ଆତଙ୍କବାଦୀ ହାଫିଜ୍‌ ସୟିଦକୁ ୧୧ ବର୍ଷ ଜେଲ୍‌

ଲାହୋର : ମୁମ୍ବାଇ ଆକ୍ରମଣ ଘଟଣାର ମାଷ୍ଟର ମାଇଣ୍ଡ ତଥା ଜମାତ-ଉଦ-ଦାୱା ମୁଖ୍ୟ ହାଫିଜ ସୟିଦକୁ ପାକିସ୍ତାନର ଆତଙ୍କବାଦ ନିରୋଧ ଅଦାଲତ ୧୧ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି। ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଣ ଓ ଆତଙ୍କୀ ସଂଗଠନ ପାଇଁ ପାଣ୍ଠି ସଂଗ୍ରହ ଅଭିଯୋଗରେ ପାକିସ୍ତାନ କୋର୍ଟ ହାଫିଜକୁ ଏହି ଦଣ୍ଡ ଶୁଣାଇଛନ୍ତି। ଜାତିସଂଘ ଦ୍ବାରା ଘୋଷିତ ବିଶ୍ବ ଆତଙ୍କବାଦୀ ହାଫିଜକୁ ଧରିବା ପାଇଁ ଆମେରିକା ୨୦୧୨ରେ ୧୦ ନିୟୁତ ଡଲାର ଅର୍ଥରାଶି ପୁରସ୍କାର ଘୋଷଣା କରିଥିଲା। ତେବେ ଆତଙ୍କବାଦୀଙ୍କୁ ବେଆଇନ ଅର୍ଥ କାରବାର ନେଇ ଗତ ଜୁଲାଇ ୧୭ରେ ତାକୁ ଗିରଫ କରାଯାଇଥିଲା। ସେ ଲାହୋରର କୋଟ୍‌ ଲାଖପତ ଜେଲରେ କଡ଼ା ସୁରକ୍ଷା ବଳୟରେ ରହୁଛି। ହାଫିଜ ଦୁଇଟି ଆତଙ୍କବାଦୀ ସଂଗଠନ ସହ ବେଆଇନ ଅର୍ଥ କାରବାର ମାମଲାରେ ଜଡ଼ିତ ଥିବାନେଇ ପଞ୍ଜାବର ଆତଙ୍କବାଦ ନିରୋଧ ବିଭାଗ (ସିଟିଡି) ପୁଲିସ ଦୁଇଟି ମାମଲା ରୁଜୁ କରିଥିଲା।

କୋର୍ଟ ଦୁଇଟି ମାମଲାରେ ହାଫିଜକୁ ମୋଟ ୧୧ ବର୍ଷ ଜେଲ୍‌ ଦଣ୍ଡ ଶୁଣାଇଛନ୍ତି। ଆତଙ୍କବାଦ ନିରୋଧ ବିଭାଗ (ସିଟିଡି) ହାଫିଜ ନାଁରେ ମୋଟ ୨୩ଟି ଏଫ୍‌ଆଇଆର ରୁଜୁ କରିଛି। ଆତଙ୍କବାଦର ପ୍ରଚାର ପ୍ରସାର ପାଇଁ ହାଫିଜ୍‌ ବିପୁଳ ଅର୍ଥ କାରବାର କରୁଥିଲା। ତା’ ବିରୋଧରେ ଲାହୋର, ଗୁଜର୍ନୱାଲା ଏବଂ ମୁଲ୍‌ତାନା‌ରେ ଭିନ୍ନଭିନ୍ନ ମାମଲା ରୁଜୁ ହୋଇଥିଲା। ବେଆଇନ ଅର୍ଥ ନେଣଦେଣ ଉପରେ ଅଙ୍କୁଶ ଲଗାଇବା ପାଇଁ ରହିଥିବା ଏଫ୍‌ଏଟିଏଫ୍‌ (ଫାଇନାନ୍‌ସିଆଲ ଆକ୍ସନ ଟାସ୍କ ଫୋର୍ସ) ପାକିସ୍ତାନକୁ କଳା ତାଲିକାଭୁକ୍ତ କରିବାକୁ ଚେତାବନୀ ଦେବା ପରେ ହାଫିଜ୍‌ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ଚର୍ଚ୍ଚା ହେଉଛି। ହାଫିଜ ସୟିଦ ଦ୍ବାରା ପ୍ରତିଷ୍ଠିତ ଜମାତ୍‌-ଉଦ-ଦାୱା ହେଉଛି ଲସ୍କର-ଏ-ତୋଏବାର ଏକ ଛାମୁଆଁ ସଂଗଠନ। ହାଫିଜ ୨୦୦୮ ମୁମ୍ବାଇ ଆକ୍ରମଣ ଘଟଣା‌ ପାଇଁ ଦାୟୀ ଥିଲା। ଏହି ଆକ୍ରମଣ ଘଟଣାରେ ୧୬୬ ଜଣଙ୍କର ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର