ହାଫିଜ ପୁଣି ଗିରଫ

ଆମେରିକା ଚାପରେ ନଇଁଲା ପାକିସ୍ତାନ

ନୂଆଦିଲ୍ଲୀ: ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଜମାତ ଉଦ୍‌୍‌ ଦାଓ୍ଵାର ମୁଖିଆ ହାଫିଜ୍‌ ସୟିଦକୁ ଆଜି ପୁଣି ଗିରଫ କରାଯାଇଛି। ନିକଟରେ ଗୃହବନ୍ଦୀରୁ ମୁକ୍ତି ପାଇଥିବା ହାଫିଜକୁ ନେଇ ପାକିସ୍ତାନ ସରକାରଙ୍କ ନରମ ଆଭିମୁଖ୍ୟକୁ ଆମେରିକା କଡ଼ା ସମାଲୋଚନା କରିବା ପରେ ଆଜି ସରକାର ନିଷ୍ପତ୍ତି ବଦଳାଇ ହାଫିଜକୁ ଗିରଫ କରିଛନ୍ତି। ତାକୁ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ଗୃହବନ୍ଦୀ କରି ରଖାଯିବ ଏବଂ ଏହି ସମୟ ମଧ୍ୟରେ ବିଭିନ୍ନ ଅପରାଧ ମାମଲା ନେଇ ତର୍ଜମା ହେବ ବୋଲି ଜଣାପଡ଼ିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍‌୍‌ଡ ଟ୍ରମ୍ପ୍‌ ପାକିସ୍ତାନକୁ ଚେତାବନୀ ଦେଇ ଗତ ୨୫ ତାରିଖ ଦିନ କହିଥିଲେ ଯେ ହାଫିଜକୁ ଗିରଫ କରାନଗଲେ ଏହାର ପ୍ରଭାବ ଆମେରିକା-ପାକିସ୍ତାନ ଦ୍ୱିପାକ୍ଷିକ ସଂପର୍କ ଉପରେ ପଡ଼ିବ। ଗତ ୨୪ ତାରିଖ ଦିନ ଲାହୋର ହାଇକୋର୍ଟ ନିର୍ଦ୍ଦେଶକ୍ରମେ ହାଫିଜ୍‌ ମୁକ୍ତି ପାଇବା ପରେ ଭାରତ ବିରୋଧରେ ବିଷୋଦଗାର କରିଥିଲା ଏବଂ କଶ୍ମୀରରେ ଅଧିକ ହିଂସା ପାଇଁ ଚେତାବନୀ ଦେଇଥିଲା। ପାକିସ୍ତାନ ସରକାର ଆମେରିକାର କୌଣସି ନିର୍ଦ୍ଦେଶ ପାଳନ କରିବା ଉଚିତ ନୁହେଁ ବୋଲି ମଧ୍ୟ ହାଫିଜ୍‌ ମତ ଦେଇଥିଲା। ଏହା ସହିତ ଭାରତ-ପାକ୍‌ ସଂପର୍କ ନେଇ ପୂର୍ବ ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫ୍‌୍‌ଙ୍କୁ ମଧ୍ୟ ସେ କଡ଼ା ସମାଲୋଚନା କରିଥିଲା। କଶ୍ମୀରକୁ ସ୍ୱାଧୀନ କରିବା ପାଇଁ ସେ ଯେ କୌଣସି ସ୍ତରକୁ ଯାଇପାରିବ ବୋଲି ଧମକ ଦେଇଥିଲା।

ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ାଇବାକୁ ହାଫିଜ୍‌୍‌ ଯୋଜନାବଦ୍ଧ ଷଡ଼ଯନ୍ତ୍ର ଆରମ୍ଭ କରିଦେଇଥିବାରୁ ଗୃହମନ୍ତ୍ରାଳୟ ଏହା ଉପରେ ସତର୍କ ନଜର ରଖିଛି। ସୀମାପାର ଆତଙ୍କବାଦକୁ ପ୍ରୋତ୍ସାହନ ଦେଇ ଭାରତରେ ଅଧିକ ଆତଙ୍କବାଦୀ ଆକ୍ରମଣ କରିବାକୁ ହାଫିଜ୍‌ ଚାହୁଁଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ସାହିଦ ଖକନ୍‌ ଅବ୍ଦାସି କହିଛନ୍ତି ଯେ ହାଫିଜ୍‌ ବିରୋଧରେ କୌଣସି ବଳିଷ୍ଠ ପ୍ରମାଣ ସରକାରଙ୍କ ପାଖରେ ନାହିଁ। ଭାରତ ନିକଟରେ ପ୍ରମାଣ ଥିଲେ ଭାରତ ଏହାକୁ କୌଣସି ଅନ୍ତର୍ଜାତୀୟ ନ୍ୟାୟାଳୟରେ ଚ୍ୟାଲେଂଜ କରୁ ବୋଲି ସେ କହିଛନ୍ତି।

ଆମେରିକାର ଡ୍ରୋନ୍‌ ହମ୍‌ଲା: ୪ ପାକ୍‌ ଆତଙ୍କବାଦୀ ନିହତ

ଇସ୍‌ଲାମାବାଦ: ପାକିସ୍ତାନରେ ଲୁଚି ରହିଥିବା ହକାନି ଆତଙ୍କବାଦୀ ଗୋଷ୍ଠୀ ଉପରେ ଗୁରୁବାର ଆମେରିକା ଡ୍ରୋନ୍‌ ହମ୍‌ଲା କରିଛି। ଏଥିରେ ୪ ହକାନି ଆତଙ୍କବାଦୀ ନିପାତ ହୋଇଥିବା ଖବର ମିଳିଛି। ପାକିସ୍ତାନ ଓ ଆଫଗାନିସ୍ତାନ ସୀମାରେ ଥିବା ପାହାଡ଼ିିଆ ଅଞ୍ଚଳର କୁରମ୍‌ ଜଙ୍ଗଲରେ ଲୁଚି ରହିଥିବା ଏହି ଆତଙ୍କବାଦୀଙ୍କ ଉପରେ ଆମେରିକା ଗତ ୪ମାସ ହେଲା ନଜର ରଖିଆସୁଥିଲା। ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ପାକିସ୍ତାନ ଅଂଚଳରେ ଏହା ଚତୁର୍ଥ ଡ୍ରୋନ୍‌ ଆକ୍ରମଣ ବୋଲି କୁହାଯାଉଛି। ସ୍ଥାନୀୟ ଅଧିକାରୀଙ୍କ କହିବା ମୁତାବକ ଏକ ମାନବବିହୀନ ଯାନରୁ ଦୁଇଟି କ୍ଷେପଣାସ୍ତ୍ର ଏହି ଆତଙ୍କବାଦୀ କ୍ୟାମ୍ପ ଉପରକୁ ଟାର୍ଗେଟ କରାଯାଇଥିଲା। ଏହି କ୍ୟାମ୍ପରେ ଥିବା ହକାନି ଗୋଷ୍ଠୀର ଜଣେ କମାଣ୍ଡର ସମେତ ୪ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଆତଙ୍କବାଦୀଙ୍କୁ ଦମନ କରୁଥିବା ଆମେରିକୀୟ ସଂଗଠନ ନାଟୋ ଉପରେ ଆକ୍ରମଣ କରିବା ପାଇଁ ପାକିସ୍ତାନ ସରକାର ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେଉଥିବା ଆମେରିକା ଅଭିଯୋଗ କରିଛି । ଆମେରିକାର ଅଭିଯୋଗକୁ ପାକିସ୍ତାନ ସରକାର ଖଣ୍ଡନ କରିଛନ୍ତି।

ସମ୍ବନ୍ଧିତ ଖବର