ହ୍ୟାକରମାନେ ପୁଣେର କସ୍‌ମସ୍‌ ବ୍ୟାଙ୍କରୁ ଲୁଟିିନେଲେ ଗ୍ରାହକଙ୍କର ୯୪ କୋଟି

ପୁଣେ (ମହାରାଷ୍ଟ୍ର): ସଂପ୍ରତି ଇ-ପେମେଣ୍ଟ, କାର୍ଡ ଟ୍ରାନଜାକସନ୍‌, ନେଟ୍‌ ବ୍ୟାଙ୍କିଙ୍ଗ, ଡିଜିଟାଲ ଇଣ୍ଡିଆ ଆଦିର କଥା କୁହା ଯାଉଥିବା ବେଳେ ଦେଶରେ ଇଣ୍ଟରନେଟ୍‌ ସୁରକ୍ଷା ବିଶେଷକରି ନେଟ୍‌ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥାକୁ ଏଯାବତ୍‌ ସୁରକ୍ଷିତ କରାଯାଇ ପାରିଲା ନାହିଁ। ଏସଂପର୍କରେ ବହୁ ଅଭିଯୋଗ ଶୁଣିବାକୁ ମିଳୁଥିବା ବେଳେ ଏହାର ସଦ୍ୟତମ ଉଦାହାରଣ ଏବେ ଦେଖିବା ପାଇଁ ମିଳିଛି ପୁଣେରେ। ହ୍ୟାକର୍‌ମାନେ ପୁଣେର ଖ୍ୟାତନାମା ବ୍ୟାଙ୍କ୍‌ କସ୍‌ମସ୍‌ ବ୍ୟାଙ୍କ ଉପରେ ସାଇବର ହାମଲା କରି ୯୪ କୋଟି ଟଙ୍କା ଲୁଟି ନେଇଥିବା ଜାଣିବାକୁ ମିଳିଛି। ହ୍ୟାକରମାନେ କସ୍‌ମସ୍‌ ବ୍ୟାଙ୍କର ଏଟିଏମ୍‌ ସ୍ୱିଇଚ୍‌ ସର୍ଭରକୁ ହ୍ୟାକ୍‌ କରି ସେଠାରୁ ଏକାଧିକ ଭିସା ଓ ରୂପେ ଡେବିଟ୍‌ କାର୍ଡଧାରୀ ଗ୍ରାହକଙ୍କର ସମସ୍ତ ତଥ୍ୟ ଲୁଟି ନେଇଥିଲେ।

ପରେ, ହ୍ୟାକରମାନେ ଏହି ସମସ୍ତ ତଥ୍ୟକୁ ବ୍ୟବହାର କରି ଦେଶ ବାହାରେ, ବିଦେଶୀ ଆକାଉଣ୍ଟରେ ୧୨,୦୦୦ ଟ୍ରାନ୍‌ଜାକସନ ଜରିଆରେ ୭୮ କୋଟି ଟଙ୍କା ଲୁଟି ନେଇଥିବା ବେଳେ ଦେଶ ଭିତରେ ୨,୮୦୦ଟି ଟ୍ରାନ୍‌ଜାକସନ୍‌ କରି ୮୦ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ସେହିପରି ହଂକଂର ହାନ୍‌ସେଙ୍ଗ୍‌ ବ୍ୟାଙ୍କ୍‌ ଜରିଆରେ ଏଏଲ୍‌ଏମ୍‌ ଟ୍ରେଡିଂ ଲିମିଟେଡ୍‌ ନାମକ ଏକ କମ୍ପାନିକୁ ୧୨ କୋଟି ଟଙ୍କା ପଠାଇଛନ୍ତି। ଏହିପରି ଭାବେ ହ୍ୟାକରମାନେ ପୁଣେର କସମସ୍‌ ବ୍ୟାଙ୍କ୍‌ରୁ ୯୪ କୋଟି ଟଙ୍କା ଲୁଟି ନେଇଥିବା ଜାଣିବାକୁ ମିଳିଛି।

କସ୍‌ମସ୍‌ ବ୍ୟାଙ୍କରେ ହୋଇଥିବା ଏହି ସମସ୍ତ ଠକେଇକୁ ହ୍ୟାକରମାନେ କାନାଡାରେ ଥାଇ କରିଥିବା କହିଛନ୍ତି କସ୍‌ମସ୍‌ ବ୍ୟାଙ୍କର ଅଧ୍ୟକ୍ଷ ମିଲନ୍ଦ କାଲେ। ଏଥିସହ ଭାରତୀୟ ରିଜର୍ଭ ବ୍ୟାଙ୍କ ଓ ଆୟକର ବିଭାଗ ପକ୍ଷରୁ ମଧ୍ୟ ଏହି ଘଟଣା ସଂପର୍କରେ ତଦନ୍ତ ଆରମ୍ଭ ହୋଇଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ବ୍ୟାଙ୍କ ଅଧ୍ୟକ୍ଷ ମିଲନ୍ଦ କାଲେ। ଏହାବାଦ୍‌ ଏହି ଲୁଟ୍‌ ସଂପର୍କରେ ବ୍ୟାଙ୍କ୍‌ ପକ୍ଷରୁ ପୁଣେ ପୁଲିସ୍‌ର ସାଇବର ସେଲରେ ଅଭିଯୋଗ ଆଗତ କରାଯିବା ପରେ ସାଇବର ସେଲ ମୁ୍‌ଖ୍ୟ ଜ୍ୟୋତି ପ୍ରିୟା ସିଂହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର