ନଓ୍ଵାଜଙ୍କୁ ‘ବିଶ୍ୱାସଘାତକ’ କହିଲା ହାଫିଜ୍‌

ଭାରତ-ପାକ୍‌ ସଂପର୍କ ନେଇ ବିଷୋଦ୍‌ଗାର୍‌

ଲାହୋର: ଗତକାଲି ଗୃହବନ୍ଦୀରୁ ମୁକ୍ତି ପାଇଥିବା ୨୦୦୮ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ୍‌ ସୟିଦ ଆଜି ଭାରତ-ପାକ୍‌ ସଂପର୍କ ନେଇ ପୂର୍ବ ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫ୍‌୍‌ଙ୍କ ବିରୋଧରେ ବିଷୋଦଗାର କରିଛି। ନଓ୍ଵାଜ ଭାରତ ସହ ଶାନ୍ତି ଚାହୁଁଥିଲେ ଏବଂ ସେ ଜଣେ ବିଶ୍ୱାସଘାତକ ବୋଲି ହାଫିଜ୍‌ କହିଛି। ଆଜି ଶୁକ୍ରବାର ପ୍ରାର୍ଥନାରେ ଯୋଗଦେଇ ହାଫିଜ୍‌ କହିଛି ଯେ ନଓ୍ଵାଜ ସରକାର ଷଡ଼ଯନ୍ତ୍ର କରି ତାଙ୍କୁ ଦୀର୍ଘ ୧୧ ମାସ କାଳ ଗୃହବନ୍ଦୀ କରି ରଖିଥିଲା। ପାନାମ ପେପର୍ସ ମାମଲାରେ ସୁପ୍ରିମ୍‌ କୋର୍ଟ ଦ୍ୱାରା ଅଯୋଗ୍ୟ ଘୋଷିତ ହୋଇଥିବା ସରିଫ୍‌ ଆଉ କେବେ ବି କ୍ଷମତାକୁ ଫେରିପାରିବେ ନାହିଁ ବୋଲି ହାଫିଜ୍‌ କହିଛି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ସରିଫ୍‌ଙ୍କ ଘନିଷ୍ଠତା ପାଇଁ ତାଙ୍କୁ ବହୁମୂଲ୍ୟ ଦେବାକୁ ପଡ଼ିବ ବୋଲି ହାଫିଜ୍‌ ଚେତାବନୀ ଦେଇଛି । କଶ୍ମୀରକୁ ସ୍ୱାଧୀନ କରିବା ପାଇଁ ସେ ସ୍ଥାନୀୟ ଲୋକଙ୍କୁ ପ୍ରବର୍ତ୍ତାଇବା ଜାରି ରଖିବ ବୋଲି ଘୋଷଣା କରି ହାଫିଜ୍‌ କହିଛି ଯେ ଏଥିପାଇଁ ସେ ଯେ କୌଣସି ସ୍ତରକୁ ଯାଇପାରିବ।

ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ାଇବାକୁ ହାଫିଜ୍‌୍‌ ଯୋଜନାବଦ୍ଧ ଷଡ଼ଯନ୍ତ୍ର ଆରମ୍ଭ କରିଦେଇଥିବାରୁ ଗୃହମନ୍ତ୍ରାଳୟ ଏହା ଉପରେ ସତର୍କ ନଜର ରଖିଛି। ସୀମାପାର ଆତଙ୍କବାଦକୁ ପ୍ରୋତ୍ସାହନ ଦେଇ ଭାରତରେ ଅଧିକ ଆତଙ୍କବାଦୀ ଆକ୍ରମଣ କରିବାକୁ ଚାହୁଥିବା ହାଫିଜ୍‌କୁ ପାକ୍‌୍‌ ସେନା ଏବଂ ଆଇଏସ୍‌୍‌ଆଇ କିଭଳି ସହାୟତା ଦେବ ତା’ ଉପରେ ଏବେ ଗୁଇନ୍ଦା ବିଭାଗର ନଜର ରହିଛି।

ହାଫିଜ୍‌କୁ ପୁଣି ବନ୍ଦୀ କରିବାକୁ କହିଲା ଆମେରିକା

ଓ୍ଵାସିଂଟନ: ଲସ୍କର-ଏ-ତୋଏବା ଆତଙ୍କବାଦୀ ସଂଗଠନର ପ୍ରତିଷ୍ଠାତା ହାଫିଜ୍‌ ସୟିଦ୍‌କୁ ପାକିସ୍ତାନ ସରକାର ମୁକ୍ତ କରିଦେବା ପରେ ଏହାକୁ ନେଇ ବିଶ୍ୱବ୍ୟାପୀ ପ୍ରତିକ୍ରିୟା ପ୍ରକାଶ ପାଇଛି। ପାକିସ୍ତାନ ସରକାର ତୁରନ୍ତ ହାଫିଜ୍‌କୁ ଆଉ ଥରେ ବନ୍ଦୀ କରିବା ସହ ତା’ର ଅପରାଧ ପାଇଁ ତତ୍କାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆମେରିକା କହିଛି। ଆମେରିକା ବିଦେଶ ମନ୍ତ୍ରାଳୟ ମୁଖପାତ୍ର ହିଥର ନ୍ୟୁଟ କହିଛନ୍ତି, ହାଫିଜ୍‌କୁ ମୁକ୍ତି ଦେଇ ପାକିସ୍ତାନ ସରକାର ମସ୍ତବଡ଼ ଭୁଲ କରିଛନ୍ତି । ଯେଉଁ ଆତଙ୍କବାଦୀ ସଂଗଠନ ହାଫିଜ୍‌ ଦ୍ୱାରା ପରିଚାଳିତ ସେହି ସଂଗଠନ ହଜାର ହଜାର ନିରୀହ ଜନତାଙ୍କୁ ହତ୍ୟା କରିଛି। ହାଫିଜ୍‌କୁ ଖୋଲା ଛାଡିବା ଦ୍ୱାରା ବିଶ୍ୱରେ ଆତଙ୍କବାଦୀ କାର୍ଯ୍ୟ ବୃଦ୍ଧି ପାଇବ ବୋଲି ନ୍ୟୁଟ କହିଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୦୮ ମସିହାରେ ହାଫିଜ୍‌କୁ ଆମେରିକା ସରକାର ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରିଥିଲେ ଓ ତା’ର ମୁଣ୍ଡ ପାଇଁ ୧ କୋଟି ଡଲାର ପୁରସ୍କାର ରାଶି ଘୋଷଣା କରିଥିଲେ ।

ସମ୍ବନ୍ଧିତ ଖବର