ନୂଆଦିଲ୍ଲୀ: ଗତ ଜାନୁଆରି ମାସରେ ଆମେରିକାରେ ପୁଲିସ ଗାଡ଼ି ଧକ୍କାରେ ଜଣେ ଭାରତୀୟ ଛାତ୍ରୀଙ୍କ ମୃତ୍ୟୁ ଘଟଣାକୁ ଏକ ନୂଆ ବିବାଦ ଦେଖାଦେଇଛି । ପୁଲିସ ଗାଡ଼ିଧକ୍କାରେ ଛାତ୍ରୀଙ୍କ ମୃତ୍ୟୁ ହୋଇଥିଲେ ବି ଆମେରିକା ପୁଲିସ ତାହାକୁ ନେଇ ବ୍ୟଙ୍ଗ କରୁଥିବା ଏକ ଭିଡିଓ ସାମନାକୁ ଆସିଛି ।

Advertisment

ନିକଟରେ ଭାଇରାଲ ହୋଇଥିବା ଏକ ଭିଡିଓରେ ଦେଖାଯାଉଛି ଯେ ଦୁର୍ଘଟଣା ପରେ ସିଆଟଲ ପୁଲିସ ୟୁନିୟନର ୨ କର୍ମଚାରୀ ପରସ୍ପର ସହ କଥାହେଉଛନ୍ତି । ଏହି ସମୟରେ ଡାନିଏଲ ଅଡେରର ନାମକ ଜଣେ ଅଫିସର କହିଥିଲେ ଯେ ଯିଏ ମରିଗଲା ତାହାର ମୂଲ୍ୟ କମ ଥିଲା ଓ କ୍ଷତିପୂରଣ ବାବଦରେ ୧୧ ହଜାର ଡଲାର ଦିଆଯାଉ ।

ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଜାନୁଆରି ୨୩ ତାରିଖରେ ସିଆଟଲର ସାଉଥ ଲେକ୍ ୟୁନିୟନ ଅଧିନସ୍ଥ ଉତ୍ତର-ପୂର୍ବ ବିଶ୍ୱବିଦ୍ୟାଳୟର ଛାତ୍ରୀ ଜାହ୍ନବୀ କାଣ୍ଡୁଲା ପୁଲିସ ଗାଡ଼ିଧକ୍କାରେ ପ୍ରାଣ ହରାଇଥିଲେ ।  । ଜାହ୍ନବୀ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ପାଇଁ ୨୦୨୧ ରେ ବେଙ୍ଗାଲୁରୁରୁ ଯାଇ ଆମେରିକାର ସିଏଟଲରେ ପହଞ୍ଚିଥିଲେ ଏବଂ ଏକ ଇଞ୍ଜିନିୟରିଂ କଲେଜରେ ମାଷ୍ଟର ଅଫ୍ ସାଇନ୍ସ ପଢୁଥିଲେ । ଦୁର୍ଘଟଣା ଘଟାଇଥିବା ଗାଡ଼ି ପଛରେ ସିଏଟଲ୍ ଅଫିସର କେଭିନ୍ ଡେଭ୍ ବସିଥିଲେ। ବଡି କ୍ୟାମେରା ଭିଡିଓରେ କେଭିନଙ୍କ ସ୍ପିଡୋମିଟରରେ ଘଣ୍ଟା ପ୍ରତି ୭୪ ମାଇଲ ବେଗ ଦେଖାଉଥିଲା ।

୨୩ ବର୍ଷୀୟ ଜାହ୍ନବୀ ଡେକ୍ସଟର ଆଭେନ୍ୟୁ ନର୍ଥ ଓ ଥୋମାସ ଷ୍ଟ୍ରିଟ୍ ନିକଟରେ ଚାଲିଚାଲି ଯାଉଥିବା ବେଳେ ତାଙ୍କୁ ସିଆଟଲ ପୁଲିସ ଗାଡ଼ି ଧକ୍କା ଦେଇଥିଲା । ପରେ ପୁଲିସ ତାଙ୍କୁ ଗୁରୁତର ଅବସ୍ଥାରେ ହାର୍ବରଭ୍ୟୁ ମେଡିକାଲ ସେଣ୍ଟରକୁ ନିଆଯାଇଥିଲା, କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।