ବିଶ୍ୱ ଆତଙ୍କବାଦୀ ତାଲିକାରୁ ନାମ ହଟାଇବାକୁ ଚାହୁଛି ହାଫିଜ୍‌

ଜାତିସଂଘରେ ଆବେଦନ କଲା

ନୂଆଦିଲ୍ଲୀ: ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ୍‌ ତଥା ଲସ୍କର ଏ ତୋଏବା ମୁଖ୍ୟ ହାଫିଜ ସୟିଦ ପାକିସ୍ତାନରୁ ମୁକ୍ତ ହେବାପରେ ନିଜକୁ ବିଶ୍ୱ ଆତଙ୍କବାଦୀ ତାଲିକାରୁ ହଟାଇବା ଲାଗି ପ୍ରୟାସ ଆରମ୍ଭ କରିଦେଇଛି। ଏନେଇ ହାଫିଜ ଜାତିସଂଘରେ ଏକ ପିଟିସନ ଦାଏର କରିଛି। ଜମାତ ଉଦ୍‌୍‌ ଦାଓ୍ଵା ମୁଖ୍ୟ ହାଫିଜ ତାକୁ ବିଶ୍ୱ ଆତଙ୍କବାଦୀ ଘୋଷଣାକୁ ଦୃଢ଼ ବିରୋଧ କରି ଯୁକ୍ତି ଦର୍ଶାଇଛି। ଲାହୋରର ଏକ ଆଇନ କମ୍ପାନି ‘ମିର୍ଜା ଆଣ୍ଡ ମିର୍ଜା ଲ’ ଆସୋସିଏଟ୍ସ’ ତରଫରୁ ସୟିଦ ଜାତିସଂଘରେ ଆବେଦନ କରିଛି। ୨୬/୧୧ ମୁମ୍ବାଇ ଆକ୍ରମଣ ପରେ ସୟିଦକୁ ୨୦୦୮ ମସିହାରେ ବିଶ୍ୱ ଆତଙ୍କବାଦୀ ତାଲିକା ଅନ୍ତର୍ଭୁକ୍ତ କରାଯାଇଥିଲା। ଲସ୍କରକୁ ଜାତିସଂଘ ୨୦୦୫ ମସିହାରେ ନିଷିଦ୍ଧ କରିଥିବା ବେଳେ ଆମେରିକା ହାଫିଜକୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରିବା ସହ ତା’ ମୁଣ୍ଡରେ ୧ କୋଟି ଡଲାର ପୁରସ୍କାର ରାଶି ଘୋଷଣା କରିଛି। ତେବେ ପ୍ରଥମ ଥର ଲାଗି ହାଫିଜ ଏହାକୁ ବିରୋଧ କରି ଜାତିସଂଘରେ ଆବେଦନ କରିଛି। ପାକିସ୍ତାନ କୋର୍ଟରେ ହାଫିଜ ଆତଙ୍କବାଦୀ କିମ୍ବା ଅନ୍ୟ କୌଣସି କାର୍ଯ୍ୟ ଲାଗି ଦୋଷୀ ସାବ୍ୟସ୍ତ ହୋଇନାହିଁ, ତେଣୁ ଜାତିସଂଘ ତାକୁ ଆତଙ୍କବାଦୀ ତାଲିକାରେ ରଖିବା ଦ୍ୱାରା ତା’ର ସମ୍ମାନହାନି ହୋଇଛି ବୋଲି ହାଫିଜର ଓକିଲ ହାଇଦର ରସୁଲ ମିର୍ଜା କହିଛନ୍ତି। ସେ କହିଛନ୍ତି ଜାତିସଂଘରେ ମାମଲା ଲଢ଼ିବାପାଇଁ ତାଙ୍କ ମହକିଲଙ୍କ ନିକଟରେ ଯଥେଷ୍ଟ ପ୍ରମାଣ ରହିଛି। ଜାତିସଂଘ ତାଙ୍କ ଆବେଦନ ଗ୍ରହଣ କରି ତାଙ୍କ ମହକିଲଙ୍କ ନାମ ଆତଙ୍କବାଦୀ ତାଲିକାରୁ ହଟାଇବା ଉଚିତ୍‌ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ ହାଫିଜକୁ ଚଳିତବର୍ଷ ଜାନୁଆରିରୁ ପାକିସ୍ତାନରେ ଗୃହବନ୍ଦୀ କରି ରଖାଯାଇଥିଲା ଏବଂ ହାଫିଜ ବିରୋଧରେ ପାକିସ୍ତାନ ସରକାର ବଳିଷ୍ଠ ପ୍ରମାଣ ନଦେବାରୁ ତାକୁ ଲାହୋର କୋର୍ଟ ମୁକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର