ମାଟି କାମୁଡ଼ିଲା ହାଫିଜ୍‌

ଇସ୍‌ଲାମାବାଦ: ମୁମ୍ବାଇ ୨୬/୧୧ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ୍‌ ହାଫିଜ୍‌ ସୟିଦ୍‌ ଏଥର ପାକିସ୍ତାନର ସାଧାରଣ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲା। ଆଲ୍ଲା-ଉ-ଆକବର ତେହରିକ୍‌ ନାମରେ ଏକ ରାଜନୈତିିକ ଦଳ ଗଢ଼ି ସୟିଦ୍‌ ପାକିସ୍ତାନରେ ଜୋରଦାର ପ୍ରଚାର ଚଳାଇଥିଲା। କିନ୍ତୁ ଦେଶର ଜନତା ତାକୁ ଏବଂ ତା’ର ଦଳର ସମସ୍ତ ନେତାଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି। ହାଫିଜ୍‌ ହାତରେ ଗୋଟିଏ ବି ଆସନ ଆସିପାରି ନାହିଁ। ହାଫିଜ୍‌ର ମିଲ୍ଲି ମୁସ୍‌ଲିମ୍‌ ଲିଗ୍‌ (ଏମ୍‌ଏମ୍‌ଏଲ୍‌)କୁ ସରକାରଙ୍କ ସ୍ୱୀକୃତି ନ ମିଳିବାରୁ ସେ ଆଲ୍ଲା-ଉ-ଆକବର ତେହରିକ୍‌ ଦଳ ଜରିଆରେ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିଲା। ଏହାର ମୋଟ ୨୬୫ ପ୍ରାର୍ଥୀ ମଧ୍ୟରୁ ୮୦ ଜଣ ସଂସଦୀୟ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲା ବେଳେ ୧୮୫ ପ୍ରାର୍ଥୀ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। କିନ୍ତୁ ଦଳର କୌଣସି ଜଣେ ହେଲେ ବି ପ୍ରାର୍ଥୀ ଜିତିପାରି ନାହାନ୍ତି। ଫଳରେ ହାଫିଜ୍‌କୁ ଏକ ଶକ୍ତ ଝଟ୍‌କା ଲାଗିଛି। ଏଥିରୁ ଆତଙ୍କବାଦୀଙ୍କ ପାଇଁ ଲୋକମାନଙ୍କ ମନରେ କି ପ୍ରକାର ଭାବନା ରହିଛି, ତାହା ସ୍ପଷ୍ଟ ହୋଇଯାଇଛି। ଭାରତ ଓ ଆମେରିକା ଭଳି ଅନେକ ରାଷ୍ଟ୍ରର ବିରୋଧ ସତ୍ତ୍ୱେ ପାକିସ୍ତାନ ଜାଣିଶୁଣି ହାଫିଜ୍‌କୁ ସମର୍ଥନ ଦେଇଆସୁଥିଲା। କିନ୍ତୁ ଦେଶର ଜନତା ସେମାନଙ୍କ ଆଭିମୁଖ୍ୟକୁ ସ୍ପଷ୍ଟ କରିବାକୁ ଯାଇ ହାଫିଜ୍‌ ଓ ତା’ର ଦଳକୁ ପ୍ରତ୍ୟାଖ୍ୟାନ କରିଛନ୍ତି।

ସମ୍ବନ୍ଧିତ ଖବର