ପାକିସ୍ତାନ ନିର୍ବାଚନରେ ଅମାନତ ହରେଇଲା ଆତଙ୍କବାଦୀ ହାଫିଜ ସଇଦ୍‌

ଇସ୍ଲାମାବାଦ : ପାକିସ୍ତାନରେ ଗତ କାଲି ନିର୍ବାଚନ ଶେଷ ହୋଇଛି । ମିଳିଥିବା ସୂଚନା ଅନୁସାରେ ଦେଶରେ ଝୁଲା ଜାତୀୟ ଆସେମ୍ବ୍ଲି ହୋଇଥିବାବେଳେ କ୍ରିକେଟିୟରରୁ ରାଜନେତା ବନିଥିବା ଇମ୍ରାନ ଖାଁଙ୍କ ଦଳ ପାକିସ୍ତାନ ତେହେରିକ-ଏ ଇନସାଫ (ପିଟିଆଇ) ୧୧୩ଟି ସିଟ୍‌ ପାଇ ସବୁଠାରୁ ଆଗୁଆ ଅଛି । ୨ୟ ସ୍ଥାନରେ ରହିଛି ନଓ୍ଵାଜ ସରିଫଙ୍କ ଦଳ ପାକିସ୍ତାନ ମୁସଲିମ ଲିଗ-ନଓ୍ଵାଜ ଯାହାକି ୬୪ଟି ଭୋଟ ପାଇଛି । ପିପିପି ୪୩ଟି ସିଟ ପାଇଛି ।

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତଥା ଶୁଭ ସୂଚନା ହେଲା ଯେ ପାକିସ୍ତାନରେ ଯେତେ ସବୁ ଆତଙ୍କବାଦୀ ଛିଡା ହୋଇଥିଲେ ପ୍ରାୟ ସମସ୍ତେ ଶୋଚନୀୟ ଭାବେ ହାରି ଯାଇଛନ୍ତି । ମୁମ୍ବାଇ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ହାଫିସ ସଇଦର ସବୁ ପ୍ରାର୍ଥୀ ହାରିଯାଇଛନ୍ତି । ସେ ନିଜେ, ତା ପୁଅ, ଜ୍ୱାଇଁ ମଧ୍ୟ ହାରିଯାଇଛନ୍ତି । ହାଫିଜର ରାଜନୈତିକ ସଂଗଠନ ମିଲି ମୁସଲିମ ଲିଗକୁ ନିର୍ବାଚନ ଲଢିବାକୁ ଅନୁମତି ମିଳିନଥିଲା । କିନ୍ତୁ ସେ ନିଜର ପ୍ରାର୍ଥୀମାନଙ୍କୁ ଆଲ୍ଲା-ହୁ ଆକବର ତେହେରିକ ନାମକ ଛୋଟ ଦଳ ଅଧିନରେ ୨୬୫ ପ୍ରାର୍ଥୀଙ୍କୁ ଛିଡା କରାଇଥିଲା । ଆଉ ଏକ ସଂଗଠନ ହେଉଛି ତେହେରିକ ଲବାଇକ ପାକିସ୍ତାନ (ଟିଏଲପି) । ଏହି ଦଳ ସମୁଦାୟ ୧୫୨ଟି ପ୍ରାର୍ଥୀ ଛିଡା କରିଥିଲା, କିନ୍ତୁ ସବୁ ପ୍ରାର୍ଥୀ ହାରିଯାଇଛନ୍ତି । ଏହି ଦଳର ମୁଖ୍ୟ ପ୍ରତିଶ୍ରୁତି ହେଉଛି ପାକିସ୍ତାନରେ ଧର୍ମୀୟ କାନୁନକୁ ଅଧିକ କଠୋର କରିବା । ବିଶେଷକରି ବ୍ଲାସଫେମି (ଇଶ୍ୱରନିନ୍ଦା) ଆଇନକୁ କଠୋର କରିବାକୁ ଏହି ଦଳ ନିଜର ନିର୍ବାଚନୀ ପ୍ରତିଶ୍ରୁତି ରଖିଛି । ଏହି ଆଇନ ଦ୍ୱାରା ଅତୀତରେ ଅନେକ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ କରାଯାଇଛି ।

ଏସବୁ ଆତଙ୍କବାଦୀ ଓ କଠୋରପନ୍ଥୀଙ୍କୁ ଭୋଟ ନଦେଇ ପାକିସ୍ତାନବାସୀ ଆତଙ୍କବାଦ ବିରୋଧରେ ଏକ ବଡ଼ ସଂକେତ ଦେଇଛନ୍ତି ।

ସମ୍ବନ୍ଧିତ ଖବର