ଲାହୋର : ପାକିସ୍ତାନର ଲାହୋରରେ ଗତ ୭ ତାରିଖରେ ହୋଇଥିବା ଏକ ବିସ୍ଫୋରଣରେ କୁଖ୍ୟାତ ଆତଙ୍କବାଦୀ ତଥା ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ସୟିଦର ପୁଅ ତାଲହା ସଇଦ ଗୁରୁତରଭାବେ ଆହତ ହୋଇ ଚିକିତ୍ସିତ ହେଉଛି । ଲାହୋରରେ ଅନୁଷ୍ଠିତ ଏକ ଜନସଭାରେ ତାଲହା ଭାଷଣ ଦେଉଥିବାବେଳେ ଏହି ବିସ୍ଫୋରଣ ହୋଇଥିଲା । ଏହି ଘଟଣାରେ ଜଣେ ବ୍ୟକ୍ତି ନିହତ ହେବା ସହ ୭ ଜଣ ଆହତ ହୋଇଛନ୍ତି । ଆହତ ବ୍ୟକ୍ତିମାନଙ୍କ ମଧ୍ୟରୁ ଅଧିକାଂଶ ଲସ୍କର-ଇ-ତୋଇବାର ସଦସ୍ୟ ବୋଲି ଜଣାପଡ଼ିଛି ।
ପାକିସ୍ତାନୀ ପୁଲିସ ଏହି ଘଟଣାକୁ ଏକ ଦୁର୍ଘଟଣା ବୋଲି କହିବା ସହ ଏ ସଂପର୍କରେ ରିପୋର୍ଟ ପ୍ରକାଶ କରିବାକୁ ସ୍ଥାନୀୟ ଗଣମାଧ୍ୟମକୁ ବାରଣ କରିଛି । ଏକ ଫ୍ରିଜରେ ଗ୍ୟାସ ଭର୍ତ୍ତି କରିବାବେଳେ ବିସ୍ଫୋରଣ ହୋଇଥିବା ପାକିସ୍ତାନ ପୁଲିସ କହୁଛି । କିନ୍ତୁ ତାଲହାକୁ ହତ୍ୟା କରିବାକୁ ଏହା ଏକ ଷଡ଼ଯନ୍ତ୍ର ବୋଲି ଲସ୍କର-ଇ-ତୋଇବା ସଂଦେହ କରୁଛି । ଏହା ଭାରତୀୟ ଗୁଇନ୍ଦା ସଂସ୍ଥା ର’ର ଏକ ଅପରେସନ ବୋଲି ଲସ୍କର ମନେକରୁଛି । ଆଉ କେତେକ ଏହାକୁ ଏକ ଅନ୍ତର୍ଘାତୀ କାର୍ଯ୍ୟ ବୋଲି କହୁଛନ୍ତି । ହାଫିଜ ସୟିଦ ନିଜ ପୁଅକୁ ଚିଫ୍ କମାଣ୍ଡର କରିବା ସଂଗଠନର କେତେକ ବରିଷ୍ଠ କମାଣ୍ଡରଙ୍କୁ ଅସନ୍ତୁଷ୍ଟ କରିଛି । ଏଣୁ ତାକୁ ରାସ୍ତାରୁ ହଟେଇ ଦେବାକୁ ଏହି ବିସ୍ଫୋରଣ କରାଯାଇଛି ବୋଲି କୁହାଯାଉଛି ।