ଓ୍ଵାସିଂଟନ: ଦକ୍ଷିଣ ଚୀନ୍ ସାଗରରେ ଚୀନ୍ର ଆଧିପତ୍ୟ ବିସ୍ତାରରେ ରୋକ୍ ଲଗାଇବା ପାଇଁ ଆମେରିକା ପ୍ରୟାସ କରୁଥିବା ବେଳେ ଚୀନ୍ ଏହାକୁ ଭଣ୍ଡୁର କରିବାର ଉପାୟ ମଧ୍ୟ ବାହାର କରିସାରିଛି। ଆମେରିକା ନୌସେନାର ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ଚୀନ ହ୍ୟାକିଂ ମାଧ୍ୟମରେ ଚୋରି କରିନେଇଥିବା ଅଭିଯୋଗ ହୋଇଛି। ଦକ୍ଷିଣ ଚୀନ୍ ସାଗର ସମ୍ବନ୍ଧିତ ଆମେରିକାର ପ୍ରକଳ୍ପ ‘ ସି ଡ୍ରାଗନ’, ବିଭିନ୍ନ ସିଗନାଲ, ସେନସର ଓ ନୌସେନାର ସାଙ୍କେତିକ ମାଧ୍ୟମରେ ଥିବା କିଛି ସମ୍ବେଦନଶୀଳ ଗୁପ୍ତ ତଥ୍ୟ ଚୋରି ହୋଇଛି। ନୌସେନାର ସବ୍ମେରିନ୍ ବିକାଶ ୟୁନିଟ ଓ ବୈଦ୍ୟୁତିକ ଲାଇବ୍ରେରୀରୁ ମଧ୍ୟ ବିଭିନ୍ନ ତଥ୍ୟ ଗାଏବ ହୋଇଯାଇଛି। ଚୀନ୍ ଚୋରି କରିଥିବା ସମସ୍ତ ଗୁପ୍ତ ତଥ୍ୟର ପରିମାଣ ୬୧୪ ଜିବି ବୋଲି ଆମେରିକା ସେନା ପକ୍ଷରୁ କୁହାଯାଇଛି। ଏହି ତଥ୍ୟଗୁଡ଼ିକ ମଧ୍ୟରେ ଆମେରିକାର ଗୁପ୍ତ ସାମରିକ ଯୋଜନା, ସୁପରସୋନିକ ଆଣ୍ଟି ସିପ୍ କ୍ଷେପଣାସ୍ତ୍ର ଆଦି ନିର୍ମାଣର ସମସ୍ତ ପ୍ରକଳ୍ପ ରିପୋର୍ଟ ମଧ୍ୟ ରହିଥିଲା। ଗତ ଜାନୁଆରି ଓ ଫ୍ରେବୃଆରି ମାସରେ ହୋଇଥିବା ଏହି ତଥ୍ୟ ଲିକ୍ ସମ୍ପର୍କରେ ଆମେରିକା ନୌସେନା ଓ ଗୁଇନ୍ଦା ବିଭାଗ ଏଫବିଆଇ ଏବେ ତଦନ୍ତ କରୁଥିବା ଆମେରିକା ସ୍ପଷ୍ଟ କରିଛି।
ଆମେରିକାର ନୌସେନା କମାଣ୍ଡ ସେଣ୍ଟରରେ କାର୍ଯ୍ୟରତ ଠିକାଦାରଙ୍କୁ ଟାର୍ଗେଟ କରି ଚୀନ୍ ଏହି ସବୁ ତଥ୍ୟ ଚୋରି କରିଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, ରୋଡେ ଦ୍ୱୀପର ନିଉପୋର୍ଟ ସିଟିରେ ଥିବା ଏହି ନୌସେନା କେନ୍ଦ୍ରରେ ବିଭିନ୍ନ ସବ୍ମେରିନ ଓ ସମୁଦ୍ରରେ ବ୍ୟବହାର କରାଯାଉଥିବା ଅସ୍ତ୍ର ସମ୍ପର୍କରେ ଗବେଷଣା ହୋଇଥାଏ। ତେବେ ଘଟଣା ସମ୍ପର୍କରେ ଜଣାପଡ଼ିବା ପରଠାରୁ ଏହି କଣ୍ଟ୍ରାକ୍ଟରଙ୍କ କୌଣସି ଖୋଜ୍ ଖବର ମିଳୁନାହିଁ। ଏହି ତଥ୍ୟ ଲିକ୍ ହେବା ପରେ ଆମେରିକା ନୌସେନାର କ୍ଷମତା ଓ ଅସ୍ତ୍ରଶସ୍ତ୍ରର ସୁରକ୍ଷା ନେଇ ଚିନ୍ତା ବଢି ଯାଇଛି। ଆମେରିକା ନୌସେନା ମୁଖପାତ୍ର କମାଣ୍ଡର ବିଲା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ସେନାର ଏଭଳି ତଥ୍ୟ ଚୋରି ହେବା ଚିନ୍ତାର କାରଣ ହୋଇଛି। ସେନାର ଆଗାମୀ କାର୍ଯ୍ୟପନ୍ଥା ଉପରେ ଏହା ନିଶ୍ଚିତଭାବେ ପ୍ରଭାବ ପକାଇବ। କିନ୍ତୁ ସବୁ ତଥ୍ୟ ସମ୍ପର୍କରେ ଏବେ ଆଲୋଚନା କରିବା ଠିକ୍ ନୁହେଁ ବୋଲି ସେ କହିଛନ୍ତି। ଆମେରିକାର ସାମରିକ ଶକ୍ତିକୁ ଚୋରିକରି ଚୀନ୍ ପୂର୍ବ ଏସିଆରେ ସବୁଠୁ ବଡ଼ ଶକ୍ତି ହେବାକୁ ଚେଷ୍ଟା କରୁଥିବା ପ୍ରତିରକ୍ଷା ସଚିବ ଜେମ୍ସ ମାଟିସ୍ କହିଛନ୍ତି।