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି। କୁହାଯାଉଛି ଯେ, ବର୍ତ୍ତମାନ ଏଚ୍୫ଏନ୧ ଅର୍ଥାତ୍ ବାର୍ଡ ଫ୍ଲୁ ମହାମାରୀର ରୂପ ନେବାର ସମ୍ଭାବନା ରହିଛି, ଯାହା କୋଭିଡ-୧୯ଠାରୁ ୧୦୦ଗୁଣ ଅଧିକ ମାରାତ୍ମକ ହେବ।
ଏଚ୍୫ଏନ୧ର ନୂତନ ଷ୍ଟ୍ରେନ୍ ଗୁରୁତର ପ୍ରଭାବ ପକାଇବ ବୋଲି ବିଶେଷଜ୍ଞମାନେ ଦାବି କରିଛନ୍ତି।ଏବିଷୟରେ ଜାଣିବା ପରେ ଆମେରିକାର ହ୍ବାଇଟ ହାଉସ୍ ମଧ୍ୟ ଉଦବେଗ ପ୍ରକାଶ କରିଛି। ଭୂତାଣୁ ଅନୁସନ୍ଧାନକାରୀମାନେ ସୂଚାଇ ଦେଇଛନ୍ତି ଯେ ଏଚ୍୫ଏନ୧ ଖୁବଶୀଘ୍ର ମହାମାରୀର ରୂପ ହେବାର ସମ୍ଭାବନା ରହିଛି।
ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, କୋଭିଡ-୧୯ଠାରୁ ଏଚ୍୫ଏନ୧ ଅଧିକ ସଂକ୍ରାମକ ହେବ ବୋଲି ବିଶେଷଜ୍ଞମାନେ ଦାବି କରିବା ପରେ ହ୍ବାଇଟ ହାଉସ ଏହାର ସକ୍ରିୟତାର ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଥିବା କହିଛି। ଆମେରିକାରେ ଗତ କିଛି ଦିନ ମଧ୍ୟରେ ଗାଈ, ବିଲେଇ ଏବଂ ମଣିଷଙ୍କ ସମେତ ବିଭିନ୍ନ ସ୍ତନ୍ୟପାୟୀ ପ୍ରାଣୀଙ୍କ ମଧ୍ୟରେ ଏଚ୍୫ଏନ୧ ସଂକ୍ରମଣ ଚିହ୍ନଟ ହୋଇଛି। ଏହା ଦେଖାଯାଇଛି ଯେ ପଶୁମାନଙ୍କ ଅପେକ୍ଷା ମଣିଷମାନଙ୍କ ଶରୀରରେ ଏହି ଭୂତାଣୁ ଅଧିକ ଖରାପ ପ୍ରଭାବ ପକାଉଛି।